ପୌରରେ ବିଜେଡିର ସର୍ବକାଳୀନ ରେକର୍ଡ଼, ୧୦୮ରୁ ୯୫ ପୌରାଞ୍ଚଳରେ ବିଜେଡି ଏକକ ସଂଖ୍ୟାଗରିଷ୍ଠ

ଭୁବନେଶ୍ୱର : ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ପରେ ପୌରାଞ୍ଚଳ ନିର୍ବାଚନରେ ବି ବାଜିମାତ କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଉପରେ ସହରୀ ଭୋଟର ଆସ୍ଥା ସ୍ଥାପନ କରିଛନ୍ତି ଓ ବିଜେଡି ମଥାରେ ବିଜୟ ତିଳକ ଲଗାଇଛନ୍ତି। ୩ ମହାନଗର ନିଗମ, ୧୦୫ଟି ପୌରାଞ୍ଚଳରେ ଅନୁଷ୍ଠିତ ନିର୍ବାଚନରେ ବିଜେଡି ୯୦ ପ୍ରତିଶତରୁ ଅଧିକ ୱାର୍ଡରେ ବିଜୟ ଲାଭ କରିଛି। ମୋଟ ୧୦୮ ପୌରାଞ୍ଚଳ ମଧ୍ୟରୁ ବିଜେଡି […]

ଭୁବନେଶ୍ୱର : ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ପରେ ପୌରାଞ୍ଚଳ ନିର୍ବାଚନରେ ବି ବାଜିମାତ କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଉପରେ ସହରୀ ଭୋଟର ଆସ୍ଥା ସ୍ଥାପନ କରିଛନ୍ତି ଓ ବିଜେଡି ମଥାରେ ବିଜୟ ତିଳକ ଲଗାଇଛନ୍ତି। ୩ ମହାନଗର ନିଗମ, ୧୦୫ଟି ପୌରାଞ୍ଚଳରେ ଅନୁଷ୍ଠିତ ନିର୍ବାଚନରେ ବିଜେଡି ୯୦ ପ୍ରତିଶତରୁ ଅଧିକ ୱାର୍ଡରେ ବିଜୟ ଲାଭ କରିଛି। ମୋଟ ୧୦୮ ପୌରାଞ୍ଚଳ ମଧ୍ୟରୁ ବିଜେଡି ଏକାକୀ ୯୫ଟି ପୌରାଞ୍ଚଳରେ ସଂଖ୍ୟାଗରିଷ୍ଠତା ହାସଲ କରିଛି ଏବଂ ୩ ମେୟର ପଦ ଦଖଲ କରିଛି। ଅନ୍ୟପକ୍ଷରେ ମୁଖ୍ୟ ବିରୋଧୀ ଦଳ ବିଜେପି ମାତ୍ର ୫ଟି ଓ କଂଗ୍ରେସ ୪ଟି ସ୍ଥାନରେ ସଂଖ୍ୟା ଗରିଷ୍ଠତା ପାଇଛନ୍ତି। ସ୍ୱାଧୀନ ପ୍ରାର୍ଥୀମାନେ ୩ଟି ପୌରାଞ୍ଚଳରେ ନିଜର ପ୍ରାଧାନ୍ୟ ବଜାୟ ରଖିଛନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଚଳିତ ପୌର ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ସଫଳତା ସହ ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିଛି। ମହାନଗର ନିଗମ, ପୌର ପରିଷଦ ଓ ବିଜ୍ଞପିତ ଅଞ୍ଚଳ ପରିଷଦ ମଧ୍ୟରୁ ୮୮% ପୌରାଞ୍ଚଳ ବିଜେଡ଼ି ସପକ୍ଷରେ ଯାଇଛି। ବିଜେପି ମାତ୍ର ୫.୫%, କଂଗ୍ରେସ ୩.୫% ଏବଂ ସ୍ୱାଧିନ ପ୍ରାର୍ଥୀମାନେ ୩% ପରିଷଦରେ ସଂଖ୍ୟାଗରିଷ୍ଠତା ପାଇଛନ୍ତି। ଜିଲ୍ଲା ପରିଷଦ ନିର୍ବାଚନରେ ୯୦% ଆସନ ସହ ୮୮୩ ଆସନରୁ ୭୬୭ ପରିଷଦ ଦଖଲ କରିବା ବିଜେଡି ପୌର ନିର୍ବାଚନରେ ୮୮% ଆସନରେ ବିଜୟ ଲାଭ କରି ବିଜୟ ରାଜନୀତିରେ ନିଜକୁ ବାଜିଗର ବୋଲି ପ୍ରମାଣିତ କରିଛି।

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଓ ତାଳଚେର, ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର, ଜଳେଶ୍ୱର, ନୀଳଗିରି ଏବଂ ରେମୁଣା ପୌର ସଂସ୍ଥାରେ ବିଜେଡି ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ସେହିପରି ବରଗଡ଼଼ ଜିଲ୍ଲା ବରପାଲି, ବରଗଡ଼଼ ଏବଂ ବିଜେପୁର, ଭଦ୍ରକଜିଲ୍ଲାର ବାସୁଦେବପୁର, ଭଦ୍ରକ ଏବଂ ଚାନ୍ଦବାଲି, ବଲାଙ୍ଗୀର ଜିଲ୍ଲାରେ ବଲାଙ୍ଗୀର, ପାଟଣାଗଡ଼଼, ଟିଟିଲାଗଡ଼଼ ଏବଂ ତୁଷୁରା, କଟକ ଜିଲ୍ଲାର କଟକ, ଚୌଦ୍ୱାର ଏବଂ ବାଙ୍କୀ, ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ, କାମାକ୍ଷାନଗର ଏବଂ ଭୁବନ, ଗଜପତି ଜିଲ୍ଲାରେ କାଶୀନଗର ଏବଂ ପାରଳାଖେମୁଣ୍ଡି, ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡି, ଆସ୍କା, ବେଲଗୁଣ୍ଠା,ଭଞ୍ଜନଗର,ବୁଗୁଡ଼ା, ଛତ୍ରପୁର, ଚିକିଟି, ଗଞ୍ଜାମ, ଗୋପାଳପୁର, ହିଞ୍ଜିଳିକାଟୁ, ଖଲିକୋଟ, ପୋଲସରା , ପୁରୁଷୋତ୍ତମପୁର ଏବଂ ସୋରଡା ପୌରସଂସ୍ଥା ଗୁଡ଼ିକରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର , ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ଓ ବ୍ରଜରାଜନଗର, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ଼଼ ଏବଂ କେସିଙ୍ଗା, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଜି. ଉଦୟଗିରି ଏବଂ ଫୁଲବାଣୀ, କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ, କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ଯୋଡା, ବଡ଼ବିଲ ଏବଂ କେନ୍ଦୁଝରରେ, ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ଜଟଣୀ, ବାଲୁଗାଁ ଏବଂ ବାଣପୁର, କୋରାପୁଟ ଜିଲ୍ଲାର କୋରାପୁଟ ଏବଂ ସୁନାବେଡା, ମାଲକାନଗିରି ଜିଲ୍ଲାର ମାଲକାନଗିରି ପୌରସଂସ୍ଥାରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି।

ଅନ୍ୟପକ୍ଷରେ ବିଜେପି ଅନୁଗୋଳ, ସୋର, ଦେବଗଡ଼଼, କୋଦଳା, ରମ୍ଭା ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାବେଳେ ରେଢ଼ାଖୋଲ ପୌରାଞ୍ଚଳରେ ଉଭୟ ବିଜେଡି ଓ ବିଜେପି ସମାନ ୬ଟି ଲେଖାଏଁ କାଉନସିଲରେ ବିଜୟୀ ହୋଇ ସମାନ ସ୍ଥିତିରେ ଅଛନ୍ତି। ସେହିପରି କଂଗ୍ରେସ କଣ୍ଟାବାଞ୍ଝି, ଦିଗପହଣ୍ଡି, କୋଟପାଡ଼ ଓ ଖରିଆର ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଅପରପକ୍ଷରେ ସ୍ୱାଧୀନ ପ୍ରାର୍ଥୀମାନେ ଗୁଣୁପୁର, ଦଶପଲ୍ଲା ଓ ପାରାଦ୍ୱୀପ ପୌରାଞ୍ଚଳରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଏଠାରେ କୌଣସି ରାଜନୈତିକ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ସମର୍ଥ ହୋଇ ନାହାନ୍ତି ଓ ଅର୍ଦ୍ଧାଧିକ ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଛଅଟି ଜିଲ୍ଲାର ପୌରାଞ୍ଚଳରେ ଉଭୟ ବିଜେପି ଓ କଂଗ୍ରେସ ଗୋଟିଏ ବି ୱାର୍ଡ଼ରେ ବିଜୟୀ ହୋଇ ପାରିନାହାନ୍ତି।

ସଦ୍ୟ ପ୍ରକାଶିତ ପୌର ଫଳାଫଳ ଅନୁସାରେ ଆଜି ଗଣତି ହୋଇଥିବା ୩ ମହାନଗର ନିଗମ ଓ ୧୦୫ ପୌରାଞ୍ଚଳ ମଧ୍ୟରୁ ୨୧ଟି ପୌରାଞ୍ଚଳରେ ବିଜେପି ଖାତା ଖୋଲିବାକୁ ସମର୍ଥ ହୋଇନାହିଁ, ଅର୍ଥାତ୍‍ ଏହି ପୌରାଞ୍ଚଳର ଗୋଟିଏ ୱାର୍ଡ଼ରେ ମଧ୍ୟ ବିଜେପି ପ୍ରାର୍ଥୀ ବିଜୟୀ ହୋଇ ନାହାନ୍ତି। ସେହିପରି ଭୁବନେଶ୍ୱର ମହାନଗର ନିଗମ ସହ ମୋଟ ୬୫ ପୌରାଞ୍ଚଳରେ କଂଗ୍ରେସକୁ ଗୋଟିଏ ବି ୱାର୍ଡ଼ ମିଳିନାହିଁ। ଅନୁରୂପ ଭାବରେ ନୂଆପଡ଼ା ଜିଲ୍ଲାର ୩ଟି ପୌରାଞ୍ଚଳ ନୂଆପଡ଼ା, ଖରିଆର ରୋଡ଼୍‍ ବିଜ୍ଞପିତ ଅଞ୍ଚଳ ପରିଷଦରେ ବିଜେଡି ସଂଖ୍ୟା ଗରିଷ୍ଠତା ପାଇଥିଲେ ସୁଦ୍ଧା ପୌରାଧ୍ୟକ୍ଷ ପଦ ଦଖଲ କରିବାକୁ ସମର୍ଥ ହୋଇପାରି ନାହିଁ।

About The Author: The Sakala