ତିନି ଦିନ ପରେ ପୌର ପରୀକ୍ଷା; କାଲି ସରିବ ପ୍ରଚାର

ଭୁବନେଶ୍ୱର: ରାଜ୍ୟର ୧୦୬ଟି ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ଏବଂ ୩ ମହାନଗର ନିଗମରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଦିନକ ପରେ ପ୍ରଚାର ଶେଷ ହେବ। ଚଳିତ ମାସ ୨୪ ତାରିଖରେ ଭୋଟ ଗ୍ରହଣ ଓ ୨୬ ତାରିଖରେ ଭୋଟ ଗଣତି ହେବ। ପ୍ରବଳ ଗ୍ରୀଷ୍ମ ପ୍ରବାହ, ଦୋଳ ପୂର୍ଣ୍ଣିମା ଓ ହୋଲି ସହରାଞ୍ଚଳ ରାଜନୀତିକୁ ଆହୁରି ଗରମ କରିଛି। ବିଜେଡି ପଞ୍ଚାୟତ ସଫଳତା ପରେ ପୌରାଞ୍ଚଳ ଭୋଟରେ ଶତ ପ୍ରତିଶତ ସଫଳତା ପାଇବାକୁ ଲକ୍ଷ୍ୟ […]

ଭୁବନେଶ୍ୱର: ରାଜ୍ୟର ୧୦୬ଟି ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ଏବଂ ୩ ମହାନଗର ନିଗମରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଦିନକ ପରେ ପ୍ରଚାର ଶେଷ ହେବ। ଚଳିତ ମାସ ୨୪ ତାରିଖରେ ଭୋଟ ଗ୍ରହଣ ଓ ୨୬ ତାରିଖରେ ଭୋଟ ଗଣତି ହେବ। ପ୍ରବଳ ଗ୍ରୀଷ୍ମ ପ୍ରବାହ, ଦୋଳ ପୂର୍ଣ୍ଣିମା ଓ ହୋଲି ସହରାଞ୍ଚଳ ରାଜନୀତିକୁ ଆହୁରି ଗରମ କରିଛି। ବିଜେଡି ପଞ୍ଚାୟତ ସଫଳତା ପରେ ପୌରାଞ୍ଚଳ ଭୋଟରେ ଶତ ପ୍ରତିଶତ ସଫଳତା ପାଇବାକୁ ଲକ୍ଷ୍ୟ ରଖିଛି। ସେହିପରି କଂଗ୍ରେସ ଦଳୀୟ ଅନ୍ତଃକନ୍ଦଳ ଏବଂ ଆର୍ଥÒକ ଅଭାବ ସତ୍ତ୍ବେ ଦ୍ୱିତୀୟ ସ୍ଥାନରେ ରହିବ ବୋଲି ଆଶା କରୁଛି। ଦଳ ଅନ୍ୟୂନ ୧୭ଟି ପୌର ପରିଷଦ ଦଖଲ କରିବ ବୋଲି ଦାବି କରିଛି। ଅନୁରୂପ ଭାବରେ ବିଜେପି ଶାସକ ଦଳ ବିଜେଡିକୁ ପ୍ରାୟ ୮୦ ପ୍ରତିଶତ ଆସନରେ ସିଧାସଳଖ ଟକ୍କର ଦେଉଥିବା ଦାବି କରୁଛି। ଏହି ପରିପ୍ରେକ୍ଷୀରେ କେଉଁ ଦଳ କି ପ୍ରଦର୍ଶନ କରିବ ତାହା ୨୬ ତାରିଖ ଫଳାଫଳ ପ୍ରକାଶ ପରେ ଜଣାପଡ଼ିବ।

ଚଳିତ ଥର ମେୟର ଓ ପୌରାଧ୍ୟକ୍ଷ ପ୍ରତ୍ୟକ୍ଷ ନିର୍ବାଚନରେ ମାଧ୍ୟମରେ ଚୟନ କରାଯାଉଛି। ପୂର୍ବଥର ଭଳି କାଉନସିଲର/କର୍ପୋରେଟର ପାଇଁ ସିଧାସଳଖ ନିର୍ବାଚନ ହେବ। ତେଣୁ ସବୁ ଦଳ ପ୍ରଚାରଶୈଳୀରେ ପରିବର୍ତ୍ତନ ଆଣିଛନ୍ତି। ମେୟର ଓ ପୌରାଧ୍ୟକ୍ଷ ପାଇଁ ସ୍ୱତନ୍ତ୍ର ଭାବେ ପ୍ରଚାର ରଣନୀତି ଆପାଣାଯାଉଛି। ପୌରାଞ୍ଚଳ ଆସୁଥିବା ବିଧାନସଭା କ୍ଷେତ୍ରର ବିଧାୟକମାନେ ପ୍ରଚାର ରଣନୀତି ପ୍ରସ୍ତୁତ କରୁଛନ୍ତି। ଯେଉଁଠି ଦଳର ନିର୍ବାଚନ ପ୍ରତିନିଧି ନାହାନ୍ତି, ସେଠାରେ ସ୍ଥାନୀୟ ଜିଲ୍ଲା ସଭାପତି ଏବଂ ସାଙ୍ଗଠନିକ ଦକ୍ଷ ଥିବା ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ବିରୋଧୀ ବିଜେପି ଏବଂ କଂଗ୍ରେସ ଅପେକ୍ଷା ବିଜେଡିର ପ୍ରଚାର ଶୈଳୀ ଅଲଗା ରହିଛି। ଦଳର ଶୀର୍ଷ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଯାଏଁ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି। ମାତ୍ର ଦଳୀୟ କର୍ମୀଙ୍କ ଉତ୍ସାହ ପଞ୍ଚାୟତ ଫଳ ଠାରୁ ବହୁ ଊର୍ଦ୍ଧ୍ବରେ ରହିଛି। ପଞ୍ଚାୟତରେ ବିପୁଳ ପରାଜୟ ଦେଖିଥିବା ବିଜେପି ଓ କଂଗ୍ରେସ ପ୍ରଚାର ଏତେଟା ପ୍ରଭାବୀ ହୋଇପାରୁନାହିଁ। ଉଭୟ ଦଳର କୌଣସି ଜାତୀୟ ସ୍ତରୀୟ ଶୀର୍ଷ ନେତା ଏଯାଏଁ ମଇଦାନକୁ ଓହ୍ଲାଇ ନାହାନ୍ତି। ପଞ୍ଚାୟତ ପରେ ପୌର ନିର୍ବାଚନରେ ପ୍ରଚଣ୍ଡ ପରାଜୟ ଆଶଙ୍କା କରି ଶୀର୍ଷ ନେତା ନିଜକୁ ପ୍ରଚାରରୁ ଦୂରେଇ ରଖୁଥିବା ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ରାଜଧାନୀ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମର ଫଳାଫଳ ବହୁଳ ଭାବେ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ। ଯଦି ବିଜେଡି ପଞ୍ଚାୟତ ସଫଳତା ବଜାୟ ରଖିବାରେ ସମର୍ଥ ହେଉଛି, ତେବେ ପରବର୍ତ୍ତୀ ସାଧାରଣ ନିର୍ବାଚନ ଯାଏଁ ଏହା ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବ। ଜାଗା ମିଶନ, ଆମ ସହର ଆମ ଉନ୍ନତି, ମିଶନ୍‍ ଶକ୍ତି, ଆହାର, ଡ୍ରିଙ୍କ୍‍ ଫ୍ରମ ଟ୍ୟାପ୍‍, ସ୍ମାର୍ଟ କିଓସ୍କ, ବହୁମୁଖୀ ପରିମଳ ବ୍ୟବସ୍ଥା ଆଦିକୁ ନେଇ ବିଜେଡି ପ୍ରଚାର ମଇଦାନକୁ ଓହ୍ଲାଇଛି। ଏହା ବ୍ୟତୀତ ସହରାଞ୍ଚଳ ବିକାଶ ପାଇଁ କେନ୍ଦ୍ର ଅବହେଳା କିପରି ବାଧକ ହେଉଛି, ତାହା ମଧ୍ୟ ବିଜେଡି କର୍ମୀମାନେ ସହରାଞ୍ଚଳ ଭୋଟରମାନଙ୍କୁ ବୁଝାଉଛନ୍ତି। ଅପରପକ୍ଷରେ ବିରୋଧୀ ଯଦି ପୌରରେ ପରାଜୟର ଧାରାରେ ଅଙ୍କୁଶ ଲଗାଇବାରେ ବ୍ୟର୍ଥ ହେବେ ତାହା କେବଳ ଦଳୀୟ କର୍ମୀଙ୍କୁ ନିରୁତ୍ସାହିତ କରିବ ନାହିଁ, ରାଜ୍ୟ ଓ ଜାତୀୟ ନେତାଙ୍କ ପାଇଁ ଚିନ୍ତାର କାରଣ ହେବ। ସେଥିପାଇଁ ବିଜେପି ନେତାଏ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ପଞ୍ଚାୟତ ପରି ଫଳ ହେବ ନାହିଁ ବୋଲି ଘୋଷି ହେଉଛନ୍ତି।

ପୌର ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସର ସ୍ଥିତି ପଞ୍ଚାୟତ ନିର୍ବାଚନ ପରି ହେବ ବୋଲି ଅନେକ ଆକଳନ କରୁଛନ୍ତି। ଦଳୀୟ ନେତୃତ୍ୱ ପୌର ନିର୍ବାଚନକୁ ଆଦୌ ଗୁରୁତ୍ୱ ଦେଉ ନ ଥିବା ଅନେକ ନେତା ଅଭିଯୋଗ କରିଛନ୍ତି। ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ ପୌର ନିର୍ବାଚନ ପାଇଁ ପିସିସି କିମ୍ବା ଏଆଇସିସି ପକ୍ଷରୁ କୌଣସି ସ୍ୱତନ୍ତ୍ର ଆର୍ଥିକ ସହାୟତା ଦିଆଯାଇନାହିଁ। ବହୁ ପୌରାଞ୍ଚଳ ଓ ୩ ମହାନଗର ନିଗମରେ ବିଜେଡି ସହ କଂଗ୍ରେସ ଲଢ଼େଇ ହେବ। ରାଜ୍ୟରେ ବିଜେପିର ଅବସ୍ଥା ଭଲ ନାହିଁ। ତାଙ୍କ ଅବସ୍ଥା ବି କଂଗ୍ରେସ ପରି। ଆମେ ଦ୍ୱିତୀୟ ସ୍ଥାନରେ ରହିଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ରାଉତରାୟ କହିଛନ୍ତି। ଅପରପକ୍ଷରେ ବିଜେଡି ନେତା ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି କହିଛନ୍ତି ଯେ, ବିଜେଡି ବହୁତ ଭଲ ଫଳାଫଳ କରିବ, ଏଥିରେ କୌଣସି ସନ୍ଦେହ କରିବାର ନାହିଁ। ପଞ୍ଚାୟତ ନିର୍ବାଚନ ଅପେକ୍ଷା ଆହୁରି ଭଲ ଫଳାଫଳ ହେବ। ଶତ ପ୍ରତିଶତ ପୌରପାଳିକାରେ ହାତେଇବା ଅସମ୍ଭବ ନୁହେଁ। କାଁ ଭାଁ କୌଣସି ସ୍ଥାନରେ ଟିକିଏ ପ୍ରତିଯୋଗିତା ଦେଖିବାକୁ ମିଳିବ ବୋଲି ଶ୍ରୀ ଶତପଥି କହିଛନ୍ତି। ଅନ୍ୟପକ୍ଷରେ ବିଜେପି ନେତା ବାବୁ ସିଂହ ମହାନଗର ଓ ପୌରାଞ୍ଚଳରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି। ସେ କହିଛନ୍ତି ଯେ ସହରାଞ୍ଚଳରେ ବିଜେପି ଭଲ ପ୍ରଦର୍ଶନ କରିବ। ଫଳ ପ୍ରକାଶ ପରେ ତାହା ସ୍ପଷ୍ଟ ହୋଇଯିବ।

About The Author: The Sakala