ମାଲକାନଗିରି: ବାସ୍ତବ ରୂପ ନେଇଛି ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡିଶା, ସୁଖୀ ଓଡ଼ିଶାର ସ୍ୱପ୍ନ । ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡିଶା ଆଣିଛି ନୂଆ ବିପ୍ଳବ । ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ ଯୋଡ଼ିହୋଇଛି ଆଉ ଏକ ମାଇଲଖୁଣ୍ଟ। ଆଜି ମଧ୍ୟାହ୍ନ ସମୟରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ମାଲକାନଗିରିରେ ପହଞ୍ଚି ଐତିହାସିକ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଜିଲା ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଯାୟୀ ଏହି କାର୍ଡ ବଣ୍ଟନ କରାଯାଇଛି। ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ଜୟପୁର ଆସିବା ପରେ ସେଠାରୁ ହେଲିକପ୍ଟର ଯୋଗେ ମାଲକାନଗିରି ଯାଇ ସ୍ଥାନୀୟ ସଂସ୍କୃତି ଭବନରେ ଏହି କାର୍ଡ ବଣ୍ଟନ କରିଛନ୍ତି। କାର୍ଡ ବଣ୍ଟନ ସରିବା ପରେ ଏନେଇ ଏକ ସଚେତନ ରଥ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସସରରେ ତାଙ୍କ ସହ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ, ନବରଙ୍ଗପୁର ସାଂସଦ ରମେଶ ମାଝୀ, ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ସ୍ଥାନୀୟ ବିଧାୟକ ଓ ବହୁ ମନ୍ତ୍ରୀ, ନେତା, ହିତାଧିକାରୀ ଉପସ୍ଥିତ ଥିଲେ।
ନୂଆ ରୂପରେ ଶୁଭାରମ୍ଭ ହୋଇଥଇବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ୯୬ ଲକ୍ଷ ପରିବାରର ସାଢେ ୩ କୋଟି ପରିବାର ଉପକୃତ ହେବେ। ସ୍ମାର୍ଟ ହେଲଥ କାର୍ଡ ସାଥୀରେ ନେଇ ହସ୍ପିଟାଲକୁ ଗଲେ ସମସ୍ତ ଚିକିତ୍ସା ସୁବିଧା ମିଳିବ। ମା’ ମାନଙ୍କ ଲାଗି ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଥିବା ବେଳ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ରହିଛି । ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଖର୍ଚ୍ଚ କରିବେ। ବଡ ବଡ ହସ୍ପିଟାଲରେ ମଧ୍ଯ ସମସ୍ତଙ୍କୁ ଚିକିତ୍ସା ମିଳିପାରିବ। ସରକାରୀ ହସ୍ପିଟାଲରେ ମଧ୍ୟ କାର୍ଡଧାରୀଙ୍କୁ ଚିକିତ୍ସା ସୁବିଧା ମିଳିବ। ଆଗାମୀ ସେପ୍ଟେମ୍ବର ପହିଲାରୁ ସ୍ମାର୍ଟ ହେଲଥ କାର୍ଡ ଲାଗୁ ହେବ। କାଗଜ ପତ୍ର ପାଇଁ ଆଉ ହଇରାଣ ହେବାକୁ ପଡିବନି। କେବଳ ଏହି ସ୍ମାର୍ଟ କାର୍ଡ ଦେଖାଇ ଆପଣ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି। ସ୍ମାର୍ଟ ହେଲଥ କାର୍ଡରେ ଏକ ଚିପ ରହିବ। ଚିପରେ ହାତିଧିକାରୀଙ୍କ ସମସ୍ତ ତଥ୍ୟ ରହିବ। ଯଦି ହାତିଧିକାରୀ ଦେଇଥିବା ତଥ୍ଯକୁ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ନିକଟସ୍ଥ ସେବା କେନ୍ଦ୍ରରେ ଯାଇ ପରିବର୍ତ୍ତନ କରିପାରିବେ।
ସ୍ମାର୍ଟ କାର୍ଡ ବଣ୍ଟନ ସମୟରେ ମୁଖ୍ଯମନ୍ତ୍ରୀ ନବୀବନ ପଟ୍ଟନାୟ କହିଛନ୍ତି ଯେ, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ବଣ୍ଡା ଜନଜାତି ମହିଳାସ ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ ସ୍ମାର୍ଟ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ରୁ ସ୍ବାସ୍ଥ୍ୟ ସେବାର ଏହି ଐତିହାସିକ ଯାତ୍ରା ଆରମ୍ଭ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସେ ଚାଷୀ ହେଉ ବା ମୂଲିଆ, ଛୋଟ ଦୋକାନୀ ହେଉ, ବା ରିକ୍ସା ବାଲା, ଟ୍ରଲି ବାଲା କିମ୍ବା ଦୂର ଦୂରାନ୍ତରେ ରହୁଥିବା ଜନଜାତି ଭାଇ ଭଉଣୀ, ବା ସାଧାରଣ ଲୋକ, ସେ ଗାଁ ରେ ରହୁ ବା ସହରରେ, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବାଧକ ନ ହେଉ। ସମସ୍ତେ ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ । ପ୍ରତି ପରିବାରର ଉନ୍ନତି ରେ ହିଁ ରାଜ୍ୟର ଉନ୍ନତି ବୋଲି ସେ କହିଥିଲେ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ୧୦ ଲକ୍ଷ ଟଙ୍କାକୁ କିପରି ବୃଦ୍ଧି ହେଲା ସେ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ- “୨୦୧୮ ମସିହାରେ ମାଲକାନଗିରି ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା । ମୁଁ ଲୋକସେବା ଭବନରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ସେ ସଭାରେ ଝିଅଟିଏ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମା ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଲା । ଝିଅ ଟିର ସାହସ ଓ ବୁଦ୍ଧିକୁ ସମସ୍ତେ ସେ ଦିନ ତାରିଫ କରିଥିଲେ । ଝିଅଟି ଥିଲା ଆମ ମାଲକାନଗିରିର ମମତା ପଡିଆମୀ । ତାଙ୍କ ପ୍ରସ୍ତାବଟି ମୋତେ ବହୁତ ଭଲ ଲାଗି ଥିଲା ଏବଂ ମୁଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ଚିକିତ୍ସା ସୁବିଧା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲି ।”
ସ୍ବାସ୍ଥ୍ୟ ସହିତ ଅର୍ଥନୀତିର ନିବିଡ ସଂପର୍କ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ବାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି କୁହାଯାଏ । ତେଣୁ ପରିବାରରେ କେହି ଅସୁସ୍ଥ ହୋଇପଡିଲେ, ଆମର ଚିନ୍ତା ବଢିଯାଇଥାଏ । ସବଠୁ ବଡ ଚିନ୍ତା ଥାଏ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା । ଏଥିପାଇଁ କିଏ ଜମି ବିକିଥାଏ, କିଏ ସୁନା ବିକିଥାଏ, କିଏ ଋଣ କରିଥାଏ। କେହି କେହି ଚିକିତ୍ସା ଖର୍ଚ୍ଚ ପାଇଁ ପିଲାମାନଙ୍କ ପାଠପଢା ମଧ୍ୟ ବନ୍ଦ କରିଦେଇଥାନ୍ତି । କେହି କେହି ମଧ୍ୟ ଧାର କରଜ କରିଥାନ୍ତି ।
“ ଏ ଖବର ମୁଁ ଯେତେବେଳେ ଶୁଣେ, ମୋତେ ବହୁତ ଦୁଃଖ ଲାଗେ। ଆମର ଏହି ସ୍ମାର୍ଟ ହଲଥ କାର୍ଡ ଆପଣଙ୍କର ଏ ଦୁଃଖ ଲାଘବ କରିବ। ଚିକିତ୍ସା ବୋଝ କମ୍ କରିବାରେ ସାହାଯ୍ୟ କରିବ । ଆପଣଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି। ତେଣୁ ଏ ବାବଦ ଟଙ୍କାକୁ ଆପଣ ସଞ୍ଚୟ କରିପାରିବେ। ନିଜ ପିଲାଙ୍କ ପାଠପଢା ପାଇଁ, ପରିବାରର ଉନ୍ନତି ପାଇଁ ଖର୍ଚ୍ଚ କରିପାରିବେ ।”
ରାଜ୍ୟର ସବୁ ସରକାରୀ ହସ୍ପିଟାଲ ଗୁଡିକରେ ସମସ୍ତ ସ୍ବାସ୍ଥ୍ୟ ସେବା ମାଗଣାରେ ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁ ସରକାରୀ ହସ୍ପିଟାଲରେ ଓଡିଶାବାସୀଙ୍କର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଆମର ସରକାରୀ ହସ୍ପିଟାଲରେ ଡ଼ାଇଲିସିସ୍ ଠାରୁ ଆରମ୍ଭ କରି କେମୋ ଥେରାପୀ, ସିଟି ସ୍କାନ, MRI, ବିଭିନ୍ନ ପାଥୋଲୋଜୀ ଟେଷ୍ଟ ସୁବିଧା ମିଳୁଛି। ମୁଁ ବହୁତ ଖୁସି ଯେ ଆମର ଲକ୍ଷ ଲକ୍ଷ ରୋଗୀ ସରକାରୀ ହସ୍ପିଟାଲରେ ଏ ସୁବିଧା ନେଉଛନ୍ତି ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ଓଡ଼ିଶାରେ ସ୍ବାସ୍ଥ୍ୟ ସେବା ବିକାଶ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ମୁଖ୍ୟମନ୍ତ୍ରୀ ସାରା ଦେଶରେ ଆଦର୍ଶ ହୋଇଛନ୍ତି । ଏମ୍ ପି ଶ୍ରୀ ରମେଶ ମାଝି ସ୍ଵାଗତ ଭାଷଣ ଦେଇ ଥିଲେ । କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ଧନ୍ୟବାଦ ଜଣାଇଥିଲେ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ରେ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିବା ମମତା ପତିଆମୀ ମଧ୍ୟ ସଭାରେ ଯୋଗଦେଇ ତାଙ୍କ ମତାମତ ଦେଇ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଭ୍ୟ ବୃନ୍ଦ , ସାଂସଦ ଓ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ।