ମାଲକାନଗିରି: ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ଓ ପୁଲିସ ମଧ୍ୟରେ ଶୁକ୍ରବାର ବଡ଼ଧରଣର ଗୁଳିବିନିମୟ ହୋଇଛି। ଏଥିରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ସଂଘର୍ଷରେ ଏସ୍ଟିଏଫ୍ ଏବଂ ଡିଆରଜିର ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି। ସୂଚନାଯୋଗ୍ୟ ଯେ ଏହାକୁ ମିଶାଇ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୧୩୧ ଦିନ ମଧ୍ୟରେ ୧୦୩ ମାଓବାଦୀ ନିପାତ ହେଲେଣି।
ସୂଚନା ଅନୁଯାୟୀ, ଛତିଶଗଡ଼ ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅନ୍ତର୍ଗତ ପିଡ଼ିଆ ଅଞ୍ଚଳର ଏକ ଜଙ୍ଗଲରେ ଦୁର୍ଦ୍ଦାନ୍ତ ମାଓବାଦୀ ଲିଙ୍ଗା, ପାପାରାଓ ବଡ଼ ନେତା ତାଙ୍କ ୧୦୦ରୁ ଊର୍ଦ୍ଧ୍ବ ସମର୍ଥକଙ୍କ ସହ ଏକ ବୈଠକ କରୁଥିବା ନେଇ ଗୁଇନ୍ଦା ବିଭାଗକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ମାଓବାଦୀମାନେ ବଡ଼ଧରଣର ହିଂସାକାଣ୍ଡ ଭିଆଇବା ସହ ଆଗାମୀ ୧୩ ତାରିଖ ଦିନ ଓଡ଼ିଶା ସୀମାନ୍ତରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମଧ୍ୟ ଟାର୍ଗେଟ କରି ବାଧା ସୃଷ୍ଟି ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ନେଇ ଠୋସ୍ ସୂଚନା ପାଇବା ପରେ ତିନି ଜିଲ୍ଲା ବିଜାପୁର, ଦାନ୍ତେୱାଡ଼ା, ସୁକମାର ଫୋର୍ସ ମିଳିତ ଅଭିଯାନ ଆରମ୍ଭ କରିଥିଲେ। ଡିଆରଜି, ଏସ୍ଟିଏଫ ଏବଂ ସିଆରପିଏଫ୍ର କୋବ୍ରା ବାଟାଲିୟନ ସମେତ ୧୨୦୦ରୁ ଊର୍ଦ୍ଧ୍ବ ଯବାନ ସକାଳୁ ଅଞ୍ଚଳକୁ ଘେରି ରଖିଥିଲେ। ଦୀର୍ଘ ସମୟର ତଲାସୀ ଅଭିଯାନ ପରେ ଯବାନମାନେ ମାଓକ୍ୟାମ୍ପ ନିକଟତର ହେଉଥିବାବେଳେ ମାଓବାଦୀମାନେ ଯବାନଙ୍କୁ ଦେଖି ଗୁଳିମାଡ଼ କରିଥିଲେ। ପରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଜାରି ରହିଥିଲା। ମାଓବାଦୀମାନେ ଲୁଚି ପଳାଇବାକୁ ପ୍ରୟାସ କରୁଥିବା ସତ୍ତ୍ବେ ସୁରକ୍ଷାକର୍ମୀ ମାଓକ୍ୟାମ୍ପକୁ ଘେରାବନ୍ଦୀ କରି ତଲାସୀ ଅଭିଯାନକୁ ଜୋରଦାର କରିଥିଲେ।
ଅଧିକାରୀଙ୍କ ସୂଚନା ଅନୁଯାୟୀ ମାଓବାଦୀଙ୍କ ପଶ୍ଚିମ ଡିଭିଜନ କମିଟି ସହ ଯବାନଙ୍କ ସଂଘର୍ଷ ହୋଇଥିଲା। ଡିଆଇଜି କମଲଲୋଚନ କଶ୍ୟପ କହିଛନ୍ତି ଯେ ମାଓବାଦୀମାନେ ବିଜିଏଲ୍ ମାଡ଼ କରିଥିଲେ। ଜଣେ ଯବାନ ଏହା ସଂସ୍ଫର୍ଶରେ ଆସି ଯାଇଥିଲେ। ସେହିପରି ଅନ୍ୟ ଜଣେ ଯବାନ ଆଇଇଡି ବିସ୍ଫୋରଣରେ ଆହତ ହୋଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ତଲାସୀ ଅଭିଯାନ ଜାରି ରହିଥିବାରୁ କେତେ ମାଓବାଦୀ ନିପାତ ହୋଇଛନ୍ତି ତାହାର ପ୍ରକୃତ ତଥ୍ୟ ଆସିନାହିଁ। ଟିମ୍ ଫେରିବା ପରେ ସଠିକ୍ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।