ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣକୁ ନେଇ ବଡ଼ ଖବର : ସାମିଲ ହୋଇପାରନ୍ତି ୨ ମହିଳା, ଟାଣୁଆ ନେତା ହରାଇପାରନ୍ତି ମନ୍ତ୍ରୀ ପଦ

ଭୁବନେଶ୍ୱର : କାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପରେ ଯେକୌଣସି ଦିନ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇପାରେ। ଏସମ୍ପର୍କରେ ଆପାତତଃ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି ଓ କେବଳ ତାରିଖ ଘୋଷଣା ବାକି ଅଛି।ମୁଖ୍ୟମନ୍ତ୍ରୀ ନିଜର ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନିମନ୍ତେ ଚୂଡ଼ାନ୍ତ ପ୍ରସ୍ତୁତି କରିଛନ୍ତି ଏବଂ ସମ୍ଭାବ୍ୟ ମନ୍ତ୍ରୀ ଓ ବିଭାଗର ନକ୍ସା ପ୍ରସ୍ତୁତ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପ୍ରତି ଲୋକସଭା କ୍ଷେତ୍ରକୁ ଗୋଟିଏ ମନ୍ତ୍ରୀ ବା ଅନୁରୂପ ପାହ୍ୟାର ପଦ ଦେବା ନିମନ୍ତେ ମୋହନ […]

ଭୁବନେଶ୍ୱର : କାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପରେ ଯେକୌଣସି ଦିନ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇପାରେ। ଏସମ୍ପର୍କରେ ଆପାତତଃ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି ଓ କେବଳ ତାରିଖ ଘୋଷଣା ବାକି ଅଛି।ମୁଖ୍ୟମନ୍ତ୍ରୀ ନିଜର ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନିମନ୍ତେ ଚୂଡ଼ାନ୍ତ ପ୍ରସ୍ତୁତି କରିଛନ୍ତି ଏବଂ ସମ୍ଭାବ୍ୟ ମନ୍ତ୍ରୀ ଓ ବିଭାଗର ନକ୍ସା ପ୍ରସ୍ତୁତ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପ୍ରତି ଲୋକସଭା କ୍ଷେତ୍ରକୁ ଗୋଟିଏ ମନ୍ତ୍ରୀ ବା ଅନୁରୂପ ପାହ୍ୟାର ପଦ ଦେବା ନିମନ୍ତେ ମୋହନ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଲେ ୨୦ ମନ୍ତ୍ରୀ, ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପରି ମନ୍ତ୍ରୀ ପାହ୍ୟାଗୁଡ଼ିକୁ ସମାନୁପାତିକ ଭାବରେ ବଣ୍ଟନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ମୋହନଙ୍କ ଏହି ପ୍ରସ୍ତାବକୁ ଦଳର ଶୀର୍ଷ ନେତୃତ୍ୱ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ‘ମନ୍ତ୍ରୀସୂତ୍ର’କୁ ଦଳର କିଛି ଛାମୁଆଁ ନେତା ପସନ୍ଦ କରୁନଥିବା ସୂଚନା ମିଳିଛି। ଏପରିକି ଗୋଟିଏ ସଂସଦୀୟ କ୍ଷେତ୍ରରୁ ରହିଥିବା ଏକାଧିକ ମନ୍ତ୍ରୀଙ୍କ ମଧ୍ୟରୁ କେହି ନା କେହି ବାଦ ପଡ଼ିବାର ଆଶଙ୍କା ଥିବାରୁ ଦଳରେ ଅସନ୍ତୋଷ ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ସର୍ବାଧିକ ୨୨। ରାଜ୍ୟ ବିଜେପିର ସାଂଗଠନିକ ସଂରଚନା, ଜିଲ୍ଲା ତଥା ସଂସଦୀୟ କ୍ଷେତ୍ରୱାରୀ ବିଚାରକୁ ନେଲେ ମୋହନ ସୂତ୍ର ଫିଟ ବସୁନାହିଁ। ଏମିତି ହେଲେ ବହୁ ଟାଣୁଆ ନେତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିପାରେ। ଏହାକୁ ନେଇ ଦଳର ଏକ ବଡ଼ ଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଶୀର୍ଷ ନେତୃତ୍ୱ ଏହି ଅସନ୍ତୋଷକୁ କିପରି ପ୍ରଶମିତ କରୁଛନ୍ତି, ସେନେଇ ଉତ୍କଣ୍ଠା ପ୍ରକାଶ ପାଇଛି।
ଗତବର୍ଷ ରଥଯାତ୍ରା ବେଳେ ବ୍ୟାପକ ଅବ୍ୟବସ୍ଥା, ବଡ଼ଠାକୁର ରଥ ଉପରେ ପଡ଼ିଯିବା ଭଳି ବଡ଼ ବିଭ୍ରାଟ ଏବଂ ତତ୍କାଳୀନ ରାଜ୍ୟପାଳଙ୍କ ପୁଅ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ ଖୁବ୍‌ ବିବାଦୀୟ ହୋଇ ପଡ଼ିଥିଲେ ରାଜ୍ୟ ସରକାର। ତେଣୁ ଚଳିତ ରଥଯାତ୍ରା ସମୟରେ ରଥଯାତ୍ରାକୁ ଶୃଙ୍ଖଳିତ ଢଙ୍ଗରେ ଆୟୋଜିତ କରିବାକୁ ସରକାର ପୂରା ଜୋର୍‌ ଲଗାଇ ଦେଇଥିବା ବେଳେ ଘୋଷଯାତ୍ରା ମଝିରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରି ରିସ୍କ ନେବାକୁ ଚାହୁଁନାହାନ୍ତି।

ଘୋଷଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବା ପରେ ହିଁ ମୁଖ୍ୟମନ୍ତ୍ରୀ ନିଜ ଟିମର ସମ୍ପ୍ରସାରଣ କରିବେ। ସମ୍ପ୍ରସାରଣ ପାଇଁ ଗତ ୨ ମାସ ଧରି ମନ୍ତ୍ରିମଣ୍ଡଳର ପ୍ରତିଟି ମନ୍ତ୍ରୀଙ୍କର କାର୍ଯ୍ୟଦକ୍ଷତାକୁ ତନ୍ନ ତନ୍ନ କରି ପରଖା ଯାଇଛି। ତେବେ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟଙ୍କ କାର୍ଯ୍ୟଦକ୍ଷତାକୁ ନେଇ ମୁଖ୍ୟମନ୍ତ୍ରୀ ଅସୁଖୀ ଥିବା କୁହାଯାଉଥିବା ବେଳେ ୨ରୁ ୩ ଜଣ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିବା ଏକପ୍ରକାର ନିଷ୍ପତ୍ତି ସରିଛି। ଏହାସହ ମନ୍ତ୍ରିମଣ୍ଡଳରେ ଯେପରି ଜିଲ୍ଲାୱାରୀ ପ୍ରତିନିଧିତ୍ୱ ସଂଖ୍ୟା ଅଧିକ ରହିବ, ସେନେଇ ମୁଖ୍ୟମନ୍ତ୍ରୀ ଯଥେଷ୍ଟ ଉଦ୍ୟମ କରିଛନ୍ତି।

ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତିକୁ ନେଇ ଦଳର ଅନ୍ୟ ଏକ ଗୋଷ୍ଠୀର ଯୁକ୍ତି ହେଉଛିି ଯେ ଏପରି ହେଲେ ଗଞ୍ଜାମ, ବଲାଙ୍ଗୀର, ମୟୂରଭଞ୍ଜ ଜିଲ୍ଲା ପ୍ରଭାବିତ ହେବ। ଏହି ଜିଲ୍ଲାଗୁଡ଼ିକରୁ ଏକାଧିକ ମନ୍ତ୍ରୀ ରହିଛନ୍ତି। ସେହିପରି ଏହି ନୀତି କାର୍ଯ୍ୟକାରୀ ହେଲେ ମନ୍ତ୍ରିମଣ୍ଡଳରେ ଦକ୍ଷତା, ଆନୁଗତ୍ୟ ସଠିକ୍‌ ଭାବେ ପ୍ରତିନିଧିତ୍ୱ ମିଳିପାରିବ ନାହିଁ। ତେଣୁ ଶୀର୍ଷ ନେତୃତ୍ୱ ଆଉଥରେ ନିଜ ନିଷ୍ପତ୍ତିର ପୁନଃର୍ବିାଚର କରିବା ଉଚିତ୍‌ ବୋଲି ଉକ୍ତ ଗୋଷ୍ଠୀ ଦାବି କରୁଛି। ଏହାସହ ସମ୍ପ୍ରସାରଣରେ ନିଜ ନାମ ଯୋଡ଼ିବା ପାଇଁ ଶେଷ ମୁହୂର୍ତ୍ତରେ ମଧ୍ୟ କେତେକ ବିଧାୟକ ନିଜ ନିଜ ଗୋଷ୍ଠୀର ମୁଖିଆଙ୍କ ନିକଟରେ ଶରଣ ପସିଥିବା ଶୁଣାଯାଉଛି। ତେବେ ଶୀର୍ଷ ନେତୃତ୍ୱ ସ୍ତରରେ ନିଷ୍ପତ୍ତି ପରିବର୍ତ୍ତନ ସମ୍ଭାବନା କ୍ଷୀଣ ଏବଂ ମନ୍ତ୍ରିମଣ୍ଡଳ ଆପାତତଃ ଚୂଡ଼ାନ୍ତ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ପ୍ରଦାନ କରିଛନ୍ତି। ଅପରପକ୍ଷେ ମିଳିଥିବା ସୂଚନା ଅନୁଯାୟୀ ସମ୍ପ୍ରସାରଣରେ ମୁଖ୍ୟମନ୍ତ୍ରୀ ୨ ଜଣ ମହିଳାଙ୍କୁ ନିଜ ଟିମରେ ସାମିଲ କରିପାରନ୍ତି। ସେହିପରି କେନ୍ଦ୍ରାପଡା, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ବରଗଡ଼, କୋରାପୁଟ ଆଦି ସଂସଦୀୟ କ୍ଷେତ୍ରକୁ ମନ୍ତ୍ରିମଣ୍ଡଳରେ ଅଧିକ ପ୍ରତିନିଧିତ୍ୱ ମିଳିପାରେ ବୋଲି ଜଣାପଡ଼ିଛି।

About The Author: The Sakala