ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କଲେ ପତ୍ନୀ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କଲେ ବିଦ୍ୟାଭାରତୀ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ପତ୍ନୀ ଦ୍ୟାଭାରତୀ ପଣ୍ଡା ପାରଳାଖେମୁଣ୍ଡି ସ୍ଥିତ ଏସଡିଜେଏମ (SDJM) କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟରେ ଆଗୁଆ ଜାମିନନ ଆବେଦନ ଖାରଜ ପରେ ଆତ୍ମସମର୍ପଣ କରିଛନ୍ତି। 

ଏହି ଚର୍ଚ୍ଚିତ ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ଡିଭିଜନାଲ ଫରେଷ୍ଟ ଅଫିସର (DFO) ସଂଗ୍ରାମ କେଶରୀ ବେହେରା ପୂର୍ବରୁ କୋର୍ଟରେ ଆତ୍ମସମର୍ପଣ କରିଥିବା ବେଳେ ରୋଷେୟା ମନ୍ମଥ କୁମ୍ଭଙ୍କୁ ପୋଲିସ ଗିରଫ କରିଥିଲା। ବର୍ତ୍ତମାନ ଏହି ଦୁଇଜଣ ପାରଳାଖେମୁଣ୍ଡି ଜେଲରେ ରହିଛନ୍ତି। ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ ପରେ ଏବେ ଏହି ମାମଲା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି।  

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୩୧ ତାରିଖରେ ଓଡ଼ିଶା ହାଇକୋର୍ଟ ବିଦ୍ୟାଭାରତୀ ପଣ୍ଡାଙ୍କ ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହାପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟ ମଧ୍ୟ ତାଙ୍କର ଏସଏଲପି (SLP) କୁ ଖାରଜ କରିଦେଇଥିଲେ। କ୍ରିମିନାଲ ପ୍ରୋସିଡିଂ ଜାରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ତାଙ୍କ ପାଖରେ ଆତ୍ମସମର୍ପଣ କରିବା ବ୍ୟତୀତ ଅନ୍ୟ କୌଣସି ପନ୍ଥା ନଥିଲା।  

୨୦୨୧ ଜୁଲାଇ ମାସରେ ପାରଳାଖେମୁଣ୍ଡି ସ୍ଥିତ ନିଜ ସରକାରୀ ବାସଭବନରେ ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟଜନକ ଭାବେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସୌମ୍ୟରଞ୍ଜନଙ୍କ ପିତା ଅଭିରାମ ମହାପାତ୍ର ହତ୍ୟା ଅଭିଯୋଗ ଆଣିବା ସହ ବିଦ୍ୟାଭାରତୀ, ତତ୍କାଳୀନ ଡିଏଫଓ ଏବଂ ରୋଷେୟାଙ୍କ ବିରୋଧରେ ଏତଲା ଦେଇଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

About The Author: Madhusudan Das