ବ୍ରହ୍ମପୁର: ବ୍ରହ୍ମପୁର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇଛି ଦେଶୀବେହେରା ସାହି। ସଜେଇ ହୋଇଛି ଅସ୍ଥାୟୀ ମଣ୍ଡପ। ଅପେକ୍ଷା କରିଛନ୍ତି ଶହସ୍ରାଧିକ ଶ୍ରଦ୍ଧାଳୁ। ମା’ ଆସିବେ, ଅସ୍ଥାୟୀ ମଣ୍ଡପରେ ସମସ୍ତଙ୍କୁ ଦର୍ଶନ ଦେବେ। ସେହି ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା। ମଙ୍ଗଳବାର ମଧ୍ୟରାତ୍ରିରେ ମା’ ସାଆନ୍ତାଣୀ ବାପଘରକୁ ଆସିବାକୁ ଥିବାବେଳେ କେଉଁ ରାସ୍ତା ଦେଇ ସେ ସ୍ୱ-ମନ୍ଦିରରୁ ଅସ୍ଥାୟୀ ମଣ୍ଡପକୁ ଆସିବେ ସେନେଇ ନକ୍ସା ପ୍ରସ୍ତୁତ ହୋଇଛି। ଯେଉଁ ରାସ୍ତା ଦେଇ ଦେଶୀବେହେରା, ଶ୍ରଦ୍ଧାଳୁ, ସହରବାସୀ ଶୋଭାଯାତ୍ରାରେ ମା’ଙ୍କୁ ନିମନ୍ତ୍ରଣ ପାଇଁ ଯିବେ ମା’ ସେହି ରାସ୍ତା ଦେଇ ଅସ୍ଥାୟୀ ମଣ୍ଡପକୁ ଆଗମନ କରିବେ ବୋଲି ଯାତ୍ରାର ମୁଖ୍ୟ ପରିଚାଳକ ପି. ଦୁର୍ଗାପ୍ରସାଦ ଦେଶୀବେହେରା କହିଛନ୍ତି।
ଏହି ରାତିରେ ଦେଶୀବେହେରା ବାଜା ବାଜଣା, ପରଭା, ଶଙ୍ଖ, ଭେରିତୂରୀ ସହ ପଟୁଆରରେ ବାହାରି ନଡ଼ିଆ ଗୁର୍ଜି, ଖାସ୍ପା ସାହି, ପୁଡ଼ି ପେଦାଭାରୀ ସାହି ଓ ଖଡ଼ୁରା ସାହି ଦେଇ ବୁଢ଼ୀ ଠାକୁରାଣୀ ମନ୍ଦିର ଯିବେ। ସେଠାରେ ମା’ଙ୍କ ନୀତିକାନ୍ତି ସମ୍ପନ୍ନ ହେବ। ଦେଶୀବେହେରା ଦମ୍ପତି ମା’ଙ୍କୁ ନିମନ୍ତ୍ରଣ କରିବେ। ବୁଢ଼ୀ ଠାକୁରାଣୀଙ୍କ ନିକଟରେ ଅଧିଆ ପଡ଼ିବେ। ମା’ଙ୍କ ଆଜ୍ଞାମାଳ ମିଳିବା ପରେ ସମ୍ମିଳିତ ଶ୍ରଦ୍ଧାଳୁ ବିରାଟ ପଟୁଆରରେ ସେହି ରାସ୍ତା ଦେଇ ପୁଣି ଦେଶୀବେହେରା ସାହି ଆସିବେ। ମଙ୍ଗଳବାର ମଧ୍ୟରାତ୍ରରେ ମା’ ଆସିବାକୁ ଥିଲେ ହେଁ ବୁଧବାର ସକାଳେ ହିଁ ଯାତ୍ରା ଆରମ୍ଭ ହେଲା ବୋଲି ଧରାଯିବ। ସୋମବାର ଅସ୍ଥାୟୀ ମଣ୍ଡପ ସାମ୍ନାରେ ଛାମୁଣ୍ଡିଆ ଉପରେ ନଡ଼ିଆ ବାହୁଙ୍ଗା ପଡ଼ିବା ସହ ସୁନ୍ଦର ଭାବେ ଏଗୁଡ଼ିକୁ ଚାରିପଟୁ ଆଚ୍ଛାଦିତ କରାଯାଇଛି। ମଙ୍ଗଳବାର ସକାଳେ ଆଲୋକୀକରଣ ବ୍ୟବସ୍ଥା ହେବ। ପୂର୍ବାହ୍ନରେ ଗୋବର ଲିପାଯିବା ସହ ଝୋଟି ପଡ଼ିବ। ମା’ଙ୍କୁ ଆମନ୍ତ୍ରଣ ପାଇଁ ଆବଶ୍ୟକ ପ୍ରସ୍ତୁତି ଓ ପୂଜାପାଠ କରାଯିବ ବୋଲି ପି. ଦୁର୍ଗାପ୍ରସାଦ ଦେଶୀବେହେରା କହିଛନ୍ତି।