ବରଗଡ଼/ ବଲାଙ୍ଗିର : ଧାନକିଣାକୁ ନେଇ ପଶ୍ଚିମ ଓଡ଼ିଶାରେ ବିଚିତ୍ର ପରିସ୍ଥିତି ଦେଖିବାକୁ ମିଳିଛି। ବିଶେଷ କରି ବରଗଡ଼ ଏବଂ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଅଜବ ଅବସ୍ଥା ଦେଖିବାକୁ ମିଳୁଛି। କେଉଁଠି ମୋଟେ ଧାନ ନ ଥିବା ବେଳେ କେଉଁଠି ଗଦା ହୋଇଥିବା ଧାନ ଏଯାବତ୍ ଉଠିନାହିଁ। ଏଫଏକ୍ୟୁ ନାଁରେ ଗ୍ରେନ୍ ଆନାଲାଇଜର ମେସିନ ଲଗାଇ ଧାନ ପରୀକ୍ଷା ବାହାନାରେ ଚାଷୀଙ୍କୁ ଅଯୋଗ୍ୟ ଧାନ କହି ଡରାଉଛନ୍ତି। ଫଳରେ ଚାଷୀ ଆଉ ମଣ୍ଡିକୁ ଧାନ ନ ଆଣି ସିଧାସଳଖ ମଧ୍ୟସ୍ଥି ସାହାଯ୍ୟରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ଦଲାଲଙ୍କୁ ବିକ୍ରି କରୁଛନ୍ତି। ବଲାଙ୍ଗିର ଜିଲ୍ଲାରେ ଧାନ ବିକ୍ରି ସହିତ ଚାଷୀଙ୍କୁ ବସ୍ତା ଚିନ୍ତା ଘାରିଛି। କେବଳ ଅଖା ବସ୍ତାରେ ହିଁ ଧାନ ନିଆଯିବ ବୋଲି ନିୟମ କରାଯାଇଥିବାରୁ ଚାଷୀମାନେ ଅଡ଼ୁଆରେ ପଡ଼ିଯାଇଛନ୍ତି। ଅସହାୟ ଅବସ୍ଥାରେ ପଡ଼ିଥିବା ଚାଷୀଙ୍କୁ ସହାୟତା କରିବା ଲାଗି କେହି ପ୍ରଶାସନିକ ଅଧିକାରୀ ଆଗକୁ ଆସୁନଥିବାରୁ ସେମାନେ ଉଦବେଗ ପ୍ରକାଶ କରିଛନ୍ତି।
ବରଗଡ଼ରୁ ମିଳିଥିବା ରିପୋର୍ଟ ଅନୁଯାୟୀ କଟନିଛଟନୀ ନାଁରେ ମିଲରମାନେ ଶୋଷଣ କରୁଥିବାରୁ ଚାଷୀମାନେ ଦଲାଲଙ୍କ ହାବୁଡ଼ରେ ପଡ଼ିଯାଇଛନ୍ତି। ମଧ୍ୟସ୍ଥିଙ୍କ ଜରିଆରେ ସେମାନେ ଧାନ କିଣୁଛନ୍ତି। କିଛି ମଣ୍ଡିରେ ମଧ୍ୟସ୍ଥିମାନେ କୁଇଣ୍ଟାଲ ପ୍ରତି ୧୫୦/୨୦୦ ଟଙ୍କା ନେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ମାସେ ହେବ ଧାନକିଣା ଆରମ୍ଭ ହୋଇଥିଲେ ମଧ୍ୟ ମଣ୍ଡି ସମସ୍ୟା ଯୋଗୁଁ ଚାଷୀମାନେ ପ୍ରଶାସନିକ ଅବ୍ୟବସ୍ଥାକୁ ଦାୟୀ କରୁଛନ୍ତି। ବିଗତ ବର୍ଷମାନଙ୍କରେ ରେଶମ, ପଧାନପାଲି,ସାଲେପାଲି, ସିହେନପାଲି, ହାତୀପାଲି, କୁବେଡେଗା, ସହରାଟିକ୍ରା, ତୁଳଣ୍ଡି, ସତଲମା, କୁମ୍ଭାରୀ, ବରା ଆଦି ମଣ୍ଡିରେ ଚାଷୀମାନେ ଠିକ ଧାନ ଆଣି ଦଲାଲମୁକ୍ତ ଏବଂ କଟନୀ ବିହୀନ ଧାନ ବିକ୍ରି କରୁଥିଲେ। କିନ୍ତୁ ଚଳିତବର୍ଷ ସେହି ମଣ୍ଡିରେ ସେହି କ୍ୱାଲିଟିର ଧାନ ଆଣିଥିଲେ ମଧ୍ୟ ଆନାଲାଇଜର ଭୟ ଦେଖାଇ ଚାଷୀମାନଙ୍କୁ ହଇରାଣ କରାଯାଉଛି। ଚାଷୀମାନେ ଏହାର ପ୍ରତିବାଦ ଜଣାଇ ଆନ୍ଦୋଳନ ଆରମ୍ଭ କଲେଣି। କୁବେଡେଗା ଚାଷୀମାନେ ଭେଡେନ ତହସିଲଦାରଙ୍କୁ ଆଜି ସୁଦ୍ଧା ସମସ୍ତ ଧାନ ନ ଉଠିଲେ ବରଗଡ଼ ଭେଡେନ ରାସ୍ତାରେ ଧାନ ପକାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।
ବଲାଙ୍ଗିର ଜିଲ୍ଲାରେ ଗତ ୨ ତାରିଖରୁ ଧାନକିଣା ଆରମ୍ଭ ହୋଇଥିବାବେଳେ ୧୫ ଦିନ ପରେ ବି ସ୍ୱାଭାବିକ ଭାବେ ଧାନକିଣା ଆରମ୍ଭ ହୋଇନାହିଁ। ଜିଲ୍ଲାର ୧୭୬ ମଣ୍ଡିରୁ ୫୦ ରୁ ଅଧିକ ମଣ୍ଡିରେ ଧାନକିଣା ଆରମ୍ଭ ହୋଇ ନ ଥିବାବେଳେ ଅନେକ ସ୍ଥାନରେ ଚାଷୀମାନେ ମଣ୍ଡି ବିଧିବ୍ୟବସ୍ଥା ଭୟରେ ଧାନ ଆଣୁ ନ ଥିବା ଅଭିଯୋଗ ହୋଇଛି। ଚଳିତ ଖରିଫରେ ଧାନର ମାନ ନିର୍ଦ୍ଧାରଣ, ଧାନ ରଙ୍ଗ, ଆର୍ଦ୍ରତା ମାପ ପାଇଁ କଡ଼ା ବ୍ୟବସ୍ଥା କରାଯାଇଥିବା ବେଳେ ଅନେକ ମଣ୍ଡିରେ କଟ୍ନି ଛଟ୍ନି ଆରମ୍ଭ ହୋଇଛି। ଏହି ସବୁ ଭିତରେ କିନ୍ତୁ ଚାଷୀଙ୍କ ପାଇଁ ବଡ଼ ସମସ୍ୟା ସାଜିଛି ଅଖାବସ୍ତା ସମସ୍ୟା।
ବିଭିନ୍ନ ମଣ୍ଡିକୁ ଧାନ ଆଣିଥିବା ଚାଷୀମାନଙ୍କ କହିବା ଅନୁସାରେ ସେମାନେ ପଲିଥିନ ବସ୍ତାରେ ବହୁ ପୂର୍ବରୁ ଧାନ ଭର୍ତ୍ତି କରି ରଖିଥିଲେ। ବର୍ତ୍ତମାନ ମଣ୍ଡିକୁ ଆସିବା ପରେ ମଣ୍ଡି କର୍ମଚାରୀମାନେ ଅଖା ବସ୍ତାଦେଇ ସମସ୍ତ ଧାନକୁ ପୁଣିଥରେ ଅଖାବସ୍ତାରେ ଭର୍ତ୍ତି କରିବା ପାଇଁ କହୁଛନ୍ତି। ପୂର୍ବରୁ ଧାନ ଭରିବା ସମୟରେ ଶ୍ରମିକ ଖର୍ଚ୍ଚ ହାତରୁ ସେମାନେ ଦେଇଥିବା ବେଳେ ଏବେ ପୁଣିଥରେ ଶ୍ରମିକ ଖର୍ଚ୍ଚ ବାବଦକୁ ଟଙ୍କା ଦେଇଛନ୍ତି। ଯେଉଁବସ୍ତା ଗୁଡିକ ମଣ୍ଡରୁ ଦିଆଯାଉଛି ସେହି ବସ୍ତା ଗୁଡିକର ଅବସ୍ଥା ନାହିଁ। ଯୁଆଡେ ଦେଖିଲେ ବସ୍ତା ଫାଟି ଆଁ କରିଛି। ଯଦି ସେହିଭଲି ବସ୍ତାରେ ଧାନ ଭରି ଆଣିବୁ ତେବେ ଧାନ କେମିତି ରହିବ।
ଅନ୍ୟପକ୍ଷରେ କିଛି ଦିନ ତଳେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବଲାଙ୍ଗିରର ବିଭିନ୍ନ ପାକ୍ସ ବୁଲିଥିଲେ। ସେ ଚାଷୀ ମାନଙ୍କ ସହ ଆଲୋଚନା କରିବା ପରେ ବସ୍ତା ସମସ୍ୟା ବିଷୟରେ ଅବଗତ ହୋଇଥିଲେ ଓ ମିଲରମାନଙ୍କୁ ପଲିଥିନ ବସ୍ତାର ଧାନ ମଧ୍ୟ ଗ୍ରହଣ କରିବାକୁ କହିବେ ବୋଲି ମତ ରଖିଥିଲେ। ତେବେ ସତରେ ସେ ମିଲରଙ୍କ ସହ ଏନେଇ ଆଲୋଚନା କରିଛନ୍ତି ନା ଚାଷୀ ମାନଙ୍କ ମନ ରଖିବା ପାଇଁ ଏକଥା କହିଛନ୍ତି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି।