ବାଲେଶ୍ୱର: ଲଗାଣ ବର୍ଷା ହେଲା କାଳ, କାନ୍ଥ ଭୁଶୁଡ଼ି ଚାଲିଗଲା ଆଈ ଓ ନାତିଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବନ୍ୟା ପ୍ରଭାବିତ ଜଳେଶ୍ୱର ଅଞ୍ଚଳରେ ଘଟିଛି ଏପରି ଏକ ହୃଦୟ ବିଦାରକ ଘଟଣା। କପାସୁଡ଼ା ଗ୍ରାମରେ ଶୋଇଥିବା ଅବସ୍ଥାରେ ଏକ ପଡ଼ୋଶୀ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଆଈ ଓ ନାତିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଅଘଟଣରେ ନାତୁଣୀ ଗୁରୁତର ଆହତ ହୋଇଥିବା ବେଳେ ପରିବାରର ଅନ୍ୟ ୩ ଜଣ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୯:୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସ୍ୱର୍ଗତ ନରେନ୍ଦ୍ର ଜେନାଙ୍କ ପତ୍ନୀ ରାଧିକା ଜେନା (୬୫), ତାଙ୍କ ନାତି ଜ୍ୟୋତି ପ୍ରକାଶ ସ୍ୱାଇଁ (୧୮) ଏବଂ ନାତୁଣୀ ସ୍ମୃତି ରେଖା ସ୍ୱାଇଁ (୧୮) ଘରର ଦ୍ୱାର ନିକଟରେ ଶୋଇଥିଲେ। ହଠାତ୍ ପଡ଼ୋଶୀ ବଂଶୀଧର ଜେନା ଏବଂ ଗଙ୍ଗାଧର ଜେନାଙ୍କ ଘରର କାନ୍ଥ ରାଧିକାଙ୍କ ଆଜବେଷ୍ଟସ୍ ଛାତ ଉପରେ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ରାଧିକା ଏବଂ ଜ୍ୟୋତି ପ୍ରକାଶଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଏହି ଘଟଣା ପରିବାର ଉପରେ ଦୁଃଖର ପାହାଡ଼ ଖସାଇ ଦେଇଛି। ବିଶେଷ କରି ମୃତ ଜ୍ୟୋତି ପ୍ରକାଶ ଏବଂ ଗୁରୁତର ଆହତ ସ୍ମୃତି ରେଖା ଥିଲେ ଜାଆଁଳା ଭାଇଭଉଣୀ। ଘଟଣା ସମୟରେ ଘର ଭିତରେ ରାଧିକାଙ୍କ ପୁଅ ଉତ୍ତମ (୩୧), ବୋହୂ ଦେବୀରାଣୀ (୨୫) ଏବଂ ଦୁଇ ନାତୁଣୀ ଅନନ୍ୟା (୫) ଓ ଆରାଧ୍ୟା (୨ ମାସ) ମଧ୍ୟ ଶୋଇଥିଲେ। କାନ୍ଥ ଭୁଶୁଡ଼ିବା କାରଣରୁ ଉତ୍ତମ ଏବଂ ଦୁଇ ମାସର ଶିଶୁ କନ୍ୟା ଆରାଧ୍ୟା ମଧ୍ୟ ଆହତ ହୋଇଛନ୍ତି। ଘରର ସମସ୍ତ ଆସବାବପତ୍ର ମାଟି ଅତଡ଼ା ତଳେ ଚାପି ହୋଇ ନଷ୍ଟ ହୋଇଯାଇଛି।
ଖବର ପାଇ ଜଳେଶ୍ୱର ବିଡିଓ ଗୌରାଙ୍ଗ ଚରଣ ଘୋଷଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଏବଂ ରାଜନୈତିକ ନେତାମାନେ ଜିକେ ଭଟ୍ଟର ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଗୁରୁତର ଆହତ ନାତୁଣୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।