ଚନ୍ଦନେଶ୍ୱର: ଜମିଜମା ବିବାଦକୁ ନେଇ ଗୋଟିଏ ପରିବାର ଭିତରେ ଲଙ୍କାକାଣ୍ଡ । ରାଗ ସୁଝାଇବା ନେଇ ସ୍କୁଲକୁ ଯାଉଥିବା ବେଳେ ନାବାଳିକା ଝିଆରୀକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରି ଏକ ଲୁହା ରୋଡ଼ରେ ପିଟିଲା କାକା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଶଙ୍ଖାରି ପଞ୍ଚାୟତ ଭୂୟାଁସାହି ନାଫରାଇ ଗ୍ରାମରେ।
ଅଭିଯୋଗ ଅନୁଯାୟୀ, ମମତା ଭୂୟାଁଙ୍କ ଘରକୁ ଯିବା ରାସ୍ତାକୁ ନେଇ ଆଜକୁ କିଛି ଦିନ ହେବ ତାଙ୍କ ଦିଅର ଶଙ୍କର ଭୂୟାଁ ସହିତ ଗଣ୍ଡଗୋଳ ଲାଗିରହିଥିବା ବେଳେ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କୁ ନେଇ ଉଭୟଙ୍କ ଭିତରେ ସମାଧାନ ହୋଇଥିଲା । ମଙ୍ଗଳବାର ସକାଳେ ପ୍ରାୟ ୬ଟା ସମୟରେ ମମତାଙ୍କ ନାବାଳିକା ଝିଅ ସେଇ ରାସ୍ତା ଦେଇ ସ୍କୁଲକୁ ଯାଉଥିବା ବେଳେ କାକା ଶଙ୍କର ଭୂୟାଁ ଝିଆରୀକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରି ତଣ୍ଟି ଚିପି ତଳେ କଚାଡ଼ି ଏକ ଲୁହା ରୋଡ଼ରେ ଗୋଡ଼ ଓ ହାତରେ ମାଡ଼ ରକ୍ତାକ୍ତ କରି ଦେଇଥିଲେ।ନାବାଳିକା କୁନି ଝିଅଟି ଚିତ୍କାର କରିବାରୁ ମାଆ ମମତା ଦୌଡି ଆସି ଦିଅର ଶଙ୍କର କବଳରୁ ଝିଅକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିଲା। ଦିଅର ଶଙ୍କରର ଲୁହା ରୋଡ଼ ମାଡ଼ରେ ଭାଉଜ ମମତାଙ୍କ ମୁଣ୍ଡରେ ଗଭୀର ଆଘାତ ହେବା ପରେ ସେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବାରୁ ଘଟଣା ସାମାନ୍ୟ ଶାନ୍ତ ପଡିଥିଲା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେହି ଗ୍ରାମର କିଛି ଲୋକଙ୍କ ସହଯୋଗରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମମତା ଓ ନାବାଳିକା ଝିଅ ପହଞ୍ଚି ଚିକିତ୍ସା ହେବା ସହିତ ଏନେଇ ଚନ୍ଦନେଶ୍ୱର ପୁଲିସ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଫାଣ୍ଡି ଅଧିକାରୀ ବିଶ୍ୱନାଥ କର ଘଟଣାର ତଦନ୍ତ କରୁଥିବା ଜଣା ପଡ଼ିଛି।