ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ସୁନ୍ଦରପୁର ଅଞ୍ଚଳରେ ମୋରମ ମାଫିଆଙ୍କ ଆତଙ୍କରାଜ । କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆଙ୍କ ସଂଘବନ୍ଧ ଆକ୍ରମଣ । ଚଢାଉ ବେଳେ ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିବା ସହ ହତ୍ୟା ଧମକ ଦେଲେ ମୋରମ ମାଫିଆ । ଆକ୍ରମଣ ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା କୁପାରି ଅଞ୍ଚଳରେ ମୋରମ୍ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଖବର ପାଇ ଖଇରା ଜୁନିୟର ମାଇନିଂ ଅଧିକାରୀ ଅଭିଷେକ ବେହେରା ଓ ୨ଜଣ ପୋଲିସ୍ କର୍ମଚାରୀ ଚାଢାଉ କରିଥିଲେ। ଏହି ସମୟରେ ସୁନ୍ଦରପୁର ଛକ ନିକଟରେ ଅଧିକାରୀଙ୍କ ଗାଡିକୁ ପଥର ଫିଙ୍ଗିବା ସହ ଗାଡିକୁ ଅଟକାଇ ଗାଡ଼ିର କାଚ ଭାଙ୍ଗିବା ସହ ଆକ୍ରମଣ କରିଥିଲେ। ଅଧିକାରୀ ନିଜକୁ ବଞ୍ଚାଇବାକୁ ଗାଡ଼ିଟିକୁ ନେଇ ସିଧା ଖଇରା ଥାନାକୁ ଆସିଥିଲେ। ମୋରମ୍ ମାଫିଆ ମାନେ ପଛେ ପଛେ ଆସି ଥାନା ସମ୍ମୁଖରେ ଅଧିକାରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ପଳାଇ ଯାଇଥିଲେ।