ବାଲେଶ୍ଵର: ସ୍ବାମୀ ବଞ୍ଚିଥିବା ବେଳେ ଦୁହେଁ ସ୍ବାମୀ ସ୍ତ୍ରୀ ଏକାସାଙ୍ଗରେ ଖବରକାଗଜ ବିକ୍ରି କରୁଥିଲେ। ସ୍ବାମୀ ସାଇକେଲରେ ସହରରେ ବୁଲି ବିଭିନ୍ନ ଖବରକାଗଜ ବିକ୍ରି କରୁଥିବା ବେଳେ ସ୍ତ୍ରୀ ପାଦରେ ଚାଲି ଚାଲି ଗାଁକୁ ଗାଁ ବୁଲି ଖବରକାଗଜ ବିକ୍ରି କରନ୍ତି। ଏମିତି ହୋଇ ପରିବାର ପ୍ରତିପୋଷଣ ହୋଇଯାଉଥିଲା। ହେଲେ ହଠାତ ଦେଢ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ହୋଇଗଲା। ଏକୁଟିକା ସବୁକିଛି କରିବାକୁ ପଡିଲା। ତଥାପି ମହିଳା ଖବରକାଗଜ ବିତରକ ଭାବେ କାମ ନଛାଡି ଏବେବି ଗାଁକୁ ଗାଁ ବୁଲି ଖବରକାଗଜ ବିକ୍ରି କରି ନିଜର ପରିବାର ଚଳାଉଛନ୍ତି। ସେ ହେଉଛନ୍ତି ଅନନ୍ୟ ଖବରକାଗଜ ବିତରକ ଅନ୍ନପୂର୍ଣ୍ଣା ଦାସ(୫୭)। ବାଲେଶ୍ଵର ସହର ରେମୁଣା ବ୍ଲକ ନରହରିପୁରରେ ଘର।
ଅନ୍ନପୂର୍ଣ୍ଣାଙ୍କ ସ୍ବାମୀ ଗୋପୀନାଥ ଦାସ ଜଣେ ଖବରକାଗଜ ବିତରକ ଥିଲେ। ସେ ଦୀର୍ଘ ବର୍ଷ ଧରି ସହରରେ ଖବରକାଗଜ ବିକ୍ରି କରୁଥିଲେ। ତାଙ୍କ ସହିତ ଅନ୍ନପୂର୍ଣ୍ଣା ମଧ୍ୟ ସ୍ବାମୀଙ୍କୁ ସହାୟତା କରିବା ଆଶାରେ ରେମୁଣାରେ ନିକଟ ଅଞ୍ଚଳରେ ଚାଲି ଚାଲି ଖବରକାଗଜ ବିକ୍ରି କରୁଛନ୍ତି। ଦୀର୍ଘ ୧୭ ବର୍ଷରୁ ଅଧିକ ଦିନ ହେଜଣେ ମହିଳା ଖବରକାଗଜ ବିତରକ ଭାବେ ଘରେ ଘରେ ବୁଲି ଖବରକାଗଜ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି।
ତେବେ ଅନ୍ନପୂର୍ଣ୍ଣାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ବି ଏବେବି ପାଦରେ ଚାଲି ଚାଲି ଖବରକାଗଜ ବିକ୍ରି କରୁଛନ୍ତି। ବଡି ସକାଳୁ ଉଠି ନିଜ ଦାୟିତ୍ୱ କରିବାକୁ ଭୁଲନ୍ତି ନାହିଁ ଅନ୍ନପୂର୍ଣ୍ଣା। ଅନ୍ନପୂର୍ଣ୍ଣାଙ୍କ ପରିବାର କହିଲେ ତିନି ଝିଅ। ବହୁ କଷ୍ଟରେ ତିନି ଝିଅଙ୍କୁ ବାହା ଦେଇଛନ୍ତି ଅନ୍ନପୂର୍ଣ୍ଣା। ତେବେ ଦୁଇ ଝିଅ ଶାଶୁଘରେ ଥିବାବେଳେ ଜଣେ ଝିଅର ଶାଶୁଘରେ ସମସ୍ୟା ହେବାରୁ ଅନ୍ନପୂର୍ଣ୍ଣା ପାଖରେ ଆସି ରହିଛନ୍ତି। ଏହି ବୟସରେ ଖଟି ଖଟି ପରିବାର ଚିନ୍ତାରେ ରହିଛନ୍ତି ଅନ୍ନପୂର୍ଣ୍ଣା। ମାସକୁ ୫ କିଲୋ ଚାଉଳ ଓ ଖବରକାଗଜ ବିକ୍ରି କରି ଯାହା ରୋଜଗାର ହୁଏ ସେଥିରେ ଚଳିଯାଉଛନ୍ତି ଅନ୍ନପୂର୍ଣ୍ଣା। ରେମୁଣା ବଜାରକୁ ଆସି ପ୍ରାୟ ୮ କିଲୋମିଟର ପର୍ଯ୍ଯନ୍ତ ଚାଲିକି ଖବରକାଗଜ ପ୍ରତିଦିନ ବିକ୍ରି କରନ୍ତି। ପ୍ରତିଦିନ ପ୍ରାୟ ୫ଟି ଗାଁ ବୁଲନ୍ତି। ଦୀର୍ଘ ୧୭ ବର୍ଷ ଚାଲି କରି ଖବରକାଗଜ ବିକ୍ରି କରୁଥିବାର ତାଙ୍କର କେବେ ଦେହ ଖରାପ ହୁଏ ନାହିଁ ବୋଲି ଅନ୍ନପୂର୍ଣ୍ଣା କହିଛନ୍ତି। ଆଗାମୀ ଦିନରେ ଏମିତି ଖବରକାଗଜ ବିକ୍ରି କରି ନିଜେ ଚଳିବେ ବୋଲି କହିଛନ୍ତି।