ବାଲେଶ୍ୱର:ବାଲେଶ୍ୱର ପରିବାର ଅଦାଲତ ଭିତରେ ମହିଳା ଆଇନଜୀବୀ ରାଜଶ୍ରୀ ବାରିକ ବୁଧବାର ଦିନ ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଅଦାଲତରେ ଉପସ୍ଥିତ ଥିବା ଅନ୍ୟ ଆଇନଜୀବୀ ମାନେ ଶ୍ରୀମତୀ ବାରିକଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବା ପରେ ତାଙ୍କର ସ୍ବାସ୍ଥ୍ୟଗତ ଅବସ୍ଥା ଭଲ ରହିଛି। ତେବେ ଅଦାଲତ ଭିତରେ ଏଭଳି ଅଭାବନୀୟ ଘଟଣା ଘଟିବାକୁନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।
ବାଲେଶ୍ୱର ପୌରପାଳିକା ସଂଲଗ୍ନ ରେମୁଣା ବ୍ଲକ କରଞ୍ଜିଆ ମୌଜାର ସତ୍ୟନଗର ଅଞ୍ଚଳରେ ରହୁଥିବା ରାଜଶ୍ରୀଙ୍କ ସହିତ ତାଙ୍କ ସ୍ବାମୀ ବିଏସଏଫ ଯୱାନ ସନାତନ ବାରିକଙ୍କ ଛାଡପତ୍ର ମାମଲା ବିଚାରାଧୀନ ରହିଛି। ବୁଧବାର ଦିନ ଏହି ଛାଡପତ୍ର ମାମଲାର ତାରିଖ ଥିଲା। ରାଜଶ୍ରୀଙ୍କ ପକ୍ଷରୁ ଓକିଲ ଆସି ନ ଥିବା ଯୋଙ୍ଗୁ ସେ ନିଜେ ତାଙ୍କ ସ୍ୱାମୀ ସନାତନକୁ କୋର୍ଟରେ ଜେରା କରିଥିଲେ। ତେବେ ରାଜଶ୍ରୀଙ୍କ ଜେରାରେ ତ୍ରୁଟି ହେଉଥିବା ମାନ୍ୟବର ବିଚାରପତି ଦର୍ଶାଇ ଥିଲେ। ଏଥିରେ ମହିଳା ଆଇନଜୀବୀ ଶ୍ରୀମତୀ ବାରିକ ରାଗିଯାଇ ପାଖରେ ରଖିଥିବା କୀଟନାଶକ ବାହାର କରି ପିଇ ଦେଇଥିଲେ। ଅଦାଲତ ଭିତରେ ଥିବା ଅନ୍ୟ ଆଇନଜୀବୀ ମାନେ ତୁରନ୍ତ ଏକ ଅଟୋ ରେ ରାଜଶ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଯାଇଥିବା ଦେଖାଯାଇଛି।
ତେବେ ରାଜଶ୍ରୀଙ୍କ ବାପଘର ଖନ୍ତାପଡା ଥାନା କୁଳିଗାଁ ଗ୍ରାମରେ ହେଇଥିବା ବେଳେ ସନାତନ ବାରିକଙ୍କ ଘର ସଦର ଥାନା ଜୟଦେବକସବା ନିକଟସ୍ଥ ସରସ୍ବତୀପୁର ଗ୍ରାମରେ। ସନାତନ ପ୍ରତିରକ୍ଷା ବିଭାଗର ବିଏସଏଫ ଜୱାନ ଥିଲେ। ୧୯୯୯ମସିହାରେ ଉଭୟଙ୍କର ବିବାହ ହେଇଥିଲା। ଉଭୟଙ୍କର ୨ଜଣ ପୁଅ ଅଛନ୍ତି। ଜଣେ ପୁଅ ୨୧ବର୍ଷ ଓ ଅନ୍ୟ ଜଣେ ୧୯ବର୍ଷ ହେଇଥିବା ଜଣାଯାଇଛି। ଏହି୨ ଜଣ ପୁଅ ସତ୍ୟନଗର ସ୍ଥିତ ବାସଭବନରେ ମା’ଙ୍କ ସହିତ ରହୁଛନ୍ତି। ସନାତନ ନିଜର ପୈତୃକ ବାସଭବନ ସରସ୍ବତୀପୁରରେ ରହୁଛନ୍ତି। ୨୦୧୦ ମସିହାରେ ପ୍ରଥମେ ରାଜଶ୍ରୀଙ୍କ ତରଫରୁ ଛାଡପତ୍ର ମାମଲା ରୁଜୁ ହେଇଥିଲା। ମାତ୍ର ୨୦୧୫ରେ ସେ ନିଜ ତରଫରୁ ମାମଲାକୁ କୋର୍ଟରୁ ଉଠାଇ (ଉଇଥଡ୍ର)ନେଇଥିଲେ। ପରେ ସେହି ୨୦୧୫ରେ ପୁଣି ସନାତନଙ୍କ ପକ୍ଷରୁ ସିପି-୩୯୧/୨୦୧୫ମୂଳେ ଛାଡପତ୍ର ମାମଲା ରୁଜୁ କରାଯାଇଥିଲା। ଆଜି ଏହି ମାମଲାର ତାରିଖ ଥିଲା। ପ୍ରକାଶ ଥାଉକି ରାଜଶ୍ରୀଙ୍କ ପକ୍ଷରୁ ସନାତନଙ୍କ ବିରୁଦ୍ଧରେ କୋର୍ଟରେ ୧୫ଟି ଭିନ୍ନଭିନ୍ନ ମାମଲା ରୁଜୁ କରାଯାଇଥିଲା ବେଳେ ସନାତନଙ୍କ ପକ୍ଷରୁ ରାଜଶ୍ରୀଙ୍କ ବିରୁଦ୍ଧରେ ୨୮ଟି କାଉଣ୍ଟର ମାମଲା ରୁଜୁ କରାଯାଇ ଥିବା ଜଣାଯାଇଛି।