ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ବିଜେଡି ଦମଦାର ପ୍ରଦର୍ଶନ । ଜିଲ୍ଲାରେ ଥିବା ଦୁଇ ପୈାରାଞ୍ଚଳରୁ ଗୋଟିଏ, ତିନି ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଦୁଇଟି ପରିଷଦର ଅଧ୍ୟକ୍ଷ ପଦବୀ ହାତେଇବାରେ ସଫଳ ହୋଇଛି ବିଜେଡି। ଅଧ୍ୟକ୍ଷ ପଦବୀ ଭଳି ଅଧିକ ସଂଖ୍ୟକ ବିଜେଡି କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସଦର ପୈାରାଞ୍ଚଳରେ ବିଜେଡି ପ୍ରାର୍ଥିନୀ ଲିକାସାହୁ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେହିପରି ତୁଷୁରା ଏନଏସିରେ ବିଜେଡି ପ୍ରାର୍ଥୀ ଅଜୟ ଜୟସ୍ୱାଲ, ପାଟଣାଗଡରେ ମାନସୀ ବିଶ୍ୱାଲ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ ଟିଟିଲାଗଡ ପୈାରାଞ୍ଚଳ ଅଧ୍ୟକ୍ଷା ଭାବେ ମମତା ଜୈନ ବିଜୟୀ ହୋଇଥିବା ବେଳେ କଣ୍ଟାବାଞ୍ଜିରେ ମରିୟମ ସିଂ ସାଲୁଜା ବିଜୟୀ ହୋଇଥିବା ଜଣାପଡିଛି ।
ବଲାଙ୍ଗିର ପୈାରପରିଷଦ ; କାମ କଲାନି ନରସିଂହଙ୍କ ବିକାଶ ବାର୍ତ୍ତା
ପଞ୍ଚାୟତରେ ପରେ ପୈାର ନିର୍ବାଚନରେ ବି ନରସିଂହ ମିଶ୍ରଙ୍କ ହାତ ଖାଲି । ପୈାରାଧ୍ୟକ୍ଷା ପ୍ରାର୍ଥୀଙ୍କ ପାଇଁ କଂଗ୍ରେସ ଦିନ ରାତି ଏକ କରିଦେଇଥିବା ବେଳେ ତାହାର ପ୍ରତିଫଳନ ଭୋଟରେ ଦେଖିବାକୁ ମିଲିନାହିଁ। କଂଗ୍ରେସ ଦଳର ଅଧ୍ୟକ୍ଷା ପ୍ରାର୍ଥୀ ମିଲୋନୀ ସାହୁଙ୍କୁ ବହୁ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥିନୀ ଲିକା ସାହୁ ପରାଜିତ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ପ୍ରାର୍ଥିନୀ ବହୁ ପଛରେ ପଡିଯାଇଥିଲେ। ସୂଚନା ଅନୁସାରେ ୨୧ ଟି ୱାର୍ଡ ବିଶିଷ୍ଟ ବଲାଙ୍ଗିର ପୈାରାଞ୍ଚଳ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ପୈାରାଞ୍ଚଳ । ଲଗାତାର ତିନି ଥର ବିଜେଡି ବଲାଙ୍ଗିର ପୈାରାଞ୍ଚଳ ଦଖଳ କରିଥିଲା। ଆଜିର ବିପୁଳ ବିଜୟ ପରେ ଚତୁର୍ଥ ଥର ପାଇଁ ବିଜେଡି ପୈାରା-୍ଚଳ ଦଖଳ କରିଛି । ସୂଚନା ଅନୁସାରେ ବଲାଙ୍ଗିର ପୈାରାଞ୍ଚଳ ପାଇଁ ବିଜେଡି ଲିକା ସାହୁଙ୍କୁ ପ୍ରାର୍ଥୀ କରିଥିଲା।
ଅନ୍ୟପକ୍ଷରେ କଂଗ୍ରେସ ଜିଲ୍ଲା ମହିଳା ସଭାପତି ମିଲୋନୀ ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ସବିତା ବାର୍ଲାଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଅଧ୍ୟକ୍ଷା ଆସନ ପାଇଁ ତିନି ଦଳ ମଧ୍ୟରେ ମୁକାବିଳା ହୋଇଥିବା ବେଳେ ବହୁ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥିନୀ ଲିକା ସାହୁ ନିର୍ବାଚିତ ହୋଇଛନ୍ତି। ୨୧ ୱାର୍ଡରେ ଲିକା ସାହୁ ୨୬୦୯୧ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ମିଲୋନୀ ସାହୁ ୧୧୬୫୯ ଖଣ୍ଡ ଭୋଟ ପାଇଥିଲେ। ସେହିପରି ବିଜେପିର ସବିତା ବାର୍ଲା ୭୧୧୬ ଖଣ୍ଡ ଭୋଟ ପାଇଥିବା ବେଳେ ବହୁଜନ ସମାଜ ପାର୍ଟିର ବବି କୁମ୍ଭାର ୬୭୮, ସାମସନ ନିଶା ୧୭୪, ସୈାଦାମିନୀ କୁଶଳିଆ ୫୦୭ ଖଣ୍ଡ ଭୋଟ ପାଇଥିଲେ। ସେହିପରି କାଉନସିଲର ଭୋଟରେ ୨୧ଟି ୱାର୍ଡରୁ ବିଜେଡି ୧୬ଟି ୱାର୍ଡରେ ବାଜିମାତ କରିଥିବା ବେଳେ କଂଗ୍ରେସ ଚାରୋଟି ଓ ବିଜେପି ଗୋଟିଏ ୱାର୍ଡ ଦଖଳ କରିବାରେ ସଫଳ ହୋଇଛି।
ପାଟଣାଗଡ ଏନଏସି ; ଧରାଶାୟୀ କନକ, ବିଜେଡିର ସୁପର ସୋ
ବଲାଙ୍ଗିର ପୈାରାଞ୍ଚଳ ଭଳି ପାଟଣାଗଡରେ ମଧ୍ୟ ବିଜେଡିର ସୁପର ସୋ। ପାଟଣାଗଡ ଏନଏସି ପୂର୍ବରୁ ବିଜେପି ଦଖଳରେ ରହିଥିବା ବେଳେ ଏବେ ଏହା ବିଜେଡି ହାତକୁ ଆସିଛି । ନୂତନ ଏନଏସି ଅଧ୍ୟକ୍ଷ ଭାବେ ମାନସୀ ବିଶ୍ୱାଲ ନିର୍ବାଚିତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନ ଭଳି ପୈାର ନିର୍ବାଚନରେ ମଧ୍ୟ ସହରୀ ଭୋଟର ବିଜେଡି ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବିଜେପି ଦଳର ପ୍ରାର୍ଥୀ ମାନଙ୍କ ପାଇଁ ନିଜେ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଙ୍ଗିତା କୁମାରୀ ସିଂହଦେଓ, ଝିଅ ନିବୃତ୍ତି କୁମାରୀ ସିଂହଦେଓ ପ୍ରଚାର ମଙ୍ଗ ଧରିଥିବା ବେଳେ ଗୋଟିଏ ମଧ୍ୟ ୱାର୍ଡରେ ବିଜେପି ପ୍ରାର୍ଥୀ ନଜିତିବା ଅଞ୍ଚଳରେ ବିଜେପି ସଙ୍ଗଠନର ଅସଲ ସତ୍ୟକୁ ପଦାରେ ପକାଇଛି। ୧୫ ୱାର୍ଡ ବିଶିଷ୍ଟ ଏହି ଏନଏସିର ଅଧ୍ୟକ୍ଷ ଆସନ ପାଇଁ ବିଜେଡି ଦଳରୁ ମାନସୀ ବିଶ୍ୱାଲ, କଂଗ୍ରେସ ଦଳରୁ ନିଳମଣୀ ଭୋଇ, ବିଜେପି ପକ୍ଷରୁ ବୁଡୁ ଶବର ପ୍ରାର୍ଥୀ ହୋଇଥିଲେ। ଅଧ୍ୟକ୍ଷ ଆସନ ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଦେଖିବାକୁ ମିଲିଥିଲା।
ତେବେ ବିଭାଗୀୟ ସୂଚନା ଅନୁସାରେ ବିଜେଡି ପ୍ରାର୍ଥିନୀ ମାନସୀ ବିଶ୍ୱାଲ ୬୬୩୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ବୁଡୁ ଶବର ୩୫୭୧ ଖଣ୍ଡ ଭୋଟ ପାଇଥିଲେ। ବହୁ ଭୋଟ ବ୍ୟବଧାନରେ ମାନସୀ ବିଶ୍ୱାଲ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଏନଏସିର ୧୫ ଟି ୱାର୍ଡରୁ୧୪ ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ମାନେ ବିଜୟୀ ହୋଇଥିବା ବେଳେ ଗୋଟିଏ ୱାର୍ଡରେ ସ୍ୱାଧିନ ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି। ପାଟଣାଗଡକୁ ବିଜେପିର ଗଡ କୁହାଯାଉଥିବା ବେଳେ ପଞ୍ଚାୟତ ଓ ପୈାର ଫଳାଫଳ ପଦ୍ମଗଡ କୁ ଧ୍ୱଂସ କରିଦେଇଥିବା ସ୍ପଷ୍ଟ ହୋଇଛି।
ତୁଷୁରା ଏନଏସି ; ଉଡିଲା ବିଜେଡି ବାନା
ବଲାଙ୍ଗିର ଜିଲ୍ଲା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଲଗାତାର ଦ୍ୱିତୀୟ ଥର ପାଇଁ ବିଜୟ ବାନା ଉଡାଇଛି ବିଜେଡି। ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଜୟ ଜୟସୱାଲ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଏନଏସିରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଆଶଙ୍କା କରାଯାଇଥିଲା। ସୂଚନା ଅନୁସାରେ ଅଧ୍ୟକ୍ଷ ଆସନ ପାଇଁ ବିଜେଡି ଅଜୟ ଜୟସ୍ୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପିରୁ ରୁନୁଗୋପାଲ ସାହୁ ପ୍ରାର୍ଥୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଏହି ଏନଏସିରେ ବାଜିମାତ କରିବାର ଆଶା କରାଯାଉଥିବା ବେଳେ ଫଳାଫଳ କିନ୍ତୁ ସମସ୍ତଙ୍କୁ ଚକିତ କରିଥିଲା। ବିଜେଡି ପ୍ରାର୍ଥୀ ୩୬୫୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ସାହୁ ୨୮୨୫ ଖଣ୍ଡ ଭୋଟ ପାଇଥିଲେ।ଅନ୍ୟପକ୍ଷରେ କଂଗ୍ରେସ ମାତ୍ର ୧୫୭ ଖଣ୍ଡ ଭୋଟ ପାଇ ଅସ୍ଥୀତ୍ୱ ହରାଇଛି। ୧୧ ୱାର୍ଡ ବିଶିଷ୍ଟ ଏହି ଏନଏସିରେ ବିଜେଡି ର ୭ କାଉନସିଲର ବିଜୟୀ ହୋଇଥିବା ବେଳେ ବିଜେପିର ଚାରି କାଉନସିଲର ବିଜୟୀ ହୋଇଛନ୍ତି।
କଣ୍ଟାବାଞ୍ଜି ଏନଏସି ; ସମ୍ମାନ ରଖିଲେ ସାଲୁଜା
ବଲାଙ୍ଗିର ଜିଲ୍ଲାରେ ପ୍ରାୟ ସମସ୍ତ ପୈାରପରିଷଦ, ଏନଏସିରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିବା ବେଳେ ପଞ୍ଚାୟତ ଭଳି ପୈାର ନିର୍ବାଚନରେ ମଧ୍ୟ ସମ୍ମାନ ବଞ୍ଚାଇବାରେ ସଫଳ ହୋଇଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ ବାଜିମାତ ଭିତରେ ଏକାକୀ ସାଲୁଜାଙ୍କ ନିର୍ବାଚନମଣ୍ଡଳୀରେ ତିନି ଜଣ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲା। ଏହି ଫଳାଫଳକୁ କଂଗ୍ରେସ କଣ୍ଟାବାଞ୍ଜିରେ ପୁଣି ଥରେ ଦୋହରାଇଛି। ଅଧ୍ୟକ୍ଷ ଆସନରେ ସନ୍ତୋଷ ସିଂ ସାଲୁଜାଙ୍କ ଭାଇ ବରିୟମ ସିଂ ସାଲୁଜା ବିଜୟୀ ହୋଇଛନ୍ତି। ଭାଇ ପାଇଁ ନିଜେ ବିଧାୟକ ନିର୍ବାଚନୀ ମଙ୍ଗ ଧରିଥିବା ବେଳେ ବିଜେଡି ନେତା ମାନେ ନିଜ ନିଜ ମଧ୍ୟରେ ଶୀତଳ ଯୁଦ୍ଧରେ ନିମଗ୍ନ ଥିଲେ।ଏହାର ଫାଇଦା ନେଇ ଅଧ୍ୟକ୍ଷ ଆସନ ହାତେଇବାରେ କଂଗ୍ରେସ ସଫଳ ହୋଇଥିବା ଚର୍ଚ୍ଚା ହେଉଛି।
କଂଗ୍ରେସ ପ୍ରାର୍ଥୀ ବରିୟମ ସିଂ ସାଲୁଜା, ବିଜେଡିର ବିନୟ କୁମାର ବିଭାରଙ୍କୁ ପରାଜିତ କରିଛନ୍ତି । କେବଳ ଏତିନି ନୁହଁ ୧୬ ୱାର୍ଡ ବିଶିଷ୍ଟ ଏନଏସିରେ ଏକାକୀ କଂଗ୍ରେସର ୧୦ ଜଣ ପ୍ରାର୍ଥୀ କାଉନସିଲର ଭାବେ ନିର୍ବାଚିତ ହୋଇଥିବା ବେଳେ ବିଜେଡିର ପାଞ୍ଚ ଓ ବିଜେପି ର ଜଣେ ମାତ୍ର ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଜିଲ୍ଲାରେ କଂଗ୍ରେସ ଦଳର ନିରାଶା ଭିତରେ ଏକାକୀ ସାଲୁଜା ଦଳର ସମ୍ମାନ ରଖିବାରେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି।
ଟିଟିଲାଗଡ ପୈାରପରିଷଦ ; ମନ୍ତ୍ରୀଙ୍କ ଗଡରେ ଫୁଟିଲା ପଦ୍ମ
ବଲାଙ୍ଗିର ଜିଲ୍ଲାର ଅନ୍ୟତମ ପୈାରପରିଷଦ ହେଉଛି ଟିଟିଲାଗଡ ପୈାରପରିଷଦ । ଏହି ପୈାରପରିଷଦ ନିର୍ବାଚନୀ ମଙ୍ଗ ନିଜେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଟୁକୁନୀ ସାହୁ ଧରିଥିଲେ। କିନ୍ତୁ ଅଧ୍ୟକ୍ଷ ଆସନ ହାତେବାରେ ବିଫଳ ହୋଇଛି ବିଜେଡି। ପୈାରଧ୍ୟକ୍ଷା ଆସନରେ ବିଜେପି ପ୍ରାର୍ଥିନୀ ମମତା ଜୈନ ବିଜେଡିର ପ୍ରାର୍ଥିଙ୍କୁ ହରାଇବାରେ ସଫଳ ହୋଇଛନ୍ତି। ସୂଚନା ଅନୁସାରେ ଅଧ୍ୟକ୍ଷା ଆସନ ପାଇଁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ମମତା ଜୈନ ୯୩୮୯ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୫୬୪୬ ଭୋଟ ପାଇଥିଲେ।
ସେହିଭଳି କଂଗ୍ରେସ ମାତ୍ର ୬୫୮ ଭୋଟ ପାଇଥିବା ବେଳେ ଚାରି ଅଙ୍କ ଛୁଇଁପାରିନଥିଲା। ଫଳରେ ବିଜେପିର ମମତା ଜୈନ ୩୭୪୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଏହି ପରାଜୟ ମନ୍ତ୍ରୀଙ୍କ ପତିଆରାରେ ଏକ ଶକ୍ତ ଧକ୍କା ହୋଇଥିବା ବେଳେ ସତର୍କ ଘଣ୍ଟି ମଧ୍ୟ ସାଜିଛି । ପଞ୍ଚାୟତ ନିର୍ବାଚନରେ ଯଦିଓ ଟିଟିଲାଗଡ ବିଧାନସଭା ନିର୍ବାଚନମଣ୍ଡଳୀରେ ଅଧିକ ଜିଲ୍ଲାପରିଷଦ ସିଟ ବିଜେଡି ହାସଲ କରିଥିଲା କିନ୍ତୁ ଅଧ୍ୟକ୍ଷ ନିର୍ବାଚନରେ ଦଳ ପଛରେ ପଡିଥିଲା। ତିନୋଟି ବ୍ଲକରୁ ମାତ୍ର ଗୋଟିଏ ବ୍ଲକରେ ବିଜେଡି ସମର୍ଥିତ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ।ପଞ୍ଚାୟତ ପରେ ଏବେ ପୈାର ନିର୍ବାଚନରେ ଅଧ୍ୟକ୍ଷ ପଦବୀ ହରାଇବା ଦଳ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି। ଯେଉଁଠି ଦଳ ଜିଲ୍ଲାର ଅନ୍ୟ ସ୍ଥାନ ମାନଙ୍କରେ ବାଜିମାତ କରିବାରେ ସଫଳ ହୋଇଛି କିନ୍ତୁ ଟିଟିଲାଗଡରେ ପରାଜୟ ବରଣ କରିବାକୁ ପଡିଛି।
ବଲାଙ୍ଗିର ପୈାରପରିଷଦ : ୨୧ ରୁ ୧୬ ୱାର୍ଡରେ ବିଜେଡିର ବାଜିମାତ
ବଲାଙ୍ଗିର ପୈାରାଞ୍ଚଳରେ ବିଜେଡି ପଞ୍ଚାୟତ ନିର୍ବାଚନ ଭଳି ଏକ ବଡ ବ୍ୟବଧାନରେ ବାଜିମାତ କରିଛି। ଗୋଟିଏ ପଟେ କଂଗ୍ରେସ ବିଧାୟକଙ୍କ ବିକାଶ ମୂଳକ କାମକୁନ ଅସ୍ତ୍ର କରିଥିବା ବେଳେ ଅନ୍ୟପଟେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ସରକାରୀ ଯୋଜନାକୁ ଅସ୍ତ୍ର କରିଥିଲା। ଏହି ଲଢେଇ ଭିତରେ ମତଦାତା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ମୋହର ମାରିଛନ୍ତି। ପୈାରଧ୍ୟକ୍ଷା ଭଳି କାଉନସିଲର ଭୋଟରେ ବିଜେଡି ବାଜିମାତ କରିଛି।
ସୂଚନା ଅନୁସାରେ ୨୧ ଟି ୱାର୍ଡକୁ ଗଠିତ ହୋଇଥିବା ବଲାଙ୍ଗିର ପୈାରାଞ୍ଚଳରେ ୧୬ ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ମାନେ ବିଜୟୀ ହୋଇଛନ୍ତି । କଂଗ୍ରେସ କେବଳ ଚାରୋଟି ୱାର୍ଡରେ ସୀମିର ରହିଥିବା ବେଳେ ବିଜେପି ମାତ୍ର ଗୋଟିଏ ୱାର୍ଡ ଦଖଳ କରିଛି। ୱାର୍ଡ ନଂ ୧ରେ ସସ୍ମିତା ନନ୍ଦ (ବିଜେଡି), ୱାର୍ଡ ନଂ ୨ରେ ସରିତା ଦାସ (ବିଜେଡି), ୱାର୍ଡ ନଂ ୩ରେ ରଜନୀ ବନଛୋର(କଂଗ୍ରେସ), ୱାର୍ଡ ନଂ ୪ରେ ଅରବିନ୍ଦ ପରୁଆ(କଂଗ୍ରେସ), ୱାର୍ଡ ନଂ ୫ରେ ଲଲାଟେନ୍ଦୁ ପଟ୍ଟନାୟକ (ବିଜେଡି), ୱାର୍ଡ ନଂ ୬ରେ ପିଙ୍କି କବାଟ (ବିଜେଡି), ୱାର୍ଡ ନଂ ୭ରେ ଶମ୍ଭୁ ନାଗ (ବିଜେଡି), ୱାର୍ଡ ନଂ ୮ରେ ନନ୍ଦିନୀ ପୋଢ (ବିଜେଡି), ୱାର୍ଡ ନଂ ୯ରେ ପ୍ରେମଳତା ନାଏକ (ବିଜେଡି), ୱାର୍ଡ ନଂ ୧୦ରେ କିଶୋର କୁମ୍ଭାର (ବିଜେଡି), ୱାର୍ଡ ନଂ ୧୧ରେ ପ୍ରଦୀପ ମିଶ୍ର(କଂଗ୍ରେସ), ୱାର୍ଡ ନଂ ୧୨ରେ ଅଞ୍ଜଳି ସାହୁ(କଂଗ୍ରେସ), ୱାର୍ଡ ନଂ ୧୩ରେ ଇସମାତ ଆରା ଖାନ (ବିଜେଡି), ୱାର୍ଡ ନଂ ୧୪ରେ ସଞ୍ଜୁଳତା ଦନ୍ତା (ବିଜେଡି), ୱାର୍ଡ ନଂ ୧୫ରେ ମହେନ୍ଦ୍ର ବାଗ (ବିଜେଡି), ୱାର୍ଡ ନଂ ୧୬ରେ ସନ୍ତୋଷିନୀ କୁଅଁର (ବିଜେଡି), ୱାର୍ଡ ନଂ ୧୭ରେ ପ୍ରତିମା ଛତ୍ରିଆ (ବିଜେଡି), ୱାର୍ଡ ନଂ ୧୮ରେ ଗଙ୍ଗାଧର ଚାନ୍ଦ (ବିଜେଡି), ୱାର୍ଡ ନଂ ୧୯ରେ ହରିଶଙ୍କର ଛତ୍ରିଆ (ବିଜେଡି), ୱାର୍ଡ ନଂ ୨୦ରେ ଗାୟିତ୍ରୀ ଭୋଇ (ବିଜେଡି) ଓ ୱାର୍ଡ ନଂ ୨୧ରେ ଶତ୍ରୁଘ୍ନ ବାଗ (ବିଜେଡି)ବିଜୟୀ ହୋଇଛନ୍ତି ।