ଯେତେ ମନ୍ତ୍ରୀ, ସେତେ ମତ; ମେଟ୍ରୋ ଭବିଷ୍ୟତ ଅନ୍ଧାର…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଯେତେ ମନ୍ତ୍ରୀ; ସେତେ ମତ। ପୁଣି ମନ୍ତ୍ରୀମାନଙ୍କର ଘଡ଼ିକୁ ଘଡ଼ି ମତ ପରିବର୍ତ୍ତନ ଏବେ ରାଜ୍ୟର ବହୁ ପ୍ରତୀକ୍ଷିତ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତକୁ ଅନ୍ଧାର କରିଦେଇଛି। ଏକ ପକ୍ଷରେ ଟ୍ୱିନ୍‌ ସିଟିରେ ମେଟ୍ରୋ ନିର୍ମାଣ କାମ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଥିବାବେଳେ ଜଣକ ପରେ ଜଣେ ମନ୍ତ୍ରୀ ରାଜ୍ୟବାସୀଙ୍କୁ ନୂଆ ନୂଆ ସ୍ୱପ୍ନ ଦେଖାଇବାରେ ଲାଗିଛନ୍ତି। ତେବେ ମେଟ୍ରୋ ସଂପର୍କରେ ମନ୍ତ୍ରୀମାନଙ୍କ ମତ ପାର୍ଥକ୍ୟ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିଛି। କେଇଦିନ ତଳେ […]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଯେତେ ମନ୍ତ୍ରୀ; ସେତେ ମତ। ପୁଣି ମନ୍ତ୍ରୀମାନଙ୍କର ଘଡ଼ିକୁ ଘଡ଼ି ମତ ପରିବର୍ତ୍ତନ ଏବେ ରାଜ୍ୟର ବହୁ ପ୍ରତୀକ୍ଷିତ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତକୁ ଅନ୍ଧାର କରିଦେଇଛି। ଏକ ପକ୍ଷରେ ଟ୍ୱିନ୍‌ ସିଟିରେ ମେଟ୍ରୋ ନିର୍ମାଣ କାମ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଥିବାବେଳେ ଜଣକ ପରେ ଜଣେ ମନ୍ତ୍ରୀ ରାଜ୍ୟବାସୀଙ୍କୁ ନୂଆ ନୂଆ ସ୍ୱପ୍ନ ଦେଖାଇବାରେ ଲାଗିଛନ୍ତି। ତେବେ ମେଟ୍ରୋ ସଂପର୍କରେ ମନ୍ତ୍ରୀମାନଙ୍କ ମତ ପାର୍ଥକ୍ୟ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିଛି। କେଇଦିନ ତଳେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ ଉପରେ ଉପରେ ଯିବ ବୋଲି କହିଥିଲେ। ଏବେ ପୂର୍ତ୍ତମର୍ତ୍ତୀ ମେଟ୍ରୋ ପ୍ରକଳ୍ପ ମାଟି ତଳେ ହେବ ବୋଲି କହିଲେଣି। ତେଣୁ ରାଜ୍ୟର ପ୍ରଥମ ମେଟ୍ରୋ ପ୍ରକଳ୍ପ ମାଟି ତଳେ ଯିବ ନା ଶୂନ୍ୟେଶୂନ୍ୟେ ଯିବ ତାହା ବୁଝି ହେଉନାହିଁ। ପୂର୍ବ ସରକାର ୨୦୨୬ ସୁଦ୍ଧା ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରିଥିଲେ, ଏଥିପାଇଁ ବଜେଟରେ ଆନୁଷଙ୍ଗିକ ଅର୍ଥ ବ୍ୟବସ୍ଥା ବି କରିଥିଲେ। ସରକାର ପରିବର୍ତ୍ତନ ପରେ ମେଟ୍ରୋ ସ୍ୱପ୍ନ ତୁଟିବା ଆରମ୍ଭ ହୋଇଛି ଓ ମନ୍ତ୍ରୀମାନେ ନିଜକୁ ସୁହାଇବା ପରି ମନ୍ତବ୍ୟ ଦେଇ ଲୋକମାନଙ୍କୁ ଭିନ୍ନଭିନ୍ନ କାହାଣୀ ଶୁଣାଉଛନ୍ତି ।

ଏବେ ସରକାରରେ ମନ୍ତ୍ରୀମାନେ ଯିଏ ଯେମିତି ପାରୁଛି ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍‌କୁ ସେମିତି ଚଳାଉଛନ୍ତି। କିଏ କଟକ ଏସ୍‌ସିବି ଯାଏଁ ନେଲାଣି ତ କିଏ ମେଟ୍ରୋ ଟ୍ରେନ୍‌କୁ ୧୩ ମିଟର ଉପରେ ଉଡ଼ାଉଛି। ଏହି ପରିପ୍ରେକ୍ଷୀରେ ସରକାର ମେଟ୍ରା ପ୍ରକଳ୍ପ କରିବେ କି ନାହିଁ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ପୂର୍ବରୁ ଏଲିଭେଟେଡ୍‌ ମେଟ୍ରୋ ପାଇଁ ଡିପିଆର୍‌ ପ୍ରସ୍ତୁତ କରାଯାଇ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏଲିଭେଟେଡ୍‌ କରିଡର ପାଇଁ ରାଜକୋଷରୁ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇସାରିଛି। ତଥାପି କାହା ସ୍ୱାର୍ଥରେ ଏହାକୁ ବଦଳାଇ ଅଣ୍ଡରଗ୍ରାଉଣ୍ଡ୍‌ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ପ୍ରକଳ୍ପ ହେଲେ ଖର୍ଚ୍ଚ ପ୍ରାୟ ୩ ଗୁଣା ବଢିଯିବ। ଏହାସହିତ ପ୍ରକଳ୍ପ କାମ ବହୁ ଡେରି ହେବ ବୋଲି ଅର୍ବାନ ପ୍ଲାନର ଡ. ପୀୟୂଷ ରାଉତ କହିଛନ୍ତି। ଏଭଳି ସମସ୍ୟା ଦେଖାଦେବାରୁ ଏବେ ଦିଲ୍ଲୀ ଏବଂ ଅନ୍ୟ ବଡ଼ ସହରଗୁଡ଼ିକରେ ଏଲିଭେଟେଡ୍‌ ମେଟ୍ରୋ ପ୍ରକଳ୍ପ ଯୋଜାନା କରାଯାଉଛି। ହେଲେ ରାଜ୍ୟ ସରକାରଙ୍କ ପୂର୍ତ୍ତ ମନ୍ତ୍ରୀ କାହିଁକି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ପ୍ରକଳ୍ପ ପଛରେ ପଡ଼ିଛନ୍ତି ତାହା ସ୍ପଷ୍ଟ ହେଉ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି ମାସ୍‌ ରାପିଡ୍‌ ଟ୍ରାନ୍ସିଟ୍‌ ସିଷ୍ଟମ (ଏମଆରଟିଏସ)ର ସହର ସମନ୍ୱୟ କମିଟିର ଜଣେ ଅଧିକାରୀ କହିଛନ୍ତି, ମାଟି ପରୀକ୍ଷଣ ସମାପ୍ତ ହେବା ପରେ ପ୍ରକଳ୍ପର ପିଲର କାମ ଆରମ୍ଭ ହେବାକୁ ନିର୍ଦ୍ଧାରିତ ହୋଇଛି। ତେବେ ଜୟଦେବ ବିହାର-ନନ୍ଦନକାନନ ଅଂଶର କାମ ରାଜ୍ୟ ସରକାର ଯୋଜନାରେ ପରିବର୍ତ୍ତନ ବିଚାର କରୁଥିବାରୁ ଅସ୍ଥାୟୀ ଭାବେ ସ୍ଥଗିତ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ସରକାର ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ) ଠାରୁ କଟକର ତ୍ରିଶୂଳିଆ ପର୍ଯ୍ୟନ୍ତ ୨୬ କିଲୋମିଟର ଲମ୍ୱା ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନେବାକୁ ଯୋଜନା କରିଥିଲେ। ଏଥିପାଇଁ ୬୨୨୫ କୋଟି ଟଙ୍କା ବରାଦ ହୋଇଥିଲା ଏବଂ ୨୦୨୪ ଜାନୁଆରୀ ୧ ତାରିଖରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ରିଶୂଳିଆ ନିକଟରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୨୬ ମସିହା ସୁଦ୍ଧା ଏହି ପ୍ରକଳ୍ପକୁ ଶେଷ କରିବାକୁ ଲକ୍ଷ୍ୟ ରହିଥିଲା। ମାତ୍ର ସମ୍ପ୍ରତି ସରକାର ପରିବର୍ତ୍ତନ ପରେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତ ସମ୍ପୂର୍ଣ୍ଣ ଅନିଶ୍ଚିତ ହୋଇ ପଡ଼ିଛି । ଏହି ପ୍ରକଳ୍ପ କେବେ ଶେଷ ହେବ ସେଥିରେ କୌଣସି ସ୍ଥିରତା ନାହିଁ।

About The Author: The Sakala