ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ: ୬ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ସେମିଳିଗୁଡ଼ା ସବୁଠୁ ଥଣ୍ଡା

ଭୁବନେଶ୍ୱର: ଓଡ଼ିଶାରେ ଶୀତର ଲହରି ଆରମ୍ଭ ହୋଇଯାଇଛି। ରାଜ୍ୟର ଅଧିକାଂଶ ଭାଗରେ ରାତିର ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିଥିବା ବେଳେ ପ୍ରବଳ ଶୀତ ଅନୁଭୂତ ହେଉଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ସୋମବାର ରାତିରେ ସେମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଭାବେ ରେକର୍ଡ ହୋଇଛି, ଯେଉଁଠାରେ ତାପମାତ୍ରା ୧୧.୬ ଡିଗ୍ରୀ ସେଲସିୟସ ରହିଥିଲା। ଏହା ପଛକୁ ଜି.ଉଦୟଗିରି (୧୨.୪ ଡିଗ୍ରୀ), ଦାରିଙ୍ଗବାଡ଼ି (୧୪ ଡିଗ୍ରୀ), ଫୁଲବାଣୀ ଏବଂ ଝାରସୁଗୁଡ଼ା (ପ୍ରତ୍ୟେକ ୧୪.୫ ଡିଗ୍ରୀ) ଏବଂ ଭବାନୀପାଟଣା (୧୪.୬ ଡିଗ୍ରୀ) ରହିଛି। 

ରାଜ୍ୟର ମୋଟ ୬ଟି ସ୍ଥାନରେ ରାତିର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି। ଟ୍ୱିନ୍ ସିଟିରେ ମଧ୍ୟ ଶୀତର ପ୍ରଭାବ ବଢୁଛି। ଭୁବନେଶ୍ୱରରେ ରାତିର ତାପମାତ୍ରା ୧୮.୫ ଡିଗ୍ରୀ ଏବଂ କଟକରେ ୧୭.୪ ଡିଗ୍ରୀ ରେକର୍ଡ କରାଯାଇଛି। ବିଶେଷ କରି ଝାରସୁଗୁଡ଼ାରେ ତାପମାତ୍ରା ସ୍ୱାଭାବିକ ଠାରୁ ୩.୫ ଡିଗ୍ରୀ କମ୍ ରହିଛି। କୋରାପୁଟ ଜିଲ୍ଲାରେ ପାଣିପାଗରେ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ ସେମିଳିଗୁଡ଼ାରେ ତାପମାତ୍ରା ୧୧.୬ ଡିଗ୍ରୀ ଥିବା ବେଳେ ମାତ୍ର ୨୦-୨୨ କିମି ଦୂରରେ ଥିବା କୋରାପୁଟ ସହରରେ ଏହା ୨୦ ଡିଗ୍ରୀ ରହିଛି। 

ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଣିପାଗ ସ୍ଥିର ରହିବ ଏବଂ ବର୍ଷାର କୌଣସି ସମ୍ଭାବନା ନାହିଁ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ଅନୁଯାୟୀ, ନଭେମ୍ବର ୧୩ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା ଖୁବ୍ କମ୍ ବୋଲି ସେ ସୂଚନା ଦେଇଛନ୍ତି।

About The Author: Madhusudan Das