ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆସନ୍ତାକାଲି(ସୋମବାର) ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ହିନ୍ଦୀ, ସଂସ୍କୃତ ଓ ଖେଳ ଶିକ୍ଷକ(ପିଇଟି) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଖାଲିଥିବା ୨ହଜାର ୫୫ ହିନ୍ଦୀ ଶିକ୍ଷକ, ୧ ହଜାର ୩୦୪ ସଂସ୍କୃତ ଶିକ୍ଷକ ଏବଂ ୧ ହଜାର ୨୬୦ ପିଇଟି ପଦକୁ ମିଶାଇ ପ୍ରଥମ ପର୍ଯ୍ୟାୟର ୪ ହଜାର ୬୧୯ଟି ଶିକ୍ଷକ ପଦ ପୂରଣ ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିବେ। ଏଥିପାଇଁ ଛାତ୍ରଛାତ୍ରୀମାନେ ଚଳିତ ମାସ ୨୩ ତାରିଖ ଦିନ ୧୧ଟାରୁ ସେପ୍ଟମ୍ବର ୧୪ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ଆବେଦନ କରିବେ। ତେବେ ଅକ୍ଟୋବର ପ୍ରଥମ ସପ୍ତାହରେ ଆଶାୟୀ ଶିକ୍ଷକଙ୍କ ପରୀକ୍ଷା ଅନଲାଇନ୍ ସିବିଟି ମୋଡ୍ରେ ଅନୁଷ୍ଠିତ ହେବ।
ସେହିପରି ପରବର୍ତ୍ତୀ ପର୍ଯ୍ୟାୟରେ ୬୦୬୫ ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ(ଟିଜିଟି), ତେଲୁଗୁ ଶିକ୍ଷକ ଏବଂ ୯୪୦ଟି ନୂତନ ଭାବେ ସୃଷ୍ଟି ହୋଇଥିବା କ୍ଲାସିକାଲ୍ ଓ ହିନ୍ଦୀ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ(ଟିଜିଟି) ପାଇଁ ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ୧୧ ହଜାର ୪୫୦ଟି ଶିକ୍ଷକ ପଦ ପୂରଣ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୧୬ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।