ଭୁବନେଶ୍ୱର : ଏକକ ପିଜି ପ୍ରବେଶିକା ଲାଗି ଆବେଦନ ଅବଧି ବୃଦ୍ଧି ହୋଇଛି। ଆସନ୍ତା ଜୁଲାଇ ୪ ତାରିଖ ଯାଏଁ ଛାତ୍ରଛାତ୍ରୀ ଏକକ ପିଜି ପ୍ରବେଶିକା ପାଇଁ ଆବେଦନ କରିବେ। ଜୁଲାଇ ୬ରୁ ୮ ଯାଏଁ ଛାତ୍ରଛାତ୍ରୀ ଫର୍ମ ସଂଶୋଧନ କରିପାରିବେ। ଏନେଇ ଏନଟିଏ ପକ୍ଷରୁ ନୂତନ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଆବେଦନର ଶେଷ ଦିନ ଜୁନ୍ ୧୯ ତାରିଖ ରହିଥିଲା।
ସେହିପରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପିଜି(ସ୍ନାତକୋତ୍ତର) ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହେବ। ଦେଶର ୪୨ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ଶେଷ ସପ୍ତାହରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁଥିବାବେଳେ ପିଲାଙ୍କ ପରୀକ୍ଷା ଦୈନିକ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ। ଦୁଇ ଘଣ୍ଟା ଲେଖାଏଁ ପରୀକ୍ଷାର ସମୟ ଅବଧି ରହିବ। ସିବିଟି ଜରିଆରେ ପିଲାଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଇଂରାଜୀ ଓ ହିନ୍ଦୀ ସମେତ ୧୩ ଆଞ୍ଚଳିକ ଭାଷାରେ ପିଲାଙ୍କ ପ୍ରଶ୍ନପତ୍ର ଉପଲବ୍ଧ ହେବ। ତେବେ ଛାତ୍ରଛାତ୍ରୀ ଏନଟିଏର ୱେବ ସାଇଟ୍ www.nta.ac.inଜରିଆରେ ଏସମ୍ପର୍କିତ ସମସ୍ତ ତଥ୍ୟ ପାଇ ପାରିବେ ବୋଲି ଏନ୍ଟିଏ ଦର୍ଶାଇଛି।