ଭୁବନେଶ୍ୱର: ଭାରତକୁ ଶ୍ରେଷ୍ଠତା ପ୍ରଦାନ କରିବାକୁ ହେଲେ ବିକାଶ ପ୍ରକ୍ରିୟା ଗ୍ରାମାଞ୍ଚଳରୁ ଆରମ୍ଭ ହେବା ଆବଶ୍ୟକ। ମହାତ୍ମା ଗାନ୍ଧୀଙ୍କ ଗ୍ରାମ୍ୟ ସ୍ୱରାଜର ପରିକଳ୍ପନାକୁ ସାକାର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରି କରିଛନ୍ତି। ଏବେ ଏହାକୁ ତ୍ୱରାନ୍ୱିତ କରିବା ଲାଗି ହାତକୁ ନିଆଯାଇଛି ବିଭିନ୍ନ ପଦକ୍ଷେପ। ରାଜ୍ୟର ପ୍ରତ୍ୟେକ ପଞ୍ଚାୟତକୁ ସ୍ୱୟଂ ସମ୍ପୂର୍ଣ୍ଣ ଓ ସ୍ୱୟଂ ସମୃଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଛି ନକ୍ସା। ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ୱାର ଦେଶରେ ସରକାରୀ ସୁବିଧା ପହଞ୍ଚାଇବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାର କାର୍ଯ୍ୟାନ୍ୱୟନ ପାଇଁ ପ୍ରତି ପଞ୍ଚାୟତରେ ଅନ୍ୟୂନ ୧୦ ଜଣ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ଯୋଜନା କରାଯାଇଛି। ନିକଟରେ କ୍ୟାବିନେଟ୍ ବୈଠକରେ ଗ୍ରାମାଞ୍ଚଳ ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଜିଲ୍ଲା
ପରିଷଦ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ)ର ସମ୍ମିଶ୍ରଣ କରାଯାଇଛି। ଯାହାଫଳରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ ପାଇବ। ଲୋକ ପ୍ରତିନିଧିଙ୍କୁ ଗୁରୁତ୍ୱ ପୂର୍ବାପେକ୍ଷା ଆହୁରି ବୃଦ୍ଧି ପାଇବ। ପ୍ରତିଟି ବ୍ୟକ୍ତିବିଶେଷଙ୍କ ଦ୍ୱାରରେ ସମସ୍ତ ସୁବିଧା ପହଞ୍ଚିବା ପାଇଁ ରାଜ୍ୟ ସରକାର ପଞ୍ଚାୟତସ୍ତରରେ ପ୍ରାୟ ୧୦ ହଜାର ନିଯୁକ୍ତି ପ୍ରଦାନ କରିବାକୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।
ଏହି କ୍ରମରେ ଜନ ଯୋଜନା ଅଭିଯାନ(ପିପୁଲ୍ସ ପ୍ଲାନ କ୍ୟାମ୍ପେନ) ଅଧିନରେ ଗ୍ରାମ ପଞ୍ଚାୟତସ୍ତରରେ ସମାବେଶୀ ଗ୍ରାମ ବିକାଶ ଯୋଜନା କାର୍ଯ୍ୟକାରୀ ହୋଇପାରିବ। ଏହି ଯୋଜନା ଅଧିନରେ ଗ୍ରାମ ପଞ୍ଚାୟତସ୍ତରରେ ବିକାଶ ଯୋଜନାର ପ୍ରସ୍ତୁତ ପାଇଁ ଗ୍ରାମସଭା ଅନୁଷ୍ଠିତ ଲକ୍ଷ୍ୟ ରଖାଯାଇଛି ଏବଂ ଏଥିରେ ବିଭିନ୍ନ ବିଭାଗର ଆଗଧାଡ଼ିର ଅଧିକାରୀମାନେ ଯୋଗଦେବେ। ଯାହାଫଳରେ ଏକ ସମାବେଶୀ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ ହୋଇପାରିବ। ଏହାଦ୍ୱାରା ସମାଜର ଶେଷଧାଡ଼ିରେ ଥିବା ଲୋକଟି ପାଖରେ ସବୁ ସୁବିଧା, ସୁଯୋଗ ପହଞ୍ଚିବାକୁ ଥିବାବେଳେ ଆଗାମୀ ଦିନରେ ଗ୍ରାମ ପଞ୍ଚାୟତ ବିକାଶର ନୂଆ ପଟ୍ଟକଥା ଲେଖିବ ବୋଲି ଆଶା କରାଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
ଆଗାମୀ ଦିନରେ ଗ୍ରାମ ପଞ୍ଚାୟତ, ବ୍ଲକ, ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ଭାବେ ବିକାଶ ଯୋଜନାମାନ ପ୍ରସ୍ତୁତ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାମାନ ପ୍ରସ୍ତୁତ ହେବାକୁ ଥିବାବେଳେ ଏହି ଯୋଜନା ଅଧିନରେ ସମସ୍ତ ବିକାଶମୂଳକ ପଦକ୍ଷେପମାନ ଗ୍ରହଣ କରାଯିବ। ଏହିକ୍ରମରେ ରାଜ୍ୟ ସରକାର ଗ୍ରାମ ପଞ୍ଚାୟତସ୍ତରରେ ସ୍ୱତନ୍ତ୍ର ଗ୍ରାମସଭାମାନ ଆୟୋଜନ କରିବାକୁ ପଦକ୍ଷେପ ନେଉଥିବା ବେଳେ ଏଥିରେ ବିଭିନ୍ନ ବିଭାଗର ଆଗଧାଡ଼ିର ଅଧିକାରୀମାନେ ଯେପରି ଯୋଗଦାନ କରିବେ ସେନେଇ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ୬ ହଜାରରୁ ଊର୍ଦ୍ଧ୍ବ ଗ୍ରାମ ପଞ୍ଚାୟତସ୍ତରରେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପାନୀୟଜଳ, ଗମନାଗମନ ପରି ମୋଟ ୨୯ଟି କ୍ଷେତ୍ରରେ ସ୍ୱତନ୍ତ୍ର ଯୋଜନାମାନ ପ୍ରସ୍ତୁତ କରାଯିବ। ଦାରିଦ୍ର୍ୟ ଦୂରୀକରଣ, ନିରୋଗ ଗ୍ରାମ, ପାନୀୟ ଜଳର ସହଜ ଉପଲବ୍ଧତା, ଭିତ୍ତିଭୂମି ନିର୍ମାଣ ଉପରେ ଗ୍ରାମ ସଭାରେ ସ୍ୱତନ୍ତ୍ର ଚର୍ଚ୍ଚା ହୋଇ ସମ୍ପୃ୍ତ ପଞ୍ଚାୟତପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହେବ। ସେହି ଅନୁଯାୟୀ ଆଗାମୀ ଆର୍ଥିକ ବର୍ଷ ତଥା ଆଗାମୀ ଦିନରେ ବିକାଶମୂଳକ କାର୍ଯ୍ୟକ୍ରମ ପ୍ରଣୟନ କରାଯିବ ବୋଲି ଜଣାପଡ଼ିଛି। ଏହାସହ ଗ୍ରାମସଭା ବୈଠକରେ ଯୋଗଦେବାକୁ ଥିବା ଅଧିକାରୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ରାଜ୍ୟର ୬୦୦୦ରୁ ଊର୍ଦ୍ଧ୍ବ ଗ୍ରାମ ପଞ୍ଚାୟତରେ ଆସନ୍ତା ୨୦୨୬ ସୁଦ୍ଧା ସମସ୍ତ ସୁବିଧା ପହଞ୍ଚାଇବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିସାରିଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଛି।