ଶିଶୁପାଳଗଡ଼ ଗୁଳିମାଡ଼ ଘଟଣାରେ ଆଉ ଜଣେ ଗିରଫ, ହତ୍ୟାରେ ବ୍ୟବହୃତ ବନ୍ଧୁକ ଓ ଅଫୁଟା ଗୁଳି ଜବତ

ଭୁବନେଶ୍ୱର: ଭୁବନେଶ୍ୱରର ଶିଶୁପାଳଗଡ଼ ଗୁଳିକାଣ୍ଡ ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଧଉଳି ଥାନା ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ସୋମନାଥ ଗଜେନ୍ଦ୍ର, ଯିଏକି ପୂର୍ବରୁ ଗିରଫ ହୋଇଥିବା ଚିତ୍ରସେନ ଗଜେନ୍ଦ୍ରଙ୍କ ଭାଇ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲିଠାରୁ ସୋମନାଥଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିଲା ଏବଂ ଆଜି ତାଙ୍କୁ ଗିରଫ କରାଯାଇଛି।

ରିମାଣ୍ଡରେ ଥିବା ଦୁଇ ଅଭିଯୁକ୍ତଙ୍କଠାରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକଟି ସୋମନାଥଙ୍କ ପାଖରେ ରଖାଯାଇଥିବା ତଦନ୍ତରୁ ଜଣାପଡିଛି। ପୋଲିସ ସୋମନାଥଙ୍କ ଘରେ ଚଢ଼ାଉ କରି କିଛି ଜୀବନ୍ତ ଗୁଳି ମଧ୍ୟ ଜବତ କରିଛି। ଏହି ମାରଣାସ୍ତ୍ରର ମାଲିକାନା, ଏହାର ଗତିବିଧି ଏବଂ ଏହି ଅପରାଧରେ ସଂପୃକ୍ତ ଅନ୍ୟମାନଙ୍କ ଭୂମିକା ସମ୍ପର୍କରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।

ଧଉଳି ଥାନା ପୋଲିସ ଆଜି ଅଭିଯୁକ୍ତ ସୋମନାଥଙ୍କୁ କୋର୍ଟରେ ହାଜର କରିବ। ଶିଶୁପାଳଗଡ଼ ଗୁଳିକାଣ୍ଡ ମାମଲାରେ ପୋଲିସର ତଦନ୍ତ ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରିବା ପରେ ଏହି ଘଟଣା ପଛର ଅସଲ ରହସ୍ୟ ଉନ୍ମୋଚିତ ହେବ ବୋଲି ପୋଲିସ କହିଛି।

About The Author: Sakala Desk