ଭୁବନେଶ୍ୱର : ଆସନ୍ତା ୫ ତାରିଖରୁ ବସିବ ଷୋଡଶ ବିଧାନସଭାର ୧୫ ତମ ଅଧିବେଶନ। ଫେବ୍ରୁଆରୀ ୫ରୁ ୧୩ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। କାମଚଳା ବଜେଟ ମଧ୍ୟ ରହିଛି । ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ଆସନ୍ତା ୪ତାରିଖ ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ବସିବ। ଏ ନେଇ ସୂଚନା ଦେଇଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସୁଥିବା ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧିଙ୍କ ସହଯୋଗ ଲୋଡିବେ ବାଚସ୍ପତି ।
ସେପଟେ ବିଧାନସଭା ଅଧିବେଶନ ପାଇଁ ଆସନ୍ତା ୫ ତାରିଖ ଦିନ ବିଜେଡି ବିଧାୟକ ଦଳ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବୈଠକ ବସିବ । କେଉଁ କେଉଁ ପ୍ରସଙ୍ଗକୁ ଗୃହରେ ଶାସକ ଦଳ ଉଠାଇବ, ସେନେଇ ରଣନୀତି ପ୍ରସ୍ତୁତ କରାଯିବ । ଏହାସହ ବିରୋଧୀ ମାନେ ଯେଉଁ ପ୍ରସଙ୍ଗ ଉଠାଇବେ ତାର ଗଠନ ମୂଳକ ଜବାବ ଦେବା ପାଇଁ ବୈଠକରେ ଆଲୋଚନା କରାଯିବ।