ଗହୀରମଥାରେ ସମୂହ ଅଣ୍ଡାଦାନ, ପହଞ୍ଚିଲେ ୭୨ ହଜାର କଇଁଛ

ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ଗହୀରମଥାରେ ଅଲିଭ୍‍ ରିଡଲେ କଇଁଛମାନଙ୍କର ସମୂହ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଯାଇଛି। ବୁଧବାର ଗହୀରମଥା ସ୍ଥିତ ନାସି ବେଳାଭୂମିରେ ଏକାଥରକେ ୭୨ ହଜାର ୬୦୦ କଇଁଛ ଅଣ୍ଡାଦାନ କରିଥିବା ରାଜକନିକା ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୧୬ ତାରିଖ ଗହୀରମଥା ସ୍ଥିତ ନାସି ବେଳାଭୂମିରେ ୩୨ ହଜାର କଇଁଛ ସମୂହ ଅଣ୍ଡାଦାନ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଲକ୍ଷ […]

ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ଗହୀରମଥାରେ ଅଲିଭ୍‍ ରିଡଲେ କଇଁଛମାନଙ୍କର ସମୂହ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଯାଇଛି। ବୁଧବାର ଗହୀରମଥା ସ୍ଥିତ ନାସି ବେଳାଭୂମିରେ ଏକାଥରକେ ୭୨ ହଜାର ୬୦୦ କଇଁଛ ଅଣ୍ଡାଦାନ କରିଥିବା ରାଜକନିକା ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୧୬ ତାରିଖ ଗହୀରମଥା ସ୍ଥିତ ନାସି ବେଳାଭୂମିରେ ୩୨ ହଜାର କଇଁଛ ସମୂହ ଅଣ୍ଡାଦାନ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଲକ୍ଷ ୩୫ ହଜାର କଇଁଛ ଅଣ୍ଡାଦାନ କରି ସାରିଛନ୍ତି। କଇଁଛମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୪ ଘଣ୍ଟିଆ ପାଟ୍ରୋଲିଂରେ ରହି ବନ ବିଭାଗ କର୍ମଚାରୀମାନେ କଇଁଛମାନଙ୍କୁ ସୁରକ୍ଷା ଦେଉଛନ୍ତି। ନାସି ବେଳଭୂମି ଛଡା ପାଣିଭିତରେ ଯେଉଁଠି କଇଁଛମାନେ ଏକାଠି ହେଉଛନ୍ତି ସେଠାରେ ମଧ୍ୟ ବନ ବିଭାଗ ପକ୍ଷରୁ ସୁରକ୍ଷା ଦିଆଯାଉଛି। ବେଆଇନ୍‍ ଟ୍ରଲରଗୁଡ଼ିକର ଯିବା ଆସିବା ଦ୍ୱାରା ଯେପରି କଇଁଛମାନଙ୍କ ଅଣ୍ଡାଦେବାରେ କୌଣସି ଅସୁବିଧା ନ ହୁଏ ସେଥିପାଇଁ ବନ ବିଭାଗ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛି। ପାଖାପାଖି ୫୦ ଜଣ ବନ ବିଭାଗ କର୍ମଚାରୀ ଏହି କାମରେ ନିୟୋଜିତ ଅଛନ୍ତି। କଇଁଛ ଅଣ୍ଡାକୁ ଠିକ୍‍ ଭାବେ ଗଣିବା ସହ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ୨୪ଟି ସେଗ୍‍ମେଣ୍ଟରେ ଏସବୁ କାମ କରାଯାଇଛି। ଏସବୁ କାମର ତଦାରଖ କରିବା ପାଇଁ ୨୬ ଜଣ ଦକ୍ଷ କମଚାରୀଙ୍କୁ ନିୟୋଜିତ କରାଯାଇଛି। ଯେଉଁମାନେ କି ୨୪ ଘଣ୍ଟା ବେଳାଭୂମିରେ ରହି କଇଁଛମାନଙ୍କ ବିଚରଣ ଓ ଅଣ୍ଡାଦାନ ପ୍ରକ୍ରିୟା ଉପରେ ନଜର ରଖୁଛନ୍ତି। ରାଜନଗର ହେନ୍ତାଳ ଜଙ୍ଗଲଠାରୁ ଆରମ୍ଭ କରି ନାସି ୨ ବେଳାଭୂମି ପର୍ଯ୍ୟନ୍ତ ୧୦୦ ମିଟର ଚଉଡା ସ୍ଥାନକୁ ବିଭାଗ ଗୋଟିଏ ଲେଖାଏଁ ସେଗ୍‍ମେଣ୍ଟ କରି ଏହି କାମର ତଦାରଖ କରୁଛି।

ଏ ବାବଦରେ ବନଖଣ୍ଡ ଅଧିକାରୀ ଆହୁରି କହିଛନ୍ତି ଗତ ୭୨ ଘଣ୍ଟା ଭିତରେ ଗହୀରମଥା ସ୍ଥିତ ନାସି ବେଳାଭୂମି ୨ରେ ଏକ ଲକ୍ଷ ୨୦ ହଜାର ଅଲିଭ୍‍ରିଡଲେ ଅଣ୍ଡା ଦେଇ ସାରିଛନ୍ତି। ଆସନ୍ତା ୭ରୁ ୮ ଦିନ ଯାଏଁ ଏହିପରି ସମୂହ ଅଣ୍ଡାଦାନ ପର୍ବ ଚାଲିବ। ଏହା ସବୁ ବର୍ଷ ହୁଏ। ମାର୍ଚ୍ଚ ୧୪ରୁ ମାର୍ଚ୍ଚ ୧୫ ଭିତରେ ନାସି ୨ ବେଳାଭୂମିରେ ୧୮ ହଜାର ୩୫୦ ଅଲିଭ୍‍ରିଡଲେ ଅଣ୍ଡା ଦେଇଥିବା ବେଳେ ମାର୍ଚ୍ଚ ୧୫ ଓ ମାର୍ଚ୍ଚ୧୬ ତାରିଖରେ ନାସି ୨ର ଗୋଲଡେନ୍‍ ବିଚ୍‍ରେ ୩୨ ହଜାର ୬୦୦ କଇଁଛ ଅଣ୍ଡାଦାନ କରିଛନ୍ତି। ସେହିପରି ଗତ ୨୪ ଘଣ୍ଟା ଭିତରେ ୭୨ ହଜାର ୬୦୦ କଇଁଛ ଅଣ୍ଡାଦାନ କରିଛନ୍ତି। ଗତବର୍ଷ ମାର୍ଚ୍ଚ ୧୪ରୁ ୨୧ ଭିତରେ ୪ ଲକ୍ଷ ଅଲିଭ୍‍ ରିଡଲେ କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ବନ୍ୟପ୍ରାଣୀସୁରକ୍ଷା ଆଇନ ୧୯୭୨ ଅନୁସାରେ ଅଲିଭ୍‍ ରିଡଲେ କଇଁଛ ସିଡ୍ୟୁଲ୍‍ ୧ ଭିତରେ ଆସୁଥିବାରୁ ଏହାର ସୁରକ୍ଷା ଅତି ଜରୁରୀ। ଅପରପକ୍ଷେ ବନବିଭାଗ କର୍ମଚାରୀଙ୍କ ୨୪ ଘଣ୍ଟିଆ ପାଟ୍ରୋଲିଂ ଯୋଗୁଁ ବେଆଇନ ଟ୍ରଲ୍‍ରମାନେ ଆଉ ସମୁଦ୍ର ଭିତରକୁ ଯାଇ ପାରୁନାହାଁନ୍ତି। କଇଁଛମାନଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ନଭେମ୍ବର ୧ରୁ ମେ’ ୩୧ ଯାଏଁ ଗହୀରମଥା ବେଳାଭୂମି ଆଖପାଖ ୨୦ କିଲୋମିଟର ଭିତରକୁ ନିଷିଦ୍ଧ ଘୋଷଣା କରାଯାଇଛି।

About The Author: The Sakala