ଦିନକୁ ଦିନ ବାୟୁ ପ୍ରଦୂଷଣ ଭୟଙ୍କର ହେଉଛି। ବିଷାକ୍ତ ବାୟୁ କେବଳ ପରିବେଶକୁ ଦୂଷିତ କରୁଛି ତାହା ନୁହେଁ, ମନୁଷ୍ୟ ଶରୀର ଉପରେ ନାନା କ୍ଷତି ପହଞ୍ଚାଉଛି। ପ୍ରଦୂଷିତ ବାୟୁ ଯୋଗୁଁ ଫୁସ୍ଫୁସ୍ଜନିତ ସମସ୍ୟା, ଗଳା ଯନ୍ତ୍ରଣା, କାଶ, ହୃଦ୍ରୋଗ, ଫୁସ୍ଫୁସ୍ କର୍କଟ, ଯକ୍ଷ୍ମା, ଆଜ୍ମା ପରି ରୋଗ ବ୍ୟାପିବାର ଆଶଙ୍କା ରହିଛି। ହେଲେ ଏବେ ବାୟୁରୁ ମଧ୍ୟ କ୍ଷତିକାରକ ଭୂତାଣୁ ଚିହ୍ନଟ ସହଜ ହେବ। ଆମେରିକା ପରି ଦେଶରେ ବାୟୁରୁ ବିପଜ୍ଜନକ ଭୂତାଣୁ ଚିହ୍ନଟ ପାଇଁ ଅତ୍ୟାଧୁନିକ ସେନ୍ସର୍ ବିକଶିତ କରାଯାଇଥିବାବେଳେ ଏ କ୍ଷେତ୍ରରେ ଆଇଆଇଟି, ଚେନ୍ନାଇ ସଂସ୍ଥାନ ମଧ୍ୟ ପଛରେ ନାହିଁ। ଏହି ସେନ୍ସର୍ ଉପରେ ଗବେଷକମାନେ ନାନା ଗବେଷଣା କରୁଛନ୍ତି।
ଏନେଇ ଆମେରିକା, ମିୟାମି ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ଡ.ପ୍ରତିମ ବିଶ୍ବାସ ଡୁନ୍ ବିଶ୍ବବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଏରୋଜୋଲ କନ୍ଫେରେନ୍ସରେ ଏହି କୌଶଳ ଉପରେ ସବିବେଶ ତଥ୍ୟ ଦେଇଛନ୍ତି। ଏହି ସେନ୍ସର ବାୟୁରେ ଥିବା ଭୂତାଣୁକୁ ସଠିକ୍ ଚିହ୍ନଟ କରିପାରିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି। ବାୟୁରେ ଧୂଳି ବ୍ୟତୀତ ଅଙ୍ଗାରକାମ୍ଳ, ସଲ୍ଫର ଆଦି ଅନେକ ପ୍ରକାର ବିପ୍ପଜନକ କଣିକା ଥାଏ। ଏହାକୁ ପରିଚାଳନା କରିବାକୁ ଏବେ ସ୍ବତନ୍ତ୍ର ଉପକରଣ ବିକଶିତ କରାଯାଉଛି। ଯେଉଁଥିରୁ ବାୟୁରେ ବ୍ୟାପୁଥିବା ବିଭିନ୍ନ ପ୍ରକାର ଭୂତାଣୁ ଚିହ୍ନଟ ସହ ଏହା କେତେ ବିପଜ୍ଜନକ ତାହା ମଧ୍ୟ ଆକଳନ କରିପାରିବ। ତେବେ କରୋନା ସମୟରେ ଆମେରିକା ଏବଂ ରୁଷ ପରି ଦେଶ ଦ୍ବାରା ବିକଶିତ କରାଯାଇଥିବା ଭାଇରଲ ସେନ୍ସର୍କୁ ଅଧିକ ଉନ୍ନତ କରିବାକୁ ଏହା ଉପରେ କାମ ଚାଲୁଛି। ଯାହା କି ବାୟୁରେ ସମସ୍ତ ପ୍ରକାର ଭୂତାଣୁ ଆସିଲେ, ତୁରନ୍ତ ଆଲର୍ଟ କରିପାରିବ। ଏହାଦ୍ବାରା ଭବିଷ୍ୟତରେ ଯେକୌଣସି ଭୂତାଣୁ ବ୍ୟାପିବାକୁ ନିୟନ୍ତ୍ରଣ କରାଯାଇପାରିବ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କରୋନା ପରି ଘାତକ ରୋଗକୁ ନିୟନ୍ତ୍ରଣ କରିବାରେ ଏହି ସେନ୍ସର ବଡ଼ ଭୂମିକା ରହିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତ ରଖିଛନ୍ତି।