ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଉପରୁ ଧୀରେଧୀରେ ପରଦା ଉଠୁଛି। ଏହି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଚାଲିଛି ଜେରା । କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଜେରା ନେଇ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ପୁଲିସକୁ ଚକମା ଦେବାକୁ ଚେଷ୍ଟା କରିଥିଲେ ଶର୍ମିଷ୍ଠା। ତଦନ୍ତ ସମୟରେ ଭୁବନେଶ୍ୱର ଛାଡି ପଳାଇଥିଲେ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ। ପୋଲିସକୁ ଚକମା ଦେବାକୁ ନିଜ ମୋବାଇଲ ସିମ୍ କାର୍ଡ ମଧ୍ୟ ବଦଳାଉଥିଲେ। ପୁଲିସ ଗିରଫ ଭୟରେ ନିଜ ମୋବାଇଲକୁ ଭୁବନେଶ୍ୱରସ୍ଥିତ ଫ୍ଲାଟରେ ଛାଡି ଦେଇଥିଲେ ଶର୍ମିଷ୍ଠା। ସମ୍ପର୍କୀୟଙ୍କ ସହ କଥା ହେବାକୁ ନୂଆ ସିମ୍ କିଣିଥିଲେ। ଆଗରପଡାରୁ ଗୋଟିଏ ନୂଆ ସିମ୍ ଏବଂ କୋଲକାତାରୁ ଦୁଇଟି ନୂଆ ସିମ୍ କିଣିଥିଲେ ଶର୍ମିଷ୍ଠା।
୭ ମାର୍ଚ୍ଚରେ ଶର୍ମିଷ୍ଠା ଯାଜପୁର କାଳିଆପାଣିସ୍ଥିତ ନିଜ ଶାଶୁଙ୍କ ଘରକୁ ଯାଇଥିଲେ । ସ୍ୱାମୀଙ୍କ ସହ ସମ୍ପର୍କ ସୁଧାରିବା ଉଦ୍ଦେଶ୍ୟରେ ଏକ ପୂଜା କରିବାକୁ ଆସିଥିବା କହି ଶାଶୁ ସହ ୩ ଦିନ ରହିଥିଲା ଶର୍ମିଷ୍ଠା । ସାଥିରେ ଥିଲା ଝୁନା । ମାର୍ଚ୍ଚ ୧୦ ତାରିଖ ଭୋର ସାଢେ ୫ଟାରେ ଶାଶୁଙ୍କୁ ସାଙ୍ଗରେ ନେଇ ପୁଲିପୁସି ଗାଁରୁ ଭଦ୍ରକ ଜିଲ୍ଲାର ଆଗରପଡା ଅଭିମୁଖେ ବାହାରି ଥିଲା ଶର୍ମିଷ୍ଠା । ଏହା ପରେ ଭଦ୍ରକ ଜିଲ୍ଲାର ପୁରୁଷଣ୍ଢ ଗାଁରେ ପହଞ୍ଚିଥିଲା ଶର୍ମିଷ୍ଠା । ସେଠାରେ ନିଜ ନଣନ୍ଦଙ୍କ ଘରେ ଶାଶୁ ଓଝୁନାଙ୍କ ସହ ୩ ଦିନ ରହିଥିଲା ।
ମାର୍ଚ୍ଚ ୧୩ ତାରିଖରେ ମଧ୍ୟାହ୍ନ ୨ଟା ୩୦ରେ ଶର୍ମିଷ୍ଠା ଓ ଝୁନା ଏକ ଅଟୋ ଯୋଗେ କୁପାରି ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ସେଠାରୁ ବସ ଯୋଗେ ବାଲେଶ୍ୱରରେ ପହଞ୍ଚିଥିଲେ । ପୋଲିସ ଗିରଫଦାରୀ ଏଡ଼ାଇବା ଲାଗି ଶର୍ମିଷ୍ଠା ଓ ଝୁନା ବାଲେଶ୍ୱରରୁ ଟ୍ରେନ ଯୋଗେ କୋଲକାତା ଯାଇଥିଲେ । ହାୱାଡା ଷ୍ଟେସନରେ ପହଞ୍ଚିବା ପରେ ଶର୍ମିଷ୍ଠା ଓ ଝୁନା ପଶ୍ଚିମବଙ୍ଗର ନଦିଆ ଜିଲ୍ଲା କଲ୍ୟାଣୀକୁ ଚାଲି ଯାଇଥିଲେ । ସେଠାରେ ଜଣେ ସମ୍ପର୍କୀୟଙ୍କ ଘରେ କିଛି ଦିନ ରହିବା ପରେ ଚାଲି ଆସିଥିଲେ ମାୟାପୁରୀ । ମାୟାପୁରୀରେ ଅସୀମା ଦାଶ ନାମ୍ନୀ ଜଣେ ମହିଳାଙ୍କ ଘରେ କିଛି ଦିନ ରହିଥିଲେ । ଗୋଟିଏ ଜାଗାରେ ରହିଲେ ପୋଲିସ କାଳେ ଜାଣି ଦେବ, ସେଥିପାଇଁ ଶର୍ମିଷ୍ଠା ତାର ସ୍ଥାନ ପରିବର୍ତ୍ତନ କରି ଜଲପାଇ ଗୁଡି ଚାଲି ଯାଇଥିଲେ । ସେଠାରେ ମଧ୍ୟ ଝୁନା ସହ କିଛି ଦିନ ରହିବା ପରେ ପୁଣି କୋଲକାତା ଫେରିଥିଲା । କୋଲକାତା ପେରିବା ବେଳେ ଶର୍ମିଷ୍ଠାଙ୍କ ପାଖରେ ଟଙ୍କା ସରି ଯାଇଥିଲା । ସେଠାରେ ରହିବା ପାଇଁ କିଛି ଆଶ୍ରୟ ନଥିଲା । ଫଳରେ ବାଧ୍ୟ ହୋଇ ବସ ଯୋଗେ ଓଡିଶା ଫେରୁଥିଲା । ହେଲେ ଭଦ୍ରକ ନଳଙ୍ଗା ଠାରେ ଶର୍ମିଷ୍ଠା ଓ ଝୁନାକୁ ଗିରଫ କରିଥିଲା ଭଦ୍ରକ ଓ କ୍ରାଇମବ୍ରାଞ୍ଚ । ଗତ କାଲି ମଧ୍ୟାହ୍ନରୁ ଭୋର ୪ଟା ଯାଏଁ କ୍ରାଇବ୍ରାଞ୍ଚ ମୁଖ୍ୟାଳୟରେ ଶର୍ମିଷ୍ଠା, ଝୁନା, ନିରଞ୍ଜନ ଓ ରଞ୍ଜନର ଜେରା ଚାଲିଥିବା ବେଳେ ଶର୍ମିଷ୍ଠା କେମିତି ଫେରାର ହେଲା ଓ କେଉଁ କୋଉଁଠି ରହିଲା ତାର ସମ୍ପୂର୍ଣ୍ଣ ବିବରଣୀ ରଖିଥିଲା କ୍ରାଇମବ୍ରାଞ୍ଚ ଆଗରେ ।
ଶର୍ମିଷ୍ଠା ଧରା ପଡିବା ପରେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କ ସହ ସମୁଦାୟ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ୨୯ ତାରିଖରୁ ପଚରା ଉଚରା ଆରମ୍ଭ କରିଛି । ଶର୍ମିଷ୍ଠା ମାଲିକାନାରେ ଥିବା ସମ୍ପୂର୍ଣ୍ଣ ଡିଜିଟାଲରେ କ୍ୟାମେରା ମ୍ୟାନ ମାନସ ସ୍ୱାଇଁଙ୍କୁ ଏକ ମେମୋରୀ ଚିପ ପାଇଁ ଶର୍ମିଷ୍ଠା ଓ ତାର ସହଯୋଗୀ ମାନେ ହତ୍ୟାକରି ପୋତି ଦେଇଥିବା ଅଭିଯୋଗରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏବେ ସମସ୍ତଙ୍କ ନଜରରେ ରହିଛି ସେ ମେମୋରୀ ଚିପ କଣ ରହିଛି । ଯେଉଁଥି ପାଇଁ ମାନସଙ୍କୁ ହତ୍ୟା କରାଯାଇଥିଲା ।