ଖଣ୍ଡଗିରି: ବସ୍ ଛାଡ଼ିବା ସମୟକୁ ନେଇ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ହଣାକଟା ଘଟଣା ମନରୁ ନ ଲିଭୁଣୁ ପୁଣି ଗତକାଲି ଡେଲ୍ଟା ଛକରେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ଗୋଟିଏ କାର୍ ସ୍କୁଟିକୁ ଧକ୍କା ଦେବାରୁ ଡେଲ୍ଟା ଛକରେ ତୁମୂଳକାଣ୍ଡ ଘଟିଛି। ସ୍ଥାନୀୟ ବସ୍ତିର ଯୁବକମାନେ କାର୍ଚାଳକଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।
ସୂଚନା ଅନୁସାରେ, ପାତ୍ରପଡ଼ା ଉଦୟଗିରି ବିହାରରେ ରହୁଥିବା ଅକ୍ଷୟ କୁମାର ନାୟକଙ୍କ ଡ୍ରାଇଭର କାଳୁ ମାଲିକଙ୍କ ସ୍କୋର୍ପିଓ ଗାଡ଼ି ନେଇ ଟଙ୍କା ଆଣିବା ପାଇଁ ରାଜମହଲ ଯାଇଥିଲେ। ସେଠାରୁ ମାଲିକଙ୍କ ଜଣେ ବନ୍ଧୁଙ୍କ ଠାରୁ ୪୦ ହଜାର ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ଡେଲ୍ଟା ଛକ ନିକଟରେ ଏକ ସ୍କୁଟିକୁ ଧକ୍କା ଦେଇଥିଲେ। ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷଣିକ ମଧ୍ୟରେ ସ୍ଥାନୀୟ ବସ୍ତିର ୧୦ରୁ ଊର୍ଦ୍ଧ୍ବ ଯୁବକ ସେଠାରେ ପହଞ୍ଚି ଆତଙ୍କ ଖେଳାଇ ଥିଲେ। ସ୍କୋର୍ପିଓ ଚାଳକ କାଳୁଙ୍କୁ ମାଡ଼ ମାରିବା ସହିତ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ତେବେ ପ୍ରାଣ ବଞ୍ଚାଇବାକୁ କାଳୁ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ତାପରେ ଦୁର୍ବୃତ୍ତମାନଙ୍କ ଆତଙ୍କ ଚରମ ସୀମାରେ ପହଞ୍ଚିଥିଲା। ପ୍ରଥମେ ଭଙ୍ଗାରୁଜା କରିବା ପରେ ଗାଡ଼ିରେ ପେଟ୍ରୋଲ ଢାଳି ନଆଁ ଲଗାଇ ଦେଇଥିଲେ। ଡେଲ୍ଟା ଛକରେ ଡ୍ୟୁଟି କରୁଥିବା ଟ୍ରାଫିକ ପୁଲିସ ଜଣଙ୍କ ୱାକି ଟକି ମାଧ୍ୟମରେ ଟ୍ରାଫିକ ଥାନା -୧ ଓ ଖଣ୍ଡଗିରି ଥାନାକୁ ଖବର ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। ତେବେ କାଣ୍ଡ କାରନାମାକୁ ନିଜ ମୋବାଇଲ୍ରେ ରେକର୍ଡ କରୁଥିବା ଟ୍ରାଫିକ ପୁଲିସଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ି ନ ଥିଲେ। ଦୁର୍ବୃତ୍ତମାନେ ଟ୍ରାଫିକ କର୍ମଚାରୀଙ୍କୁ ଧମକ ଦେବା ସହିତ ତାଙ୍କ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ଫୋନ ଛଡ଼ାଇ ନେବା ପରେ ଟ୍ରାଫିକ ପୁଲିସ ମଧ୍ୟ ଅସହାୟ ହୋଇ ପଡ଼ିଥିଲେ। ଦୁର୍ବୃତ୍ତମାନେ ଫୋନ୍ରୁ ଘଟଣାର ଭିଡିଓ ଡିଲିଟ କରିବା ପରେ ମୋବାଇଲଟି ଫେରାଇ ଦେଇଥିଲେ ଓ ଭବିଷ୍ୟତରେ ଡେଲଟା ଛକରେ ଡ୍ୟୁଟି ନ କରିବାକୁ ଟ୍ରାଫିକ କର୍ମଚାରୀଙ୍କୁ ଧମକ ଦେଇଥିଲେ। ତେବେ ରାଜଧାନୀର ଅନ୍ୟତମ ପ୍ରମୁଖ ଅଞ୍ଚଳ କୁହାଯାଉଥିବା ଡେଲ୍ଟା ଛକରେ ଦୁର୍ବୃତ୍ତ ମାନେ ଆତଙ୍କ ଖେଳାଇବା ଓ ଟ୍ରାଫିକ କର୍ମଚାରୀଙ୍କୁ ଧମକ ଦେବା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପାଖରେ ଥାଇ ବି ଆସିପାରିଲାନି ଦମକଳ
ଆଶ୍ଚର୍ଯ୍ୟର କଥା ହେଉଛି ଦମକଳ କେନ୍ଦ୍ରଟି ଘଟଣାସ୍ଥଳରୁ ମାତ୍ର କେଇ ମିଟର ଦୂରରେ ଥିଲେ ମଧ୍ୟ ବିଳମ୍ୱରେ ପହଞ୍ଚିଥିଲା। ତେବେ ସ୍କୋର୍ପିଓ ଗାଡ଼ି ମାଲିକ ଅକ୍ଷୟ କୁମାର ନାୟକ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। କାର୍ ଭିତରେ ଥିବା ୪୦ ହଜାର ଟଙ୍କା ମଧ୍ୟ ଜଳି ଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି ଓ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ କରି ତଦନ୍ତ ଚଳାଇଛି।