ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଭାରତୀୟ ବଜାରରେ ବେଶ ସୁଧାର ଆସିଛି। କାରଣ ଲୋକଙ୍କ ଖର୍ଚ୍ଚ ବର୍ତ୍ତମାନ ପ୍ରାକ୍ ମହାମାରୀ ସମୟ ତୁଳନାରେ ଢ଼େର ଅଧିକ ବଢ଼ିଯାଇଛି। ମେଟ୍ରୋ ସହର ତୁଳନାରେ ଦେଶର ଅଣ-ମେଟ୍ରୋ ବା ଛୋଟ ସହରର ଲୋକେ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଭ୍ରମଣ ଏବଂ ମନୋରଞ୍ଜନ ଭଳି ଅନ୍ୟାବଶ୍ୟକ କ୍ଷେତ୍ରରେ ସେମାନେ ଅଧିକ ଅର୍ଥ ଉଡାଉଛନ୍ତି। କାରଣ ମେଟ୍ରୋ ସହରରେ ୨୨% ଏବଂ ଅଣ-ମେଟ୍ରୋରେ ୩୦% ଲୋକଙ୍କ ଆୟରେ ବୃଦ୍ଧି ଘଟିଛି। ଛୋଟ ସହର ଲୋକଙ୍କ ଅନାବଶ୍ୟକ ଖର୍ଚ୍ଚ ମେଟ୍ରୋ ସହରର ଲୋକଙ୍କ ତୁଳନାରେ ତୁଳନାରେ ବହୁ ଗୁଣ ଅଧିକ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କରାଯାଇଥିବା ଉପଭୋକ୍ତା ଆତ୍ମବିଶ୍ବାସ ସର୍ଭେରେ ଏହା କୁହାଯାଇଛି।
ଆମାଜନ ଇଣ୍ଡିଆର କହିବାନୁଯାୟୀ କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଥିବା ଫେଷ୍ଟିଭ୍ ସେଲ୍ ଆରମ୍ଭର ଦୁଇ ଦିନ ମଧ୍ୟରେ ୮ ପ୍ରତିଶତରୁ ଅଧିକ ଗ୍ରାହକ ଅଣ-ମେଟ୍ରୋ ସହରରୁ ଲଗ୍ ଇନ୍ କରୁଛନ୍ତି। ସେହିପରି ଆର୍ବିଆଇ ସର୍ଭେର ୟୁନିଟ୍ ସ୍ତରୀୟ ତଥ୍ୟର ବିଶ୍ଳେଷଣ ଅନୁଯାୟୀ ଛୋଟ ସହରର ଲୋକମାନେ ବର୍ତ୍ତମାନ ଅଧିକ ଅର୍ଥ ରୋଜଗାର କରୁଛନ୍ତି। ତେଣୁ ସେମାନେ ଭ୍ରମଣ, ମନୋରଞ୍ଜନ ପରି ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବାରେ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ସର୍ଭେରେ ରିଜର୍ଭ ବ୍ୟାଙ୍କ ଲୋକଙ୍କୁ ଦୁଇ ଭାଗରେ ବିଭକ୍ତ କରିଛି। ଏହି ସର୍ଭେ ମେଟ୍ରୋ (ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, ଏବଂ କୋଲକାତା) ଏବଂ ଅଣ- ମେଟ୍ରୋ ସହରଗୁଡିକ (ଜୟପୁର, ନାଗପୁର, ଥିରୁବନନ୍ତପୁରମ୍ ଭଳି ସହରରେ କରାଯାଇଛି। ସର୍ବେକ୍ଷଣରୁ ଜଣାପଡିଛି ଯେ ଅଣ-ମେଟ୍ରୋ ସହରଗୁଡିକର ୭୯ ପ୍ରତିଶତ ଲୋକ ସେମାନଙ୍କ ମୋଟ ଖର୍ଚ୍ଚରେ ବୃଦ୍ଧି ହୋଇଥିବା ରିପୋର୍ଟ କରିଥିବାବେଳେ ମେଟ୍ରୋରେ ଏହି ସଂଖ୍ୟା ୭୧ ପ୍ରତିଶତ ରହିଛି।
ରିଜର୍ଭ ବ୍ୟାଙ୍କ ପ୍ରତି ଦୁଇ ମାସରେ ଗ୍ରାହକଙ୍କ ଖର୍ଚ୍ଚ ଉପରେ ଏକ ସର୍ଭେ କରିଥାଏ। ଚଳିତବର୍ଷ ଜୁଲାଇ ମାସର ତଥ୍ୟାନୁଯାୟୀ ବଜାରରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ ଉଭୟ ମେଟ୍ରୋ ଏବଂ ଅଣ-ମେଟ୍ରୋ ସହରର ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଅବଶ୍ୟ, ଅଣ-ଅତ୍ୟାବଶ୍ୟକ ଖର୍ଚ୍ଚ କ୍ଷେତ୍ରରେ ଏହି ବ୍ୟବଧାନ ବହୁତ ଅଧିକ ରହିଛି। ଅଣ-ମେଟ୍ରୋ ବା ଛୋଟ ସହରଗୁଡିକର ୩୬.୪% ଲୋକଙ୍କ ତୁଳନାରେ ମେଟ୍ରୋ ସହରଗୁଡିକର ୨୦%ରୁ ଅଧିକ ଲୋକ ସେମାନଙ୍କର ଅନାବଶ୍ୟକ ଖର୍ଚ୍ଚରେ ବୃଦ୍ଧି ଘଟିଥିବା ରିପୋର୍ଟ କରିଛନ୍ତି। ଅପରପକ୍ଷେ ଅଣ ମେଟ୍ରୋ ସହରଗୁଡିକରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଲୋକେ ଅଧିକ ଅର୍ଥ ଖର୍ଚ୍ଚ କରିପାରନ୍ତି କାରଣ ଅଣ-ମେଟ୍ରୋ ସହରଗୁଡିକରେ ଲୋକଙ୍କ ଆୟ ପୂର୍ବ ବର୍ଷ ତୁଳନାରେ ଅଧିକ ହେବାର ସମ୍ଭାବନା ଢ଼େର ଅଧିକ। ଅଣ-ମେଟ୍ରୋ ସହରଗୁଡିକରେ ଗ୍ଲୋବାଲ୍ ଦକ୍ଷତା କେନ୍ଦ୍ର (ଜିସିସି) ସ୍ଥାପନ କରୁଥିବା ଷ୍ଟାର୍ଟଅପ୍ ଏବଂ ବହୁରାଷ୍ଟ୍ରୀୟ ସଂପ୍ରଦାୟର ଏକ କାରଣ ହେଉଛି ଆୟରେ ଉନ୍ନତି। ଛୋଟ ସହରଗୁଡିକରୁ ସୃଷ୍ଟି ହେଉଥିବା ପ୍ରତିଭାକୁ ହାତେଇବା ଏବଂ ନିଜର ଖର୍ଚ୍ଚ ହ୍ରାସ କରିବା ପାଇଁ ଷ୍ଟାର୍ଟଅପ୍ ଏବଂ ବହୁରାଷ୍ଟ୍ରୀୟ କମ୍ପାନୀ(ଏମ୍ଏନ୍ସି) ଗୁଡିକ ଅଣ-ମେଟ୍ରୋ ସହରରେ ଅଫିସ୍ ଖୋଲୁଛନ୍ତି। ଏହାଫଳରେ ଛୋଟ ସହରରେ ନୂତନ ନିଯୁକ୍ତି ଏବଂ ସୁଯୋଗ ସୃଷ୍ଟି ବେହା ସହ ଆୟ ବୃଦ୍ଧି ପାଇବ।