ନୂଆଦିଲ୍ଲୀ: ବର୍ଣ୍ଣଭିଟା ସମେତ ଅନ୍ୟ ସମସ୍ତ ମୃଦୁ ପାନୀୟଗୁଡିକୁ ହେଲ୍ଥ ଡ୍ରିଙ୍କ୍ସ ବର୍ଗରୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଇ-କମର୍ସ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ନିଜ ନିଜ ପ୍ଲାଟଫର୍ମରୁ ଏହି ସବୁ ସାମଗ୍ରୀ ପାଇଁ ହେଲ୍ଥ ଡ୍ରିଙ୍କ୍ ଶବ୍ଦ ହଟାଇବାକୁ ମନ୍ତ୍ରଣାଳୟ କହିଛି।
ମନ୍ତ୍ରଣାଳୟ ଜାରି କରିଥିବା ବିବୃତ୍ତି ଅନୁଯାୟୀ, ଶିଶୁ ଅଧିକାର ସୁରକ୍ଷା ଅଧିନିୟମ(ସିପିସିଆର୍) ୨୦୦୫ର ଧାରା ୩ ଅନୁଯାୟୀ ଗଠିତ ହୋଇଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସିପିସିଆର୍ ଆଇନର ଧାରା ୧୪ ଅନୁସାରେ ତଦନ୍ତ କରି ଜାଣିବାକୁ ପାଇଛନ୍ତି ଯେ ଏଫ୍ଏସ୍ଏସ୍ଏଆଇ ୨୦୦୬ ଅଧିନିୟମ ଅନୁସାରେ ଏଗୁଡ଼ିକମଧ୍ୟରୁ କୌଣସି ଟି ବି ହେଲ୍ଥ ଡ୍ରିଙ୍କସ ବର୍ଗରେ ଯାଉନାହାନ୍ତି। ସିପିସିଆର୍ ଏକ ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ, କୌଣସି ହେଲ୍ଥ ଡ୍ରିଙ୍କ୍ସରେ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଅନୁଯାୟୀ କୌଣସି ପୋଷକ ତତ୍ତ୍ୱ ନାହିଁ। ଏଫ୍ଏସ୍ଏସ୍ଏଆଇ ଓ ମଣ୍ଡଲେଜ୍ ଇଣ୍ଡିଆ ଫୁଡ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଦିଆଯାଇଥିବା କୌଣସି ନିୟମ ସହ ମେଳ ଖାଉ ନାହିଁ। ଏହା ଜଣାପଡ଼ିବା ପରେ ଏପ୍ରିଲ ୨ ତାରିଖରେ ଏଫ୍ଏସ୍ଏସ୍ଏଆଇ ସମସ୍ତ ଇ-କମର୍ସ କମ୍ପାନୀଗୁଡିକୁବିକ୍ରି କରୁଥିବା ସମସ୍ତ ଖାଦ୍ୟ ପଦାର୍ଥକୁ ଉଚିତ ବର୍ଗରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲା।
ଇ-କମର୍ସ କମ୍ପାନୀଗୁଡ଼ିକ ଦୁଗ୍ଧଜାତୀୟ, ମୃଦୁପାନୀୟ, ଶସ୍ୟ ଜାତୀୟ ମାଲ୍ଟ ଜାତୀୟ ପାନୀୟଗୁଡ଼ିକ ଏଫ୍ଏସ୍ଏସ୍ଏଆଇ ୨୦୦୬ ମାନକ ପୂରା ନ କରୁଥିଲେ ବି ଏଗୁଡ଼ିକୁ ହେଲ୍ଥ ଡ୍ରିଙ୍କ୍ ଟ୍ୟାଗ୍ ଦେଇ ବିକ୍ରି କରାଯାଉଛି। ତେଣୁ ନିୟମ ଅନୁସାରେ ଏହିସବୁ ଉତ୍ପାଦଗୁଡ଼ିକୁ ଉଚିତ ବର୍ଗରେ ବିକ୍ରି କରିବାକୁ ନିର୍ଦ୍ଦେଶ ଏଫ୍ଏସ୍ଏସ୍ଏଆଇ କହିଥିଲା। ଏବେ କେନ୍ଦ୍ର ସରକାର ମଧ୍ୟ ଇ-କମର୍ସ କମ୍ପାନୀଗୁଡ଼ିକ ପାଇଁ ଏହିସବୁ ପାନୀୟକୁ ହେଲ୍ଥ ଡ୍ରିଙ୍କ୍ ବର୍ଗରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।