ଦୁବାଇରେ ବିଶ୍ୱର ପ୍ରଥମ ଏଆଇ ସ୍ମାର୍ଟ ବସ୍‌ ଷ୍ଟେସନ ଉଦ୍‌ଘାଟିତ

ଦୁବାଇ: ସ୍ମାର୍ଟ ସିଟି ଦିଗରେ ଦୁବାଇ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଦୁବାଇର ରୋଡ୍‌ ଆଣ୍ଡ୍‌ ଟ୍ରାନ୍ସପୋର୍ଟ ଅଥରିଟି ପକ୍ଷରୁ ମଲ୍‌ ଅଫ୍‌ ଦି ଏମିରେଟ୍ସ ଠାରେ ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ ଏଆଇ ଚାଳିତ ସ୍ମାର୍ଟ ବସ୍‌ ଷ୍ଟେସନର ଶୁଭାରମ୍ଭ କରାଯାଇଛି। ଏହି ଅତ୍ୟାଧୁନିକ ଷ୍ଟେସନରେ କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ୨୪ ଘଣ୍ଟିଆ ଡିଜିଟାଲ୍‌ ସେବାର ବ୍ୟବସ୍ଥା ରହିଛି। ଏହି ଷ୍ଟେସନଟି ଆଧୁନିକ ବୈଷୟିକ ଜ୍ଞାନକୌଶଳରେ ସଜ୍ଜିତ। ଏହାର ବିଶେଷତ୍ୱ ମଧ୍ୟରେ ଏଆଇ କ୍ୟାମେରା ଓ ମନିଟରିଂ ରହିଛି। ଷ୍ଟେସନରେ ଏଆଇ-ଚାଳିତ କ୍ୟାମେରା ଲଗାଯାଇଛି। ଏହା ଭିଡ଼ ନିୟନ୍ତ୍ରଣ କରିବା ସହ ଯାତ୍ରୀଙ୍କ ଯାତାୟାତ ଏବଂ ସୁରକ୍ଷା ଉପରେ ନଜର ରଖିବ। 

ସେହିପରି ରିଅଲ୍‌-ଟାଇମ୍‌ ସୂଚନା ପାଇଁ ବଡ଼ ଡିଜିଟାଲ୍‌ ସ୍କ୍ରିନ୍‌ ମାଧ୍ୟମରେ ବସ୍‌ ଆସିବା ସମୟ, ମେଟ୍ରୋ ସମୟସୂଚୀ ଏବଂ ଟ୍ୟାକ୍ସି ଉପଲବ୍ଧତା ବିଷୟରେ ସିଧାସଳଖ ଅପଡେଟ୍‌ ମିଳିପାରିବ। ଯାତ୍ରୀମାନଙ୍କ ସୁବିଧା ପାଇଁ ଆପ୍‌ ଏବଂ ଷ୍ଟେସନରେ ଥିବା ଇଣ୍ଟରଆକ୍ଟିଭ୍‌ କିଓସ୍କ ରହିଛି। ଏହା ମାଧ୍ୟମରେ ଯାତ୍ରା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ। ଭବିଷ୍ୟତରେ ଦୁବାଇକୁ ବିଶ୍ୱର ଏକ ଅଗ୍ରଣୀ ସ୍ମାର୍ଟ ସିଟି ଭାବେ ଗଢିତୋଳିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ରହିଛି।

About The Author: Madhusudan Das