ଭାରତ- ଓ୍ଵେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ, ୱେଷ୍ଟଇଣ୍ଡିଜର ସହଜ ବିଜୟ

ବ୍ରିଜ୍‌‌ଟାଉନ୍‌‌: ସ୍ଥାନୀୟ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ଲୋ ସ୍କୋରିଂ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌‌ରେ ଘରୋଇ ୱେଷ୍ଟଇଣ୍ଡିଜ୍‌‌ ୮୦ ବଲ୍‌‌ ବାକି ରଖି ୬ ୱିକେଟରେ ସହଜରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୪୦.୫ ଓଭରରେ ୧୮୧ ରନ କରି ଅଲଆଉଟ ହୋଇଥିଲା। ଜବାବରେ ୱେଷ୍ଟଇଣ୍ଡିଜ ୩୬.୪ ଓଭରରେ ୪ ୱିକେଟ ହରାଇ ୧୮୨ ରନ ସଂଗ୍ରହ କରି ବିଜୟୀ ହୋଇଛି। ଅତ୍ୟଧିକ ପରୀକ୍ଷା ନିରୀକ୍ଷା ଭାରତ ପାଇଁ ମହଙ୍ଗା […]

ବ୍ରିଜ୍‌‌ଟାଉନ୍‌‌: ସ୍ଥାନୀୟ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ଲୋ ସ୍କୋରିଂ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌‌ରେ ଘରୋଇ ୱେଷ୍ଟଇଣ୍ଡିଜ୍‌‌ ୮୦ ବଲ୍‌‌ ବାକି ରଖି ୬ ୱିକେଟରେ ସହଜରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୪୦.୫ ଓଭରରେ ୧୮୧ ରନ କରି ଅଲଆଉଟ ହୋଇଥିଲା। ଜବାବରେ ୱେଷ୍ଟଇଣ୍ଡିଜ ୩୬.୪ ଓଭରରେ ୪ ୱିକେଟ ହରାଇ ୧୮୨ ରନ ସଂଗ୍ରହ କରି ବିଜୟୀ ହୋଇଛି। ଅତ୍ୟଧିକ ପରୀକ୍ଷା ନିରୀକ୍ଷା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ତାରୋଉବାରେ ମଙ୍ଗଳବାର ଖେଳାଯିବ। ଅଧିନାୟକ ସାଇ ହୋପ୍‌‌ ୬୩* ରନର ଅର୍ଦ୍ଧଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। କାଏଲ ମାୟର୍ସ ୩୬, ବ୍ରାଣ୍ଡନ କିଙ୍ଗ୍‌‌ ୧୫ ଓ କିସି କାର୍ଟି ଅପରାଜିତ ୪୮ ରନ ସଂଗ୍ରହ କରିଥିଲେ। ବୋଲିଂରେ ଭାରତ ପାଇଁ ଶର୍ଦ୍ଦୁଳ ଠାକୁର ୩ ଓ କୁଲଦୀପ ଯାଦବ ଗୋଟିଏ ୱିକେଟ ନେଇଥିଲେ। ୩ ମ୍ୟାଚ୍‌‌ ବିଶିଷ୍ଟ ଏହି ସିରିଜ ୧-୧ ବରାବର ସ୍ଥିତିରେ ପହଞ୍ଚିଛି।

ଇଶାନଙ୍କ ପଞ୍ଚମ ଅର୍ଦ୍ଧଶତକ: ଟସ୍‌‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଦୁଇ ଓପନର ଇସାନ କିସାନ ଓ ଶୁବମାନ ଗିଲ୍‌‌ ପ୍ରଥମ ୱିକେଟରେ ୯୦ ରନ ସଂଗ୍ରହ କରିଥିଲେ। କିନ୍ତୁ ଏହି ଦୁଇ ବ୍ୟାଟର ଆଉଟ ହେବା ପରେ ଭାରତୀୟ ଇନିଂସ ତାସ୍‌‌ ଘର ପରି ଭୁସୁଡି ପଡ଼ିଥିଲା। ଗିଲଙ୍କୁ ଆଉଟ କରି ସ୍ପିନର ଗୁଦାକେଶ ମୋତି ବ୍ରେକ୍‌‌ ଥ୍ରୁ ଦେଇଥିଲେ। ଗିଲ୍‌‌ ୩୪ ରନ କରି ଆଉଟ ହେବା ପରେ କିସାନ ଦଳ ତରଫରୁ ସର୍ବାଧିକ ୫୫ ରନକରି ପ୍ୟାଭିଲିୟନ ଫେରିଥିଲେ। କିସାନ କ୍ୟାରିୟରର ୫ମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ଗିଲ୍‌‌ ଅନ୍ତର୍ଜାତୀୟ କ୍ରିକେଟରେ ୨୫୦୦ ରନ ପୂରଣ କରିଥିଲେ। ସେ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୭ ଶତକ ଓ ୯ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ବାକି ବ୍ୟାଟରମାନେ କିଛି ଖାସ୍‌‌ କରିପାରି ନଥିଲେ। ସୂର୍ଯ୍ୟକୁମାର ଯାଦବ ୨୪ ରନ କରି ଆଉଟ ହୋଇଥିôବା ବେଳେ ଶାର୍ଦ୍ଦୁଳ ଠାକୁର ୧୬, ରବୀନ୍ଦ୍ର ଜାଡେଜା ୧୦ ରନ ସଂଗ୍ରହ କରିଥିଲେ ଓ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନଥିଲେ। ଏହି କ୍ରମରେ ସଞ୍ଜୁ ସାମସନ ୯, ଅକ୍ଷର ପଟେଲ ୧, କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୭, ମୁକେଶ କୁମାର ୬ ରନ କରି ଆଉଟ ହେବା ସହ ନିରାଶ କରିଥିଲେ। କୁଲଦୀପ ଯାଦବ ୮ ରନକରି ଅପରାଜିତ ରହିଥିଲେ। ବୋଲିଂରେ ୱେଷ୍ଟଇଣ୍ଡିଜ ପାଇଁ ବାମହାତୀ ସ୍ପିନର ଗୁଦକେଶ ମୋତି ଓ ଦ୍ରୁତ ବୋଲର ରୋମାରିଓ ଶେଫେର୍ଡ ୩ଟି ଲେଖାଏ, ଅଲଜାରି ଜୋଶେଫ ୨, ଜେଡେନ ସିଲ୍ସ ଓ ୟାନିକ କାରିଆ ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରିଥିଲେ।

ଏଠାରେ ଗୁରୁବାର ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌‌ ଖେଳିଥିବା ଉଭୟ ଦଳରୁ ୨ ଜଣ ଲେଖାଏଁ ୪ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଛି। ଭାରତୀୟ ଦଳରେ ରୋହିତ ଓ ବିରାଟଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଅକ୍ଷର ପଟେଲ ଓ ସଞ୍ଜୁ ସାମସନଙ୍କୁ ଏହି ମ୍ୟାଚ୍‌‌ ଖେଳିବାର ସୁଯୋଗ ଦିଆଯାଇଛି। ସେହିପରି ୱେଷ୍ଟଇଣ୍ଡିଜ୍‌‌ ଦଳରୁ ରୋଭମାନ ପାୱେଲ ଓ ଡୋମିନିକ୍‌‌ ଡ୍ରେକ୍ସଙ୍କୁ ବାଦ୍‌‌ ଦିଆଯାଇଛି। ଏମାନଙ୍କ ସ୍ଥାନରେ କିସି କାର୍ଟି ଓ ଫାଷ୍ଟ ବୋଲରଙ୍କୁ ଆଲଜରି ଯୋଶେଫ୍‌‌ଙ୍କୁ ଖେଳିବାକୁ ସୁଯୋଗ ମିଳିଛି।

ସଂକ୍ଷିପ୍ତ ସ୍କୋର
ଭାରତ: ୧୮୧/୧୦, ୪୦.୫ ଓଭର (କିଶାନ- ୫୫, ଗିଲ୍‌‌- ୩୪, ସୂର୍ଯ୍ୟକୁମାର- ୨୪, ଠାକୁର- ୧୬, ଜାଡେଜା- ୧୦, ମୋତି- ୩/୩୬, ରୋମାରିଓ- ୩/ ୩୭)।

ୱେଷ୍ଟଇଣ୍ଡିଜ: ୧୮୨/୪, ୩୬.୪ ଓଭର (ହୋପ୍‌‌- ୬୩*, କାର୍ଟି- ୪୮* , ମାୟର୍ସ- ୩୬, କିଙ୍ଗ୍‌‌- ୧୫, ଠାକୁର- ୩/ ୪୨, କୁଲଦୀପ- ୧/୩୦)।

About The Author: The Sakala