ଆଜି ୱେଷ୍ଟଇଣ୍ଡିଜ୍‌‌ ବିପକ୍ଷ ଦ୍ୱିତୀୟ ଦିନିକିଆ: ସିରିଜ୍‌‌ କବ୍‌‌ଜା ଲକ୍ଷ୍ୟରେ ଭାରତ

ବ୍ରିଜ୍‌‌ଟାଉନ୍‌‌: ଦିନିକିଆ କ୍ରିକେଟରେ ଦୁଇଥରର ବିଶ୍ୱ ଚାମ୍ପିଅନ୍‌‌ ୱେଷ୍ଟଇଣ୍ଡିଜର ନୈରାଶ୍ୟଜନକ ପ୍ରଦର୍ଶନ ଅବ୍ୟାହତ ରହିଛି। ଜିମ୍ବାୱେରେ ଅନୁଷ୍ଠିତ ବିଶ୍ୱକପ୍‌‌ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ପରାଜିତ ହୋଇ ବାଦ୍‌‌ ପଡ଼ିବା ପରେ ଗୁରୁବାର ଏଠାରେ ଖେଳାଯାଇଥିବା ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ଦୟନୀୟ ପ୍ରଦର୍ଶନ କରି ହାରିଯାଇଥିଲା। ଘରୋଇ ମାଟିରେ ଦିନିକିଆ ବିଶ୍ୱକପ୍‌‌ ଲାଗି ପ୍ରସ୍ତୁତି ଚଳାଇଥିବା ଭାରତ ସମସ୍ତ ବିଭାଗରେ ୱେଷ୍ଟଇଣ୍ଡିଜ୍‌‌କୁ ମାତ୍‌‌ ଦେଇ ସହଜ ବିଜୟ ହାସଲ କରିଥିଲା। ଏପରିକି ବିଜୟ ଲକ୍ଷ୍ୟ ମାତ୍ର ୧୧୫ […]

ବ୍ରିଜ୍‌‌ଟାଉନ୍‌‌: ଦିନିକିଆ କ୍ରିକେଟରେ ଦୁଇଥରର ବିଶ୍ୱ ଚାମ୍ପିଅନ୍‌‌ ୱେଷ୍ଟଇଣ୍ଡିଜର ନୈରାଶ୍ୟଜନକ ପ୍ରଦର୍ଶନ ଅବ୍ୟାହତ ରହିଛି। ଜିମ୍ବାୱେରେ ଅନୁଷ୍ଠିତ ବିଶ୍ୱକପ୍‌‌ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ପରାଜିତ ହୋଇ ବାଦ୍‌‌ ପଡ଼ିବା ପରେ ଗୁରୁବାର ଏଠାରେ ଖେଳାଯାଇଥିବା ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ଦୟନୀୟ ପ୍ରଦର୍ଶନ କରି ହାରିଯାଇଥିଲା। ଘରୋଇ ମାଟିରେ ଦିନିକିଆ ବିଶ୍ୱକପ୍‌‌ ଲାଗି ପ୍ରସ୍ତୁତି ଚଳାଇଥିବା ଭାରତ ସମସ୍ତ ବିଭାଗରେ ୱେଷ୍ଟଇଣ୍ଡିଜ୍‌‌କୁ ମାତ୍‌‌ ଦେଇ ସହଜ ବିଜୟ ହାସଲ କରିଥିଲା। ଏପରିକି ବିଜୟ ଲକ୍ଷ୍ୟ ମାତ୍ର ୧୧୫ ଥିବାରୁ ଦଳ ସମସ୍ତ ଯୁବ ତଥା ନୂଆ ଖେଳାଳିଙ୍କୁ ବ୍ୟାଟିଂ ଅର୍ଡରରେ ଆଗୁଆ ପଠାଇଥିଲା। ଶାର୍ଦ୍ଦୁଳ ଠାକୁର ନଂ-୬ରେ ବ୍ୟାଟିଂ କରିଥିଲାବେଳେ ବ୍ୟାଟିଂ କରିବାକୁ ସୁଯୋଗ ପାଇ ନଥିବା ବିରାଟ କୋହଲି ନଂ-୮ରେ ବ୍ୟାଟିଂ କରିଥାନ୍ତେ। ଆବଶ୍ୟକ ହେବାରୁ ଓପନର ରୋହିତ ଶର୍ମା ନଂ-୭ରେ ବ୍ୟାଟିଂ କରିବାକୁ ଆସିଥିଲେ। ଏଭଳି ସ୍ଥିତିରେ ଏଠାରେ ଶନିବାର ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌‌ ଭ୍ରମଣକାରୀ ଦଳ ଭାରତ ଲାଗି କିଛି ବଡ଼ ଧରଣର ବିପଦ ସୃଷ୍ଟି କରିବ ବୋଲି ଆଶା କରାଯାଉ ନାହିଁ। କିନ୍ତୁ ଏହି ମ୍ୟାଚ୍‌‌ ଲାଗି ୱେଷ୍ଟଇଣ୍ଡିଜ୍‌‌ ଚୂଡାନ୍ତ ଦଳରେ ଏବଂ ଭାରତୀୟ ବ୍ୟାଟିଂ ଅର୍ଡରରେ ନିଶ୍ଚିତ ପରିବର୍ତ୍ତନ ହେବ।

ଏହି ସିରିଜ୍‌‌ ଲାଗି ଭାରତୀୟ ଦଳରେ କୌଣସି ବରିଷ୍ଠ କିମ୍ବା ଅଭିଜ୍ଞ ପେସ୍‌‌ ବୋଲର ନାହାନ୍ତି। ଏହା ସତ୍ତ୍ବେ ଦଳ ପେସ୍‌‌ ବୋଲିଂ ଲାଗି ଖ୍ୟାତି ଅର୍ଜନ କରିଥିବା ୱେଷ୍ଟଇଣ୍ଡିଜ୍‌‌ ପିଚ୍‌‌ରେ ଏହି ଦଳକୁ ୧୧୪ ରନ୍‌‌ରେ ସୀମିତ ରଖିଥିଲା। ଏହାର ଶ୍ରେୟ ନେଇଥିଲେ ଦଳର ଦୁଇ ଅଭିଜ୍ଞ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ। ବ୍ରିଜ୍‌‌ଟାଉନ୍‌‌ ପିଚ୍‌‌ ଉଭୟ ବୋଲରଙ୍କୁ ସହାୟତା କରିଥିଲା। ଯାହା ଫଳରେ ଏହି ମ୍ୟାଚଟି ମାତ୍ର ୪୫.୫ ଓଭରରେ ଶେଷ ହୋଇଯାଇଥିଲା। ଏଥିଲାଗି ୱେଷ୍ଟଇଣ୍ଡିଜ୍‌‌ ଦଳ ସ୍ପିନରଙ୍କୁ ଉଚିତ ମୁକାବିଲା କରିବା ଭଳି ଖେଳାଳିଙ୍କୁ ଏହି ମ୍ୟାଚ୍‌‌ରେ ଖେଳାଇବାର ସମ୍ଭାବନା ରହିଛି। ବିଜୟ ଲକ୍ଷ୍ୟ ୧୧୫ ରନ୍‌‌ ଥିବାରୁ ଭାରତୀୟ ଟିମ୍‌‌ ମ୍ୟାନେଜମେଣ୍ଟ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଟପ୍‌‌ ଅର୍ଡରରେ ଖେଳିବାକୁ ଦେଇ ନଥିଲେ। ପିଚ୍‌‌ ବୋଲରଙ୍କୁ ସୁହାଇଥିଲା ଓ ଘରୋଇ ଦଳର ସ୍ପିନର ଗୁଡକେଶ ମୋତି ଏଥିରୁ ଫାଇଦା ନେଇଥିଲେ। ଦ୍ୱିତୀୟ ଦିନିକିଆ ଖେଳାଯିବାକୁ ଥିବା ମ୍ୟାଚ୍‌‌ର ପିଚ୍‌‌ ଏତେ ଟର୍ଣ୍ଣ ନେବ ନାହିଁ। କିନ୍ତୁ ଏଠାରେ ଗତ ୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌‌ରେ ବୋଲରଙ୍କ ପ୍ରାଧାନ୍ୟ ରହିଛି। ଭାରତ ଏଥିରୁ ଫାଇଦା ଉଠାଇ ଆଗୁଆ ସିରିଜ୍‌‌ କବ୍‌‌ଜା କରିବ ବୋଲି ଆଶା କରାଯାଉଛି। ଭାରତୀୟ ଦଳରେ ବ୍ୟାଟିଂ ଅର୍ଡରକୁ ଛାଡିଦେଲେ ଆଉ କିଛି ପରିବର୍ତ୍ତନ ହେବାର ସମ୍ଭାବନା କମ୍‌‌। କିନ୍ତୁ ପ୍ରଥମ ମ୍ୟାଚ୍‌‌ରେ ସଞ୍ଜୁ ସାମସନଙ୍କୁ ଖେଳିବା ସୁଯୋଗ ମିଳି ନଥିବାରୁ ସମର୍ଥକ ମାନେ ଭାରତୀୟ ଟିମ୍‌‌ ମ୍ୟାନେଜମେଣ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି। ପେସ୍‌‌ ବୋଲର ଜୟଦେବ ଉନାଦକତ ଓ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳି ନଥିବାରୁ ଏହାକୁ ନେଇ ଦଳ ସମାଲୋଚିତ ହୋଇଛି। ଏହି ସିରିଜ୍‌‌ରେ ବାକିଥିବା ଦୁଇଟି ମ୍ୟାଚ୍‌‌ରେ ଏମାନଙ୍କୁ କିପରି ସୁଯୋଗ ମିଳିବ ତାହାକୁ ନେଇ ଟିମ୍‌‌ ମ୍ୟାନେଜମେଣ୍ଟ ଆଶାୟୀ ରହିଛି। ଭାରତ ଯଦି ଟସ୍‌‌ ଜିତେ ତେବେ ନିଶ୍ଚିତ ବ୍ୟାଟିଂ କରିବାକୁ ପସନ୍ଦ କରିବ।

ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି
ଜିମ୍ବାୱେରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌‌ରେ ହାରିଯିବା ପରେ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା ଓ ଆଉ କିଛି ଖେଳାଳି ଆମେରିକାରେ ମେଜର ଲିଗ୍‌‌ କ୍ରିକେଟ ଖେଳିବାକୁ ଯାଇଥିଲେ। ସେଠାରେ ନିକୋଲସ ପୂରନ ଏମ୍‌‌ଆଇ ନ୍ୟୁୟର୍କର ନେତୃତ୍ୱ ନେଉଥିଲାବେଳେ ୱାଶିଂଟନ ଫ୍ରିଡମ ପକ୍ଷରୁ ଆକିଲ ହୋସେନ୍‌‌ ଖେଳୁଛନ୍ତି। ଜେସନ ହୋଲ୍ଡରଙ୍କୁ ବିଶ୍ରାମ ଦିଆଯାଇଛି। ଆଲଜରୀ ଯୋଶେଫଙ୍କୁ ମଧ୍ୟ ବିଶ୍ରାମ ମିଳିଛି। ସେ ପ୍ରଥମ ଦିନିକିଆ ଖେଳି ନଥିଲେ। ଏଠାରେ ସେ ଦ୍ୱିତୀୟ ଦିନିକିଆ ଖେଳିବାର ସମ୍ଭାବନା ରହିଛି। ବ୍ୟାଟିଂରେ ରୋଭମାନ ପାୱେଲ ସଂଘର୍ଷ କରିଥିଲେ। ତାଙ୍କ ସ୍ଥାନରେ କିସି କାର୍ଟିଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଦୁଇ ସ୍ପିନର ଗୁଡକେଶ ମୋତି ଓ ୟାନିକ୍‌‌ କାରିଆଙ୍କ ସ୍ଥାନ ଅପରିବର୍ତ୍ତିତ ରହିପାରେ।

About The Author: The Sakala