ଆଡିଲେଡ୍ : ଅଷ୍ଟ୍ରେଲିଆର ଆଡିଲେଡ୍ ଗ୍ରାଉଣ୍ଡରେ ଆଜି ଟି-୨୦ ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯାଉଛି ।ଭାରତ-ଇଂଲଣ୍ଡ ମଧ୍ୟରେ ହେଉଥିବା ଏହି ମ୍ୟାଚରେ ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୩ ଏବଂ ବରାଟ କୋହଲିଙ୍କ ୫୦ ରନ୍ ବଳରେ ୨୦ ଓଭର ଖେଳି ୬ ୱିକେଟ ହରାଇ ୧୬୮ ରନ କରିଛି। ଯାହା ଫଳରେ ଇଂଲଣ୍ଡକୁ ଏହି ମ୍ୟାଚରେ ବଜିୟୀ ହେବାକୁ ୧୬୯ରନ୍ର ଟାର୍ଗେଟ ରହିଛି।
ଅନ୍ୟପଟେ ଏହି ମ୍ୟାଚରେ ଅର୍ଦ୍ଧଶତକୀୟ ଇନିଂସ ସହ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଟି-୨୦ କ୍ରିକେଟ୍ରେ ଆଉ ଏକ ବିରାଟ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜି ଚଳିତ ବିଶ୍ୱକପରେ ୪ର୍ଥ ଅର୍ଦ୍ଧଶତକ ହାସଲ କରିଥିବା ଟିମ ଇଣ୍ଡିଆର ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ବ୍ୟାଟର ଭାବେ ୪ ହଜାର ରନ ପୂରଣ କରିଛନ୍ତି। ବିରାଟ ମୋଟ ୧୧୫ ଟି ଟି-୨୦ ମ୍ୟାଚ୍ ଖେଳି ୪୦୦୦ ରନ୍ ପୂରଣ କରିଛନ୍ତି।
ଏହାପୂର୍ବରୁ ବିରାଟ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନିଥିଲେ। ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ସେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଦ୍ଧନଙ୍କ ୧୦୧୬ ରନକୁ ଅତିକ୍ରମ କରିଥିଲେ। ଏବେ ବିରାଟ ଟି-୨୦ ବିଶ୍ୱକପରେ ୧୧ଶହରୁ ଅଧିକ ରନ କରି ସାରିଲେଣି। ଆଜି ମ୍ୟାଚ୍ ଆରମ୍ଭରୁ ବିରାଟ ୪ ହଜାର ରନ ମାଇଲ ଖୁଣ୍ଟ ଠାରୁ ୪୨ ରନ ପଛରେ ଥିଲେ। ଆଜି ସେ ଭାରତୀୟ ଇନିଂସର ୧୫ତମ ଓଭରରେ ଲିଆମ ଲିଭଙ୍ଗଷ୍ଟୋନଙ୍କୁ ଚୌକା ମାରି ୪ ହଜାର କ୍ଲବରେ ପ୍ରଥମ ବ୍ୟାଟର ଭାବେ ପ୍ରବେଶ କରିଛନ୍ତି।
ସେହିପରି ବିରାଟ କୋହଲିଙ୍କ ପଛକୁ ଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମା ରହିଛନ୍ତି । ସେ ୧୪୭ଟି ମ୍ୟାଚ୍ ଖେଳି ୩୮୨୬ ରନ୍ କରିଛନ୍ତି । ତାପରେ ମାର୍ଟିନ ଗୁପ୍ଟିଲ୍ ୧୨୨ଟି ମ୍ୟାଚ୍ ଖେଳି ୩୫୩୧ ରନ୍, ପଲ୍ ଷ୍ଟ୍ରିଲିଂ ୧୨୧ ମ୍ୟାଚ୍ ଖେଳି ୩୧୮୧ ରନ୍, ବାବର ଆଜମ ୯୮ଟି ମ୍ୟାଚ୍ ଖେଳି ୩୩୨୩ ରନ୍, ଆରୋନ୍ ଫିଞ୍ଚି ୧୦୩ଟି ମ୍ୟାଚ୍ ଖେଳି ୩୧୨୦, ଡେଭିଡ୍ ଓ୍ୱାର୍ଣ୍ଣର ୯୯ ଟି ମ୍ୟାଚ୍ ଖେଳି ୨୮୯୪ ରନ୍, ମହମ୍ମଦ ହାଫିଜ୍ ୧୧୯ ଟି ମ୍ୟାଚ୍ ଖେଳି ୨୫୧୪ରନ୍, ମହମ୍ମଦ ରିଜ୍ଓ୍ୱାନ୍ ୭୯ଟି ମ୍ୟାଚ୍ ଖେଳି ୨୬୨୦ ରନ୍ କରିଛନ୍ତି ।
ଅନ୍ୟପଟେ ଆଜିର ମ୍ୟାଚରେ ବିରାଟ ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି। ବିରାଟ କୋହଲି ଆଜିର ମ୍ୟାଚରେ ଟି-୨୦ ଅନ୍ତର୍ଜାତୀୟରେ ୧୦୦ ଚୌକା ମାରିବାର ରେକର୍ଡ ମଧ୍ୟ କରିଛନ୍ତି। ଚଳିତ ବର୍ଷ ଏସିଆ କପ୍ରେ ଫର୍ମକୁ ଫେରିବା ପରେ ଧମାଲ କରିଚାଲିଛନ୍ତି ବିରାଟ। ଏସିଆ କପ୍ରେ ଭଲ ପଦର୍ଶନ କରିଥିବା ବେଳେ ଟି-୨୦ ବିଶ୍ବକପ୍ରେ ମଧ୍ୟ ଦମଦାର ପଦର୍ଶନ ଜାରି ରଖିଛନ୍ତି। ଏଥି ପାଇଁ ମଧ୍ୟ ବିରାଟଙ୍କୁ ମିଳିଛି ‘ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ’ ପୁରସ୍କାର। ଅକ୍ଟୋବର ମାସ ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ଅକ୍ଟୋବରରେ କୋହଲି ମୋଟ ୨୦୫ ରନ୍ କରିଥିଲେ। ଏଥିପାଇଁ ତାଙ୍କୁ ଏହି ବିଶେଷ ସମ୍ମାନ ମିଳିଛି।