ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ମୁମ୍ଵାଇ: ଆଜି T-20 ବିଶ୍ୱକପର ଦ୍ୱିତୀୟ ସେମି ପାଇନାଲ ମ୍ୟାଚ୍ । ଭାରତ-ଇଂଲଣ୍ଡ ମଧ୍ୟରେ ହେବ ମହା ମୁକାବିଲା । ମୁମ୍ଵାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଦୁଇ ପୂର୍ବତନ ଚାମ୍ପିୟନ ଭାରତ ଓ ଇଂଲଣ୍ଡ। ଉଭୟ ଦଳରେ ଅଭିଜ୍ଞ ଖେଳାଳି ଥିବାରୁ ହୋଇପାରେ କଡା ଟକ୍କର । T-20 ବିଶ୍ଵକପ୍ ଇତିହାସରେ ଷଷ୍ଠ ଥର ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ତେବେ ଆଜିର ମ୍ୟାଚର ଓପନର୍ ଯୋଡ଼ି କିଏ ହେବ, ତାକୁ ନେଇ ଦ୍ଵନ୍ଦ୍ଵ ଲାଗି ରହିଛି। ସଂଜୁ ସାମସନଙ୍କ ସହିତ ଅଭିଷେକ ଶର୍ମା ଓପନ କରିବା ନେଇ ସନ୍ଦେହ ରହିଚି। ଏହି ମ୍ୟାଚରେ ବ୍ଯାଟିଂ ଅର୍ଡର ପରିବର୍ତ୍ତନ ନେଇ ଆକଳନ କରାଯାଉଛି। ଅନ୍ଯ ପକ୍ଷରେ ଇଂଲଣ୍ଡ ଦଳ ବେଶ ଭଲ ଫର୍ମରେ ଥିବାରୁ ମୁକାବିଲା ଜୋରଦାର ହେବ। ଏହି ଦୁଇ ଟିମ୍ ମଧ୍ୟରୁ ଯିଏ ଆଜି ଜିତିବ, ସେ ଟାଇଟଲ ପାଇଁ ନ୍ଯୁଜିଲାଣ୍ଡ ସହିତ ଖେଳିବ। ୮ ତାରିଖରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ। 

ସୂର୍ଯ୍ୟଙ୍କ ବ୍ୟାଟିଂ ନା ଆଦିଲ ରସିଦ୍‌ଙ୍କ ଗୁଗଲି, ଆଜି କାହାର ରହିବ ପଲା ଭାରି? ଲଗାତାର ତୃତୀୟ ଥର ପାଇଁ ବିଶ୍ୱକପ୍‌ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେଉଛନ୍ତି। ପୂର୍ବରୁ ୨୦୨୨ ଓ ୨୦୨୪ରେ ଦୁଇ ଦଳ ୧-୧ ଜିତି ସମାନ ସ୍ଥିତିରେ ଅଛନ୍ତି। ଆଜି ଯିଏ ଜିତିବ, ସିଏ ସିଧା ଫାଇନାଲ୍‌ ଟିକେଟ୍‌ କାଟିବ। ଭାରତ ପାଇଁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ଅଛନ୍ତି, ସେ ଚଳିତ ବିଶ୍ୱକପ୍‌ରେ ୨୩୧ ରନ୍‌ ସଂଗ୍ରହ କରିଛନ୍ତି। ବୋଲିଂରେ ବରୁଣ ଚକ୍ରବର୍ତୀଙ୍କ ମାୟାଜାଲ ଇଂଲଣ୍ଡ ପାଇଁ ବିପଦ ସାଜିପାରେ। ଅନ୍ୟପଟେ ଇଂଲଣ୍ଡର ହ୍ୟାରି ବ୍ରୁକ୍‌ ଏବଂ ସ୍ପିନର ଆଦିଲ ରସିଦ୍‌ ମଧ୍ୟ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ହେବେ।

ୱାଙ୍ଖଡେର ପିଚ୍‌ ସବୁବେଳେ ବ୍ୟାଟରଙ୍କୁ ସହାୟକ ହୋଇଥାଏ। ଫଳରେ ଏଠାରେ ହାଇ-ସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳେ। ଯଦିଓ ଟସ୍‌ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବ, କିନ୍ତୁ ଏହି ମୈଦାନରେ ପ୍ରଥମେ ବ୍ୟାଟିଂ ଏବଂ ଚେଜ୍‌ କରିବା ଦଳର ଜିତିବା ହାର ୫୦-୫୦ ରହିଛି। ଭାରତ ଏଠାରେ ୭ଟି ମ୍ୟାଚ୍‌ରୁ ୫ଟି ଜିତି ବେଶ୍‌ ଆତ୍ମବିଶ୍ୱାସରେ ଅଛି। ମୁମ୍ବାଇରେ ବର୍ଷାର ସମ୍ଭାବନା ନାହିଁ, ତଥାପି ଆଇସିସି ଏକ ‘ରିଜର୍ଭ ଡେ’ ରଖିଛି। କିନ୍ତୁ ଯଦି କୌଣସି କାରଣରୁ ମ୍ୟାଚ୍‌ ଆଦୌ ହୋଇନପାରେ, ତେବେ ଭାରତ ପାଇଁ ଖରାପ ଖବର ହେବ। ନିୟମ ଅନୁସାରେ, ସୁପର-୮ରେ ନିଜ ଗ୍ରୁପ୍‌ର ଶୀର୍ଷରେ ଥିବାରୁ ଇଂଲଣ୍ଡ ସିଧା ଫାଇନାଲ୍‌ ପହଂଚିଯିବ ଏବଂ ଭାରତ ବିଶ୍ୱକପ୍‌ରୁ ବିଦାୟ ନେବ। 

About The Author: Madhusudan Das