ନୂଆଦିଲ୍ଲୀ : ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଭାରତୀୟ ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଙ୍ଗଳବାର ସକାଳେ ବୃନ୍ଦାବନରେ ପହଞ୍ଚିଥିଲେ। ଅବସରର ଗୋଟିଏ ଦିନ ପରେ ବିରାଟ ବୃନ୍ଦାବନର କୃଷ୍ଣ ନଗରୀରେ ପହଞ୍ଚିଥିଲେ । ସେଠାରେ ସେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ ନେବା ସହ ପ୍ରାୟ ୧୫ମିନିଟ ଧରି ଏକାନ୍ତରେ ମହାରାଜଙ୍କ ସହ କଥାବାର୍ତ୍ତା ହୋଇଥିଲେ । ବିରାଟ ଏବଂ ଅନୁଷ୍କା ଦୁହେଁ ଆଶ୍ରମରେ ପ୍ରାୟ ସାଢେ ୩ ଘଣ୍ଟା ସମୟ ବିତେଇଥିବା ବେଳେ ଆଶ୍ରମର ଭଲମନ୍ଦ ବୁଝିଥିଲେ । ପ୍ରେମାନନ୍ଦ ମହାରାଜଙ୍କୁ ଭେଟ କରି ସାରିବା ପରେ ବିରାଟ କୋହଲି ସକାଳ ୯.୪୦ରେ ବୃନ୍ଦାବନ ଛାଡିଥିଲେ। ବିରାଟ କୋହଲିଙ୍କର ଏହି କାର୍ଯ୍ୟ କ୍ରମକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଥିବା ବେଳେ ଏହା ତାଙ୍କର ବୃନ୍ଦାବନ ତୃତୀୟ ଗସ୍ତ ଥିଲା।
ସୋମବାର ବିରାଟ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି
ସୋମବାର ଦିନ ବିରାଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ସେ ଏକ ଭାବପ୍ରବଣ ପୋଷ୍ଟ ମାଧ୍ୟମରେ ତାଙ୍କର ୧୪ ବର୍ଷର ଟେଷ୍ଟ କ୍ୟାରିୟରର ଅନ୍ତ କରିବାର ନିଷ୍ପତ୍ତିକୁ ନିଶ୍ଚିତ କରିଥିଲେ। ବିରାଟ କହିଥିଲେ ଯେ ସେ ଏହି ଫର୍ମାଟରୁ ବହୁତ କିଛି ଶିଖିଛନ୍ତି। ବିରାଟ ଟି-୨୦ ଆନ୍ତର୍ଜାତୀୟରୁ ଅବସର ନେଇସାରିଛନ୍ତି ଏବଂ ଏବେ କେବଳ ଦିନିକିଆରେ ଖେଳିବା ଜାରି ରଖିବେ।
କୋହଲି ଏବଂ ଅନୁଷ୍କା ସନ୍ଥ ପ୍ରେମାନନ୍ଦଙ୍କ ଆଶ୍ରମରେ ସାଢ଼େ ତିନି ଘଣ୍ଟା ରହିଥିଲେ
କୋହଲି ଏବଂ ଅନୁଷ୍କା ସନ୍ଥ ପ୍ରେମାନନ୍ଦଙ୍କ ଆଶ୍ରମରେ ସାଢ଼େ ତିନି ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ। ଉଭୟେ ସକାଳ ପ୍ରାୟ ଛଅଟାରେ ଆଶ୍ରମରେ ପହଞ୍ଚିଲେ ଏବଂ ପ୍ରାୟ ସାଢ଼େ ନଅଟାରେ ସେଠାରୁ ବାହାରିଗଲେ। ଏହା ପ୍ରଥମ ଥର ନୁହେଁ ଯେ ବିରାଟ ସନ୍ଥ ପ୍ରେମାନନ୍ଦଙ୍କୁ ଭେଟିବାକୁ ଆସିଛନ୍ତି। ସେ ପୂର୍ବରୁ ୨୦୨୩ ଜାନୁଆରୀ ଏବଂ ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ। ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ସେ ପ୍ରେମାନନ୍ଦ ମହାରାଜଙ୍କ ସହ ବହୁତ ସମୟ ଧରି ଆଲୋଚନା କରିଥିଲେ।