ନୂଆଦିଲ୍ଲୀ : ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଆଗାମୀ ୨୦୨୪ ସଂସ୍କରଣର ଖେଳାଳି ନିଲାମୀ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଡିସେମ୍ବର ୧୯ରେ ଦୁବାଇରେ ମିନି ଖେଳାଳି ନିଲାମୀର ଆୟୋଜନ ହେବ। ଆଇପିଏଲ୍ କର୍ତ୍ତୁପକ୍ଷ ଏ ନେଇ ସୂଚନା ଦେଇଛନ୍ତି। ଏଥର ଗତବର୍ଷ ତୁଳନାରେ ଫ୍ରାଞ୍ଚାଇଜ୍ଗୁଡିକରେ ନିକଟରେ ଖେଳାଳିମାନଙ୍କୁ କ୍ରୟ କରିବାକୁ ଅଧିକ ୫ କୋଟି ଟଙ୍କା ଅଧିକ ରହିଛି। ତେଣୁ ଫ୍ରାଞ୍ଜାଇଜ୍ଗୁଡିକ ଖେଳାଳି କ୍ରୟ କରିବାରେ ଅପେକ୍ଷାକୃତ ଅଧିକ ସୁଯୋଗ ଓ ସ୍ୱାଧୀନତା ପାଇବେ।
ଗତ ସଂସ୍କରଣରେ ଫ୍ରଞ୍ଚାଇଜ୍ଗୁଡିକ ନିକଟରେ ୯୫ କୋଟି ଟଙ୍କାର ପର୍ସ ବା ଅର୍ଥରାଶି ନିର୍ଦ୍ଧାରିତ ଥିଲା। ଏଥର କିନ୍ତୁ ୧୦୦ କୋଟି ଟଙ୍କାର ପର୍ସ ରହିଛି। ଏଥସହ ଗତ ସଂସ୍କରଣରେ ବଳିଥିବା ଅର୍ଥକୁ ମଧ୍ୟ ଦଳଗୁଡିକ ବ୍ୟବହାର କରିପାରିବେ। ଏଥର ଖେଳାଳି ନୀଲାମିରେ ଅଂଶଗ୍ରହଣ କରିବାକୁ ୧୧୬୬ ଜଣ ଖେଳାଳି ପଞ୍ଜୀକୃତ ହୋଇଛନ୍ତି। ଏଥିରେ ୮୩୦ ଜଣ ଭାରତୀୟ ଓ ୩୩୬ ଜଣ ବିଦେଶୀ ଖେଳାଳି ସାମିଲ ରହିଛନ୍ତି। ବିଦେଶୀ ଖେଳାଳିମାନଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ, ପ୍ୟାଟ କମିନ୍ସ, ଟ୍ରାଭିସ ହେଡ, ଜେରାଲ୍ଡ କୁଟ୍ଜୀ ଓ ରଚିନ ରବୀନ୍ଦ୍ରଙ୍କ ଭଳି ତାରକା ବିଦେଶୀ ଖେଳାଳି ଏହି ନିଲାମୀରେ ସାମିଲ ହେବେ। ସେହିପରି ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ହର୍ଷଲ ପଟେଲ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ ଓ ଜୟଦେବ ଉନାଦକତଙ୍କ ଭଳି ତାରକା କ୍ରିକେଟର ସାମିଲ ରହିଛନ୍ତି। ଏମାନଙ୍କ ମୂଲ୍ୟ ନିଲାମୀରେ ୧୦ କୋଟି ଟଙ୍କା ପାର କରିପାରେ।
୧୦ଟି ଦଳରେ ୭୭ ଖେଳାଳିଙ୍କ ସ୍ଥାନ ଖାଲି ଅଛି
ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ୧୦ଟି ଦଳ ସେମାନଙ୍କ ଅଧିକାଂଶ ଖେଳାଳିଙ୍କୁ ରିଟେନ ଅର୍ଥାତ ବଜାୟ ରଖିଛନ୍ତି। ତେଣୁ ଅତିବେଶୀରେ ୭୭ ଜଣ ଖେଳାଳିଙ୍କୁ ଏହି ନିଲାମୀରେ ଦଳଗୁଡିକ କ୍ରୟ କରିପାରିବେ। ୭୭ଜଣଙ୍କ ମଧ୍ୟରେ ୩୦ଜଣ ବିଦେଶୀ ବିଭିନ୍ନ ଦଳରେ ସାମିଲ ହୋଇପାରିବେ। ସବୁ ଫ୍ରଞ୍ଚାଇଜ୍ ନିକଟରେ ୨୬୨. ୯୫ କୋଟି ଟଙ୍କା ଅର୍ଥ ବାକି ରହିଛି। ପ୍ରତ୍ୟେକ ଦଳ ନିକଟରେ ଏଥର ୧୦୦ କୋଟି ଟଙ୍କାର ଅର୍ଥ ରହିବ।
୨୦ ଖେଳାଳିଙ୍କ ମୂଳ ଦର ଦେଢ, ୧୬ଜଣଙ୍କ ଏକ କୋଟି
ନୀଲାମିରେ ଏଥର ୨୫ ଜଣ ଖେଳାଳିଙ୍କ ବେସ୍ ପ୍ରାଇସ୍ ବା ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଛି। ଏଥିରେ ଅଷ୍ଟ୍ରେଲିଆର ୭ ଓ ଭାରତର ୪ ଜଣ ଖେଳାଳି ରହିଛନ୍ତି। ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ, ଟ୍ରଭିସ ହେଡ, ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ, ଷ୍ଟିଭ ସ୍ମିଥ୍, ଜୋଶ ଇଂଲିଶ ଓ ସିନ ଆବୋଟଙ୍କ ବେସ ପ୍ରାଇସ୍ ୨ କୋଟି ଟଙ୍କା ରହିଛି। ନିଲାମୀରେ ଏମାନଙ୍କ ମୂଲ୍ୟରେ ଆହୁରି ବୃଦ୍ଧି ହୋଇପାରେ କିମ୍ବା କେତେଜଣ ବିକ୍ର ନ ହୋଇ ରହିପାରନ୍ତି। ସେହିପରି ହର୍ଷଲ ପଟେଲ, କେଦାର ଯାଦବ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବଙ୍କ ଭଳି ଭାରତୀୟ ଖେଳାଳିଙ୍କ ମୂଳ ଦର ସବୁଠାରୁ ଅଧିକ ରହିଛି। ଏହାକୁ ବାଦ୍ ଦେଲେ ୨୦ଜଣ ଖେଳାଳିଙ୍କ ମୂଳ ଦର ଦେଢ କୋଟି ଓ ୧୬ ଜଣଙ୍କର ୧ କୋଟି ଟଙ୍କା ରହିଛି। ସେହିପରି ୧୧୦୫ରୁ ଖେଳାଳିଙ୍କ ମୂଳ ଦର ୨୦ରୁ ୯୫ ଲକ୍ଷ ଟଙ୍କା ରହିଛି।
୫ ଖେଳାଳି ୨୦ କୋଟିରୁ ଊର୍ଦ୍ଧ୍ବରେ ବିକ୍ରି ହୋଇପାରନ୍ତି
ନିଲାମୀରେ ୫ ଜଣ ଖେଳାଳି ଏପରି ରହିଛନ୍ତି ଯେଉଁମାନେ ୨୦ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି। ରଚିନ ରବୀନ୍ଦ୍ର, ଟ୍ରାଭିସ ହେଡ୍, ଜୋଶ ହଜଲେଉଡ, ୱାନିନ୍ଦୁ ହାସରଙ୍ଗା, ମିଚେଲ ଷ୍ଟାର୍କ, ଗେରାଲ୍ଡ କଟଜି ଚଢା ଦରରେ ବିକ୍ରି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଆଉ କେତେଜଣ ତାରାକା ଖେଳାଳି ବିକ୍ରି ନ ହୋଇ ରହିଯାଇପାରନ୍ତି।
ଖେଳାଳି (୨ କୋଟି ଟଙ୍କା ମୂଳଦର)
ହର୍ଷଲ ପଟେଲ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଦାର ଯାଦବ, ମୁଜିବ ଉର ରହମାନ, ସିନ୍ ଆବୋଟ, ପ୍ୟାଟ କମିନ୍ସ, ଜୋଶ ହାଜଲେଉଡ, ଟ୍ରାଭିସ ହେଡ, ଜୋଶ ଇଂଲିଶ୍, ମିଚେଲ ଷ୍ଟାର୍କ, ଷ୍ଟିଭ ସ୍ମିଥ୍, ମୁସ୍ତାଫିଜୁର ରହମାନ, ଟମ୍ ବାଣ୍ଟନ, ହ୍ୟାରୀ ବ୍ରୁକ୍, ବେନ୍ ଡକେଟ, ଜେମି ଓଭରଟନ, ଆଦିଲ ରସିଦ, ଡେଭିଡ୍ ୱିଲି, କ୍ରିସ୍ ୱକ୍ସ, ଲୋକି ଫର୍ଗୁସନ, ଗେରାଲ୍ଡ କଟଜି, ରିଲି ରୁଷୋ, ରାସି ଭାନ ଡେର ଡୁସେନ ଓ ଆଞ୍ଜେଲୋ ମାଥ୍ୟୁସ।
ଖେଳାଳି (ଦେଢ କୋଟି ଟଙ୍କା ମୂଳଦର)
ମହମ୍ମଦ ନବୀ, ମୋଇସେସ ହେନେରିକ୍ସ, କ୍ରିସ ଲିନ୍, କେନ ରିଚାର୍ଡସନ, ଡାନିଏଲ ସାମ୍ସ, ଡାନିଏଲ ଓରାଲ, ଟମ୍ କୁରାନ, ମର୍ଚ୍ଚାଣ୍ଟ ଡି ଲାଙ୍ଗ୍, କ୍ରିସ ଜୋର୍ଡାନ, ଦାୱିଦ ମଲନ, ତିମାନ ମିଲ୍ସ, ଫିଲ ସଲ୍ଟ, କୋରି ଆଣ୍ଡରସନ, କଲିନ ମୁନରୋ, ଜିମି ନିଶାମ, ଟିମ୍ ସାଉଦି, କଲିନ ମୁନରୋ, ୱାନିନ୍ଦୁ ହସରଙ୍ଗା, ଜାସନ ହୋଲ୍ଡର ଓ ଶେରଫାନ ରଦରଫର୍ଡ।
ଖେଳାଳି (ଏକ କୋଟି ଟଙ୍କା ମୂଳଦର)
ଆଷ୍ଟନ ଅଗର, ରିଲି ମେରେଡିଥ୍, ଡି’ଅର୍ସି ସର୍ଟ, ଅଷ୍ଟନ ଟର୍ଣ୍ଣର, ଗୁସ୍ ଅଟକିନସନ, ସାମ ବିଲିଙ୍ଗ୍ସ, ମାଇକେଲ ବ୍ରାସୱେଲ, ମାର୍ଟିନ ଗୁପ୍ଟିଲ, କାଏଲ ଜେମିସନ, ଆଡାମ ମିଲନେ, ଡାରିଲ ମିଚେଲ, ୱେନ ପାର୍ଣ୍ଣେଲ, ଡ୍ୱେନ ପ୍ରିଟୋରିୟସ, ଅଲଜାରି ଜୋଶେଫ୍, ରୋଭମାନ ପୱେଲ ଓ ଡେଭିଡ୍ ୱାଇଜ।