ବେଙ୍ଗାଲୁରୁ: ବିଶ୍ବର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୭ତମ ସଂସ୍କରଣର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଇପିଏଲ ପାଇଁ ନିଲାମୀ ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବ । ତେଣୁ ଏହା ପୂର୍ବରୁ ସମସ୍ତ ୧୦ ଫ୍ରାଞ୍ଚାଇଜ୍ ଟିମ ଖେଳାଳି ରିଟେନ ଏବଂ ରିଲିଜ କରିଛନ୍ତି। ତେବେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଆଇପିଏଲରେ ସାମିଲ ଥିବା ଶୁଭ୍ରାଂଶୁ ସେନାପତିଙ୍କୁ ଛାଡିଛି ଚେନ୍ନାଇ ସୁପର କିଙ୍ଗସ୍। ଗତ ଦୁଇ ବର୍ଷ ହେବ ଚେନ୍ନାଇ ସୁପର କିଙ୍ଗସ୍ରେ ସ୍ଥାନ ପାଇଥିଲେ ଶୁଭ୍ରାଂଶୁ ସେନାପତି। କିନ୍ତୁ ଚଳିତ ଆଇପିଏଲ ସିଜିନ୍ ଆରମ୍ଭ ପୂର୍ବରୁ ଶୁଭ୍ରାଂଶୁ ସେନାପତିଙ୍କୁ ଦଳରୁ ରିଲିଜ୍ କରିଛି ସିଏସ୍କେ। ଶୁଭ୍ରାଂଶୁ ସେନାପତିଙ୍କ ସହ ଚେନ୍ନାଇ ସୁପର କିଙ୍ଗସ୍ ମୋଟ୍ ୮ ଜଣ ଖେଳାଳିଙ୍କୁ ଚଳିତ ସିଜିନ୍ ପୁର୍ବରୁ ରିଲିଜ୍ କରିଛି ।
ଓଡ଼ିଆ କ୍ରିକେଟର ଶୁଭ୍ରାଂଶୁ ସେନାପତି ଦୁଇ ବର୍ଷ ହେଲା ଚେନ୍ନାଇ ସୁପର କିଙ୍ଗସ୍ରେ ସ୍ଥାନ ପାଇଥିଲେ ବି ଗୋଟିଏ ମ୍ୟାଚ୍ ଖେଳିବା ପାଇଁ ସୁଯୋଗ ପାଇ ନ ଥିଲେ । ୨୦୨୨ ଆଇପିଏଲ ପୂର୍ବରୁ ହୋଇଥିବା ମିନି ନିଲାମିରେ ଶୁଭ୍ରାଂଶୁ ସେନାପତିଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା ଚେନ୍ନାଇ। ତେବେ ଆଜି ଚେନ୍ନାଇ ସୁପର କିଙ୍ଗସ୍ ରିଲିଜ୍ କରିଥିବା ୮ ଖେଳାଳିଙ୍କ ମଧ୍ୟରେ ବେନ୍ ଷ୍ଟୋକ୍ସ, ପ୍ରିଟୋରିଓସ୍, ଅମ୍ବାତି ରାୟୁଡୁ,କାଇଲ ଜେମିସନ, ଭଗତ ବର୍ମା, ଆକାଶ ସିଂ,ଶୁଭ୍ରାଂଶୁ ସେନାପତି ଓ ଜାମିସନ୍ ଭଳି ଖେଳାଳି ରହିଛନ୍ତି। ଯାହାଫଳରେ ଚେନ୍ନାଇ ୩୨.୧ କୋଟି ଟଙ୍କା ନେଇ ଡିସେମ୍ବର ୧୯ରେ ହେବାକୁ ଥିବା ମିନି ନିଲାମକୁ ଯିବ। ବେନ ଷ୍ଟୋକ୍ସଙ୍କୁ ୧୬.୨୫ କୋଟି ଟଙ୍କାରେ ଚେନ୍ନାଇ କ୍ରୟ କରିଥିବାରୁ ସେ ରିଲିଜ ହେବା ଫଳରେ ଦଳର ମୋଟା ଅଙ୍କା ଅର୍ଥ ବଞ୍ଚିଛି।
ଅନ୍ୟପଟେ ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସ୍ ଦଳରେ ଡେଭିଡ କନୱେ, ରୁତୁରାଜ ଗାଇକୱାଡ, ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ଶେଖ ରସିଦ, ଅଜିଙ୍କ୍ୟ ରାହାନେ, ମିଚେଲ ସାଣ୍ଟନର୍, ଶିବମ୍ ଦୁବେ, ମୋଇନ୍ ଅଲି, ରବିନ୍ଦ୍ର ଜାଡେଜା, ନିଶାନ୍ତ ସିନ୍ଧୁ, ଅଜୟ ମଣ୍ଡଳ, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମୁକେଶ ଚୌଧୁରୀ, ମେହଶ ତିକ୍ଷିନ୍ନା,ସିମରଜିତ ସିଂ, ରାଜବର୍ଦ୍ଧନ ହାଙ୍ଗରକର, ମାଥିଶା ପଥିରାନା, ପ୍ରଶାନ୍ତ ସୋଲାନକି ରହିଛନ୍ତି।