ନୂଆଦିଲ୍ଲୀ: ଏସୀୟ କ୍ରୀଡା କ୍ରିକେଟ ପ୍ରତିଯୋଗିତାରେ ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ୱିକେଟ ହରାଇ ୯୬ ରନ କରିଥିଲା। ଭାରତ ଗୋଟିଏ ୱିକେଟ ହରାଇ ୯.୨ ଓଭରରେ ୯୭ ରନ କରି ସହଜରେ ଏହି ମ୍ୟାଚକୁ ଜିିତି ନେଇଛି। ତିଲକ ବର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ ୪୦ ରନ କରିଥିଲେ।
ଟସ୍ ଜିତି ପ୍ରଥମେ ବୋଲିିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଋତୁରାଜ । ସାଇ କିଶୋର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ୱାସିଂଟନ ସୁନ୍ଦର ୨ଟି, ଅର୍ଶଦୀପ, ତିଲକ ବର୍ମା, ରବି ବିଷ୍ଣୋଇ, ଶାହାବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ।
ଦ୍ୱିତୀୟ ସେମିଫାଇନାଲ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଏହି ମୁକାବିଲାରେ ବିଜେତା ଟିମ୍ ଫାଇନାଲରେ ଭାରତକୁ ଭେଟିବ । ଫାଇନାଲ ଜିତି ସ୍ୱର୍ଣ୍ଣ ପଦକ ହାସଲ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲ କରିଛି ।