ନୂଆଦିଲ୍ଲୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତୀୟ କ୍ରିକେଟର ରିଷଭ ପନ୍ତ। ଏବେ ରିଷଭଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରିଷଭ ଚାଲୁଥିବାର ଦେଖାଯାଉଛି । ରିଷଭ ଏହି ଫଟୋକୁ ନିଜେ ଟ୍ବିଟ କରିଛନ୍ତି । ଫଟୋରେ ରିଷଭ ଆଶା ବାଡ଼ି ଧରି ଚାଲୁଥିବାର ଦେଖାଯାଇଛି । ରିଭଷ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, ୱାନ ଷ୍ଟେପ ଫରୱାର୍ଡ- ୱାନ ଷ୍ଟେପ ଷ୍ଟ୍ରଙ୍ଗର- ୱାନ ଷ୍ଟେପ ବେଟର । ସେ ସେୟାର କରିଥିବା ପୋଷ୍ଟରେ ଦେଖିବାକୁ ମିଳିଛି ଯେ, ରିଷଭ ଆଶା ବାଡ଼ି ଧରି ଧୀରେ ଧୀରେ ଚାଲୁଛନ୍ତି । ତାଙ୍କ ଡାହାଣ ପାଦ ଫୁଲି ଥିବାର ମଧ୍ୟ ଫଟୋରେ ଦେଖାଯାଉଛି । ଏହି ଫଟୋ ଦେଖି ଲାଗୁଛି ଆଉ ଅଳ୍ପ ଦିନରେ ରିଷଭ ସୁସ୍ଥ ହୋଇଯିବେ ।
ସୂଚନା ଅନୁଯାୟୀ, ଗତ ଡିସେମ୍ବରରେ ରିଷଭଙ୍କ ଗାଡ଼ି ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ିକୁ ସେ ନିଜେ ଚଳାଉଥିଲେ । ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିଲାବେଳେ ତାଙ୍କ କାର୍ ଡିଭାଇଡରରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ଟି ସଂପୂର୍ଣ୍ଣ ଜଳିଯାଇଥିଲା । ତାଙ୍କ ମୁଣ୍ଡ ଏବଂ ଗୋଡରେ ଗଭୀର ଆଘାତ ଲାଗିଥିଲା । ସେବେଠୁ ସେ ଚିକିତ୍ସାଧୀନ ଅଛନ୍ତି ।