ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ୱିକେଟ୍ କିପର୍-ବ୍ୟାଟର୍ ରିଷଭ ପନ୍ତ ଦିନିକିଆ ଫର୍ମାଟରୁ ବାଦ୍ ପଡ଼ିବା ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଦଳରୁ ବାଦ୍ ପଡ଼ିଲେ ନିଶ୍ଚିତ ଭାବରେ ଖରାପ ଲାଗେ। କିନ୍ତୁ ଜଣେ ଆଥଲେଟ୍ ଭାବରେ ସେ ବିଶ୍ୱାସ କରନ୍ତି ଯେ ପ୍ରତ୍ୟେକ ବିଫଳତା ପରେ ଏକ ଦୃଢ଼ କମବ୍ୟାକ୍ (ପ୍ରତ୍ୟାବର୍ତ୍ତନ) କରିବାର ସୁଯୋଗ ରହିଥାଏ। ବର୍ତ୍ତମାନ ଭାରତୀୟ ଦିନିକିଆ ଦଳରେ କେ.ଏଲ୍ ରାହୁଲ, ଇଶାନ କିଷନ ଏବଂ ଧ୍ରୁବ ଜୁରେଲଙ୍କ ଭଳି ଖେଳାଳିମାନେ ଆଗରେ ରହିଛନ୍ତି।
ମତାମତ ଦେବା ସହଜ
ସାମ୍ପ୍ରତିକ ସମୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଘୋଷଣା ହୋଇଥିବା ଦଳରେ ମଧ୍ୟ ପନ୍ତଙ୍କୁ ସ୍ଥାନ ମିଳିନାହିଁ। ନିଜର ଅନୁପସ୍ଥିତି ଏବଂ ସମାଲୋଚନାକୁ ନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ଯେତେବେଳେ ଏପରି କିଛି ଘଟେ, ନିଶ୍ଚିତ ଭାବେ ଖରାପ ଲାଗେ। ବାହାରେ ଥାଇ ମତାମତ ଦେବା ବହୁତ ସହଜ, କିନ୍ତୁ ଜଣେ ଖେଳାଳି ହିସାବରେ ମୋତେ ଲଢ଼େଇ କରିବାକୁ ପଡ଼ିବ। ଆନ୍ତର୍ଜାତୀୟ କ୍ରିକେଟ୍ ବଦଳୁଛି ଏବଂ କେବେ କେବେ ଆପଣଙ୍କୁ ନିଜ ସୁଯୋଗ ପାଇଁ ଅପେକ୍ଷା କରିବାକୁ ପଡ଼େ।"
ପନ୍ତଙ୍କ ଦିନିକିଆ କ୍ୟାରିୟର
ଟେଷ୍ଟ କ୍ରିକେଟରେ ରିଷଭ ପନ୍ତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ମଧ୍ୟ ସୀମିତ ଓଭର କ୍ରିକେଟରେ ତାଙ୍କର ପ୍ରଦର୍ଶନ ସେତେଟା ଆଖିଦୃଶିଆ ହୋଇପାରି ନାହିଁ। ସେ ଶେଷ ଥର ପାଇଁ ୭ ଅଗଷ୍ଟ ୨୦୨୪ରେ ଭାରତ ପାଇଁ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏବେ ସୁଦ୍ଧା ସେ ମୋଟ ୩୧ଟି ଦିନିକିଆ ଖେଳି ୩୩.୫୦ ହାରରେ ମୋଟ ୮୭୧ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୨୦୨୨ ମସିହାରେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ୧୨୫ ଅପରାଜିତ ରନ୍ ତାଙ୍କର ଏକମାତ୍ର ଶତକ ଅଟେ ଏବଂ ଏଥିସହ ସେ ୫ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ଆଗାମୀ ଦିନରେ ନିଜ ଖେଳରେ ଉନ୍ନତି ଆଣି ଦିନିକିଆ ଦଳକୁ ଫେରିବା ନେଇ ସେ ଆଶାବାଦୀ ଅଛନ୍ତି।