ଆଜି ଖେଳାଯିବ ଆଇପିଏଲ ଫାଇନାଲ : ବର୍ଷା ପାଇଁ ଖେଳ ନ ହେଲେ ଗୁଜରାଟ ହେବ ଚାମ୍ପିଅନ

ଅହମ୍ମଦାବାଦ୍‌‌ : କ୍ରମାଗତ ବର୍ଷା ଯୋଗୁ ଏଠାରେ ଚେନ୍ନାଇ ସୁପର କିଙ୍ଗ୍‌‌ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଆଇପିଏଲ୍‌‌-୨୦୨୩ ଫାଇନାଲ ସ୍ଥଗିତ ରହିଥିଲା। ଆଇପିଏଲ୍‌‌ ନିୟମ ଅନୁଯାୟୀ ସୋମବାର ଅର୍ଥାତ ଆଜି ରିଜର୍ଭ ଦିବସରେ ଫାଇନାଲ ମ୍ୟାଚ ପୁନଃମୁକାବିଲା ହେବ। ତେବେ ଯଦି ଆଜିବି ବର୍ଷା ଯୋଗୁ ଖେଳ ସମ୍ଭବ ନ ହୁଏ, ତେବେ ଲିଗ୍‌‌ ପଏଣ୍ଟ ଟେବଲରେ ପ୍ରଥମ ସ୍ଥାନରେ ଥିବା ଡିଫେଣ୍ଡିଂ ଚାମ୍ପିଅନ୍‌‌ ଗୁଜରାଟ ଟାଇଟନ୍ସ ଟାଇଟଲ ବିଜୟୀ ହେବ। […]

ଅହମ୍ମଦାବାଦ୍‌‌ : କ୍ରମାଗତ ବର୍ଷା ଯୋଗୁ ଏଠାରେ ଚେନ୍ନାଇ ସୁପର କିଙ୍ଗ୍‌‌ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଆଇପିଏଲ୍‌‌-୨୦୨୩ ଫାଇନାଲ ସ୍ଥଗିତ ରହିଥିଲା। ଆଇପିଏଲ୍‌‌ ନିୟମ ଅନୁଯାୟୀ ସୋମବାର ଅର୍ଥାତ ଆଜି ରିଜର୍ଭ ଦିବସରେ ଫାଇନାଲ ମ୍ୟାଚ ପୁନଃମୁକାବିଲା ହେବ। ତେବେ ଯଦି ଆଜିବି ବର୍ଷା ଯୋଗୁ ଖେଳ ସମ୍ଭବ ନ ହୁଏ, ତେବେ ଲିଗ୍‌‌ ପଏଣ୍ଟ ଟେବଲରେ ପ୍ରଥମ ସ୍ଥାନରେ ଥିବା ଡିଫେଣ୍ଡିଂ ଚାମ୍ପିଅନ୍‌‌ ଗୁଜରାଟ ଟାଇଟନ୍ସ ଟାଇଟଲ ବିଜୟୀ ହେବ। ବର୍ଷା ଯୋଗୁ ଏହି ଫାଇନାଲ ମୁକାବିଲାର ଆକର୍ଷଣ କମିଯାଇଛି। ଦର୍ଶକ, ଆୟୋଜକ, ପ୍ରତିଦ୍ୱନ୍ଦ୍ୱୀ, କର୍ମକର୍ତ୍ତା ଏହି ବର୍ଷା ଯୋଗୁ ନିରାଶ ହୋଇନ୍ତି। ଆଇପିଏଲ୍‌‌ର ଗତ ୧୫ଟି ସଂସ୍କରଣର ଇତିହାସରେ ପ୍ରଥମଥର ବର୍ଷା ଯୋଗୁ ଫାଇନାଲ ମ୍ୟାଚ୍‌‌ ଆୟୋଜିତ ହୋଇ ପାରି ନାହିଁ।

ରବିବାର ହେବାକୁ ଥିବା ଫାଇନାଲ ମୁକାବିଲା ୪ଥରର ଚାମ୍ପିଅନ୍‌‌ ଚେନ୍ନାଇ ସୁପର କିଙ୍ଗ୍‌‌ସ ଓ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା। ସନ୍ଧ୍ୟା ୭ଟା ପୂର୍ବରୁ ଟିଭିରେ ମାଥ୍ୟୁ ହେଡେନ ପିଚ୍‌‌ ରିପୋର୍ଟ ଦେବା ପରେ ସମସ୍ତେ ଟସ୍‌‌ ପଡ଼ିବାକୁ ଅପେକ୍ଷା କରିଥିଲେ। କିନ୍ତୁ ହଠାତ୍‌‌ ଘଡଘଡ଼ି ସହ ବର୍ଷା ଆରମ୍ଭ ହୋଇଯାଇଥିଲା। ବର୍ଷା ହେବାରୁ ଟସ୍‌‌ ପଡ଼ି ପାରି ନଥିଲା। ସମୟ ଗଡ଼ିଚାଲିବା ସାଙ୍ଗକୁ ବର୍ଷାର ପରିମାଣ ମଧ୍ୟ ବଢ଼଼ିଥିଲା। ବର୍ଷା ଛାଡ଼ିବାର ଆଶା ଦେଖା ନହେବାରୁ ଖେଳ ନିୟମର ତର୍ଜମା ଆରମ୍ଭ ହୋଇଯାଇଥିଲା। ଏଭଳି ଚିନ୍ତା ସମୟରେ ରାତି ୯ଟା ୧୧ ବେଳକୁ ବର୍ଷା ସମ୍ପୂର୍ଣ୍ଣ ଛାଡିଯାଇଥିଲା। ପିଚ୍‌‌ ଉପରୁ କଭର କାଢ଼ିନିଆଯାଇଥିଲା। ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ କିଛି ଖେଳାଳି ପଡ଼ିଆକୁ ଆସି ସ୍ଥିତି ତଦାରଖ କରିଥିଲେ। ଆୟୋଜକ, ପ୍ରାୟୋଜକ, ଦର୍ଶକ, ଖେଳାଳି ଓ କର୍ମକର୍ତ୍ତା ମ୍ୟାଚ୍‌‌ ଆରମ୍ଭ ନେଇ ଅଙ୍କ କଷୁଥିଲାବେଳେ ୯ଟା ୨୦ ମିନିଟ୍‌‌ ବେଳକୁ ପୁଣିଥରେ ଜୋରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଫଳରେ ସମସ୍ତଙ୍କୁ ପୁଣିଥରେ ଅପେକ୍ଷା କରିବାକୁ ପଡ଼ିଥିଲା। କିନ୍ତୁ ବର୍ଷା ଆଉ କମି ନଥିଲା। ଫଳରେ ରାତି ୧୧ଟାରେ ମ୍ୟାଚ୍‌‌ ରେଫରୀ ଜାଭାଗଲ ଶ୍ରୀନାଥ, ଦୁଇ ଫିଲ୍ଡ ଅମ୍ପାୟାର ନୀତୀନ ମେନନ ଓ ରଡ ଟକର ଆଲୋଚନା କରିବା ପରେ ମ୍ୟାଚ୍‌‌କୁ ସ୍ଥଗିତ ରଖିଥିଲେ। ଆଇପିଏଲ୍‌‌ ନିୟମ ଅନୁଯାୟୀ ଆଜି ଏହି ମ୍ୟାଚ୍‌‌ ପୁଣିଥରେ ଖେଳାଯିବ। ସୋମବାର ରାତି ୭ଟା ୩୦ମିନିଟ୍‌‌ରେ ଖେଳାଯିବ।

ଫାଇନାଲ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌‌ସର ଭେଟେରାନ ବ୍ୟାଟର ଅମ୍ବତି ରାୟୁଡୁ ଅବସର ନେବାକୁ ଘୋଷଣା କରି ଚମକ ସୃଷ୍ଟି କରିଥିଲେ। ଚଳିତ ଆଇପିଏଲ୍‌‌ରେ ସେ ୧୫ଟି ମ୍ୟାଚ୍‌‌ ଖେଳି ମାତ୍ର ୧୩୯ ରନ୍‌‌ କରିଥିବାରୁ ଫର୍ମରେ ନଥିଲେ। ଏଣୁ ତାଙ୍କ ଅବସର ଖବର ନେଇ କେହି ବିସ୍ମିତ ହୋଇ ନଥିଲେ। ଏହା ପରେ ଚେନ୍ନାଇ ଦଳର ଦୁଇ ପ୍ରମୁଖ ଖେଳାଳି ମାହୀଶ ଥିକସାନା ଓ ମାଥିଶ ପତିରାଣା ଫାଇନାଲ ମ୍ୟାଚ୍‌‌ ଖେଳିପାରିବେ ନାହିଁ ବୋଲି ଜଣାପଡ଼ିବା ପରେ ଚେନ୍ନାଇ ସମର୍ଥକଙ୍କ ମଧ୍ୟରେ ନିରାଶ ସୃଷ୍ଟି ହୋଇଥିଲା। ସୋମବାର ଖେଳାଯିବାକୁ ଥିବା ଫାଇନାଲରେ ଚେନ୍ନାଇ ଏକ ଦୁର୍ବଳ ଦଳ ଭାବେ ଗୁଜରାଟ ସହ ମୁକାବିଲା କରିବ। ଶ୍ରୀଲଙ୍କାର ଉପରୋକ୍ତ ଦୁଇ ଖେଳାଳି ଚଳିତ ଆଇପିଏଲ୍‌‌ରେ ଜବରଦସ୍ତ ଫର୍ମରେ ରହିଛନ୍ତି। ତାଙ୍କ ଅନୁପସ୍ଥିତିରେ ଚେନ୍ନାଇ ନିଶ୍ଚିତ ଭାବେ ଅଡ଼ୁଆରେ ପଡ଼ିବ। ସମ୍ଭବତଃ ନିଜ ଖେଳ ଜୀବନର ଶେଷ ଆଇପିଏଲ୍‌‌ ମ୍ୟାଚ୍‌‌ ଖେଳୁଥିବା ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଲାଗି ଏହା କଷ୍ଟଦାୟକ ହେବ।

About The Author: The Sakala