ଆଜିଠାରୁ ଆଇପିଏଲ୍‌ ମହାସମର: ଚାମ୍ପିଅନ ଦଳକୁ ୨୦ କୋଟି ଟଙ୍କା ପୁରସ୍କାର, ପରିବାର ସଦସ୍ୟଙ୍କୁ ଡ୍ରେସିଂ ରୁମ୍‌ ମନା

କୋଲକାତା: ଆଜି ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ମହାସମର ଆରମ୍ଭ ହେବ। ପୂର୍ବପରି ୨ଟି ଗ୍ରୁପ୍‌ରେ ୧୦ଟି ଦଳ, ୧୩ଟି ଭେନ୍ୟୁରେ ୭୪ଟି ମ୍ୟାଚ ଖେଳିବେ। ପ୍ରତ୍ୟେକ ଦଳ ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳିବେ ଓ ପ୍ରଥମ ୪ଟି ଦଳ ପ୍ଲେ ଅଫ୍‌କୁ ଯୋଗ୍ୟତା ଅର୍ଜନ କରିବେ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଇଡେନ ଗାର୍ଡେନ୍ସରେ ମୁକାବିଲା ହେବ। ୬୫ ଦିନର ଏହି ମହାସମର ମେ’ […]

କୋଲକାତା: ଆଜି ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ମହାସମର ଆରମ୍ଭ ହେବ। ପୂର୍ବପରି ୨ଟି ଗ୍ରୁପ୍‌ରେ ୧୦ଟି ଦଳ, ୧୩ଟି ଭେନ୍ୟୁରେ ୭୪ଟି ମ୍ୟାଚ ଖେଳିବେ। ପ୍ରତ୍ୟେକ ଦଳ ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳିବେ ଓ ପ୍ରଥମ ୪ଟି ଦଳ ପ୍ଲେ ଅଫ୍‌କୁ ଯୋଗ୍ୟତା ଅର୍ଜନ କରିବେ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଇଡେନ ଗାର୍ଡେନ୍ସରେ ମୁକାବିଲା ହେବ। ୬୫ ଦିନର ଏହି ମହାସମର ମେ’ ୨୫ ତାରିଖରେ ଗ୍ରାଣ୍ଡ ଫାଇନାଲ ସହ ଶେଷହେବ।

ଭାରତରେ ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ ବିଶ୍ୱରେ ସବୁଠାରୁ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ବିସିସିଆଇ (ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର କ୍ରିକେଟ ଇନ୍‌ ଇଣ୍ଡିଆ)ର ଏହା ଏକ ଘରୋଇ କ୍ରିକେଟ ଲିଗ୍‌ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରର ଖେଳ ଏହାର ମୁଖ୍ୟ ଆକର୍ଷଣ। ଏହି ଲିଗ୍‌ରେ ସଫଳତା ପାଇବା ଅର୍ଥ ରାତାରାତି ଷ୍ଟାରରେ ପରିଣତ ହେବ। ଦେଶ ବିଦେଶର ଅନେକ ଖେଳାଳି ଏପରି ସଫଳତା ହାସଲ କରି ଜିରୋରୁ ହିରୋରେ ପରିଣତ ହୋଇଛନ୍ତି। ୨୦୦୮ରୁ ଲଳିତ ମୋଦୀଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି ଲିଗ୍‌ ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଯାଇଛି। ଭାରତ ବାହାର ଦେଶର ଜଣେ ଖେଳାଳିଙ୍କୁ ନିଜ ଦେଶର ଦଳ ଅପେକ୍ଷା ଆଇପିଏଲ୍‌ ଟିମ୍‌ରେ ସ୍ଥାନ ପାଇବା କଷ୍ଟକର ହେଉଛି। ଏଭଳି ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଲିଗ୍‌ରେ ଖେଳିବା ଅନେକ ଖେଳାଳି ନିଜର ସୌଭାଗ୍ୟ ବୋଲି ବିବେଚନା କରିଥାନ୍ତି। ଏଥର ଲିଗ୍‌ରେ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ୨୦୨୫ ମାର୍ଚ୍ଚ ୨୨ରୁ ଏହି ଲିଗ୍‌ ଆରମ୍ଭ ହୋଇ ମେ’ ୨୫ରେ ଶେଷ ହେବ। ଏଥିରେ ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ଫର୍ମାଟ
ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଭାଗନେଇଥିବାବେଳେ ପୂର୍ବବର୍ଷ ପରି ଏଗୁଡିକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍‌ରେ ୫ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ସହ ୨ଥର ଲେଖାଏଁ ଖେଳିବେ। ସେହିପରି ଗୋଟିଏ ଗ୍ରୁପର ଗୋଟିଏ ଦଳ ଅନ୍ୟ ଗ୍ରୁପ୍‌ର ଗୋଟିଏ ଦଳ ସହ ମଧ୍ୟ ୨ଟି ମ୍ୟାଚ୍‌ ଖେଳିବ। ଏହା ଗ୍ରୁପ୍‌ର ସିଡିଂ ଉପରେ ଦଳ ନିର୍ଦ୍ଧାରିତ ହେବ। ମନେ କରାଯାଉ ଗ୍ରୁପ୍‌-ଏ’ରେ ଚେନ୍ନାଇର ସିଡ୍‌ ନଂ-୧ ଓ ଗ୍ରୁପ୍‌-ବି’ରେ ମୁମ୍ବାଇ ସିଡ ନଂ-୧ ରହିଛି। ଏହା ଫଳରେ ଚେନ୍ନାଇ ଓ ମୁମ୍ବାଇ ପରସ୍ପର ସହ ୨ଥର ମ୍ୟାଚ୍‌ ଖେଳିବେ। ଏହା ବ୍ୟତୀତ ଅନ୍ୟ ଗ୍ରୁପ୍‌ର ୪ଟି ଦଳ ସହ ଗୋଟିଏ ଲେଖାଏଁ ମ୍ୟାଚ୍‌ ଅନ୍ୟ ଗ୍ରୁପ୍‌ର ଦଳ ଖେଳିବେ। ଏସବୁକୁ ହିସାବକୁ ନେଲେ ଗୋଟିଏ ଦଳ ଲିଗ୍‌ ପର୍ଯ୍ୟାୟରେ ପୂର୍ବପରି ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳିବ। ନିୟମ ଅନୁଯାୟୀ ଗ୍ରୁପ୍‌ ପର୍ଯ୍ୟାୟରେ ୪ଟି ଦଳ ସହ ୮ଟି, ଅନ୍ୟ ଗ୍ରୁପ୍‌ର ଗୋଟିଏ ଦଳ ସହ ୨ଟି ମ୍ୟାଚ୍‌ ଖେଳିବ। ଏହାର ଅର୍ଥ ଗୋଟିଏ ଦଳ ଅନ୍ୟ ୫ଟି ଦଳ ସହ ୨ଟି ଲେଖାଏଁ ମୋଟ ୧୦ଟି ମ୍ୟାଚ୍‌ ଖେଳିବ। ସେହିପରି ଅନ୍ୟ ୪ଟି ଦଳ ସହ ୪ଟି ଲେଖାଏଁ ଖେଳିଲେ ଗୋଟିଏ ଦଳ ମୋଟରେ ୧୪ଟି ମ୍ୟାଚ୍‌ ଖେଳିବ।
ଲିଗ୍‌ ପର୍ଯ୍ୟାୟ ପରେ ପଏଣ୍ଟ ତାଲିକାରେ ପ୍ରଥମ ୪ଟି ସ୍ଥାନ ହାସଲ କରିଥିବା ଦଳ ପ୍ଲେ ଅଫ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଲହା ମଧ୍ୟରୁ ପ୍ରଥମ ଦୁଇ ଦଳ ମଧ୍ୟରେ କ୍ୱାଲିଫାୟର-୧ ଖେଳାଯିବ। ଏହି ମ୍ୟାଚ୍‌ର ବିଜେତା ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ ଓ ପରାଜିତ ଦଳ କ୍ୱାଲିଫାୟର-୨ରେ ଖେଳିବ। ତୃତୀୟ ଓ ଚତୁର୍ଥ ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ। ଏହି ମ୍ୟାଚ୍‌ରେ ପରାଜିତ ଦଳ ପ୍ରତିଯୋଗିତାରୁ ବାଦ୍‌ ପଡ଼ିବ ଓ ବିଜେତା ଦଳ କ୍ୱାଲିଫାୟର-୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଉଭୟ କ୍ୱାଲିଫାୟରର ବିଜେତା ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେବ।

୧୩ ଭେନ୍ୟୁରେ ୭୪ ମ୍ୟାଚ୍‌

ଆଇପିଏଲ୍‌ର ଅଷ୍ଟାଦଶ ସଂସ୍କରଣ ଏଥର ଦୀର୍ଘ ୬୫ ଦିନ ଧରି ଚାଲିବ। ମେ ୨୫ରେ ଗ୍ରାଣ୍ଡ ଫାଇନାଲକୁ ମିଶାଇ ୧୩ଟି ଭେନ୍ୟୁରେ ସର୍ବମୋଟ୍‌ ୭୪ ମ୍ୟାଚ୍‌ ଖେଳାଯିବ। ଏହି ଭେନ୍ୟୁଗୁଡ଼ିକ ହେଲା କୋଲକାତା (ଇଡେନ ଗାର୍ଡେନ୍ସ ଷ୍ଟାଡିୟମ), ଅହମ୍ମଦାବାଦ (ନରେନ୍ଦ୍ର ମୋଦୀ ଷ୍ଟାଡିୟମ), ବେଙ୍ଗାଲୁରୁ (ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ), ଚେନ୍ନଇ (ଏମଏ ଚିଦାମ୍ବରମ ଷ୍ଟାଡିୟମ), ଦିଲ୍ଲୀ (ଅରୁଣ ଜେଟ୍‌ଲୀ ଷ୍ଟାଡିୟମ), ଧର୍ମଶାଳା (ଏଚ୍‌ପିସିଏ କ୍ରିକେଟ୍‌ ଷ୍ଟାଡିୟମ), ଗୌହାଟୀ (ବର୍ସାପରା କ୍ରିକେଟ ଷ୍ଟାଡିୟମ), ହାଇଦରାବାଦ୍‌ (ରାଜୀବ ଗାନ୍ଧୀ ଷ୍ଟାଡିୟମ), ଜୟପୁର (ସୱାଇ ମାନସିଂ ଷ୍ଟାଡିୟମ), ଲକ୍ଷ୍ନୌ (ଏକନ୍ନା କ୍ରିକେଟ ଷ୍ଟାଡିୟମ), ମୁଲାନପୁର (ମହାରାଜ ଯାଦବିନ୍ଦର ସିଂହ ଷ୍ଟାଡିୟମ), ମୁମ୍ବଇ (ୱାଙ୍ଖଡେ ଷ୍ଟାଡିୟମ) ଓ ବିଶାଖାପାଟନମ (ଏସିଏ-ଭିଡିସିଏ ଷ୍ଟାଡିୟମ)।

୧୨ ଡବଲ୍‌ ହେଡର୍‌ ମ୍ୟାଚ୍‌

ମୋଟ୍‌ ଉପରେ ୧୩ଟି ଭେନ୍ୟୁରେ ମ୍ୟାଚ୍‌ ଖେଳାଯିବ। ୧୦ଟି ଦଳର ଘରୋଇ ଭେନ୍ୟୁକୁ ବାଦ୍‌ ଦେଲେ ୩ଟି ସବଷ୍ଟିଚ୍ୟୁଟ ଭେନ୍ୟୁ ମଧ୍ୟ ରଖାଯାଇଛି। କୋଲକାତାର ଇଡେନ ଗାର୍ଡେନ୍ସ ଓ ହାଇଦରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସର୍ବାଧିକ ୯ଟି ଲେଖାଏ ମ୍ୟାଚ୍‌ ଖେଳାଯିବ। ଏହି ଦୁଇଟି ଭେନ୍ୟୁରେ ୭ଟି ଘରୋଇ ମ୍ୟାଚ୍‌କୁ ବାଦ ଦେଲେ ୨ଟି ଲେଖାଏ ପ୍ଲେ-ଅଫ୍‌ ମୁକାବିଲା ମଧ୍ୟ ଖେଳାଯିବ। ଏଥର ଆଇପିଏଲ୍‌ରେ ୧୨ଟି ଡବଲ ଡେଡର ରଖାଯାଇଛି। ଅର୍ଥାତ ୧୨ଥର ଗୋଟିଏ ଦିନରେ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳାଯିବ। ସବୁ ଡବଲ ହେଡର ଶନିବାର କିମ୍ବା ରବିବାର ଖେଳାଯିବ। ଡବଲ୍‌ ହେଡର୍‌ର ପ୍ରଥମ ମ୍ୟାଚ୍‌ ଅପରାହ୍ଣ ୩ଟା ୩୦ ଓ ଦ୍ୱିତୀୟ ମ୍ୟାଚ୍‌ ରାତି ୭ଟା ୩୦ରେ ଆରମ୍ଭ ହେବ। ଅପରପକ୍ଷରେ ଯେଉଁଦିନ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳାଯିବ ଏହା ରାତି ୭ଟା ୩୦ରୁ ହେବ।

ଚାମ୍ପିଅନ ଦଳକୁ ୨୦ କୋଟି ଟଙ୍କା ପୁରସ୍କାର
ଆଇପିଏଲ ଚାମ୍ପିଅନ ଦଳକୁ ଟ୍ରଫି ସହ ୨୦ କୋଟି ଟଙ୍କାର ପୁରସ୍କାର ରାଶି ମିଳିଥାଏ। ସେହପରି ରନର୍ସଅପ ଦଳକୁ ୧୩, ତୃତୀୟ ସ୍ଥାନରେ ଥିବା ଦଳକୁ ୭, ଚତୁର୍ଥ ସ୍ଥାନରେ ରହିଥିବା ଦଳକୁ ୬.୫୦ୁ କୋଟି ଟଙ୍କା ପ୍ରଦାନ କରାଯାଇଥାଏ। ଏହା ବ୍ୟତୀତ ପ୍ଲେୟର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ, ଶ୍ରେଷ୍ଠ ବ୍ୟାଟର, ଶ୍ରେଷ୍ଠ ବୋଲର, ଉଦୀୟମାନ ଖେଳାଳିଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ।

ପରିବାର ସଦସ୍ୟଙ୍କୁ ଡ୍ରେସିଂ ରୁମ୍‌ ମନା

ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ୍‌ ଲିଗ୍‌ ଆଇପିଏଲର ୧୮ତମ ସଂସ୍କରଣରେ ଏଥର ଅନେକ ନୂଆ ନିୟମ ଲାଗୁ ହୋଇଛି। ଗତ ସଂସ୍କରଣଗୁଡିକ ତୁଳାନରେ ଏଥର ବିସିସିଆଇ ଖେଳାଳିଙ୍କ ସ୍ୱାଧୀନତା ଉପରେ କିଛିଟା କଟକଣା ଲଗାଇଛି। ନୂଆ ନିୟମ ଅନୁସାରେ ପ୍ଲେୟର ଆଣ୍ଡ୍‌ ମ୍ୟାଚ୍‌ ଅଫିସିଆଲ ଏରିଆ (ପିଏମ୍‌ଓଏ)ର ଆଖପାଖ ଅଞ୍ଚଳରେ ଖେଳାଳିମାନଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିକୁ ବାରଣ କରାଯାଇଛି। ପରିବାର ସଦସ୍ୟଙ୍କୁ ମଧ୍ୟ ଡ୍ରେସିଂ ରୁମ୍‌ରେ ପ୍ରବେଶ ଉପରେ ରୋକ୍‌ ଲଗାଯାଇଛି। ଅଭ୍ୟାସ ଦିନମାନଙ୍କରେ ମଧ୍ୟ ପରିବାର ସଦସ୍ୟଙ୍କ ପାଇଁ ଏହି ନୟମ ଲାଗୁ କରାଯାଇଛି। ଟୁର୍ଣ୍ଣାମେଣ୍ଟ ଓ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅଭ୍ୟାସ ଦିନଗୁଡିକରେ କେବଳ ଆକ୍ରିଟେଡ ଅର୍ଥାତ ମାନ୍ୟତା ପାଇଥିବା ଷ୍ଟାଫ୍‌ ଓ ଅଧିକରୀଙ୍କୁ ଡ୍ରେସିଂ ରୁମ୍‌ରେ ପ୍ରବେଶ କରିବାର ଅଧିକାର ମିଳିବ। ସେହିଭଳି ଖେଳାଳିମାନଙ୍କ ପରିବାର ସଦସ୍ୟମାନେ ଅଲଗା ଗାଡ଼ିରେ ଯାତ୍ରା କରି ହସ୍ପିଟାଲିଟି ଏରିଆରେ ରହି ଅଭ୍ୟାସ ଦେଖିପାରିବେ। ଏହା ବ୍ୟତୀତ ଖେଳାଳିମାନେ କେବଳ ଟିମ୍‌ ବସରେ ଯାତ୍ରା କରିବା ବାଧ୍ୟତାମୂଳକ କରାଯାଇଛି। ବିସିସିିଆଇ ଏହି ନିୟମ ଭାରତୀୟ ଦଳ ପାଇଁ କିଛିଦିନ ପୂର୍ବରୁ ଲାଗୁ କରିଥିଲା। ଉଲ୍ଲେଖଯୋଗ୍ୟ, ଗତ କେତୋଟି ସିଜିନ୍‌ରେ ଡ୍ରେସିଂ ରୁମ୍‌ ଓ ପିଏମ୍‌ଓଏ୍‌ରେ ଖେଳାଳିଙ୍କ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ଉପସ୍ଥିତି ନେଇ ଏକାଧିକବାର ଅଭିଯୋଗ ହୋଇଥିଲା। ଫଳରେ ଟିମ୍‌ ମ୍ୟାନେଜମେଣ୍ଟ ଓ ବୋର୍ଡ ଏଥର ଆଭିମୁଖ୍ୟ କଠୋର କରିବାକୁ ବାଧ୍ୟ ହୋଇଛନ୍ତି।

୫ଟି ଦଳର ନୂଆ ଅଧିନାୟକ

ଏଥର ମେଗା ନିଲାମି ବଳରେ ଦଳର ଖେଳାଳି, କ୍ୟାପ୍ଟେନ ଓ କୋଚ୍‌ ପରିବର୍ତ୍ତନ ହୋଇଛି। ୨୦୨୪ରେ କୋଲକାତାକୁ ଚାମ୍ପିଅନ୍‌ କରାଇଥିବା ଶ୍ରେୟସ ଆୟର ଏଥର ପଞ୍ଜାବର ନେତୃତ୍ୱ ନେବେ। ତାଙ୍କ ସ୍ଥାନରେ ଆଜିଙ୍କ୍ୟ ରାହାଣେ କୋଲକାତାର ନେତୃତ୍ୱ ନେଇଛନ୍ତି। ନିଲାମିରେ ଋଷଭ ପନ୍ତ୍‌ଙ୍କୁ ଦିଲ୍ଲୀ ରିଲିଜ୍‌ କରିବା ପରେ ଲକ୍ଷ୍ନୌ ତାଙ୍କୁ ନେତୃତ୍ୱ ଦେଇଛି। ଅକ୍ଷର ପଟେଲ ଦିଲ୍ଲୀ ଅଧିନାୟକ ହୋଇଛନ୍ତି। ସେହିପରି ରଜତ ପଟିଦାର ବେଙ୍ଗାଲୁରୁର ନେତୃତ୍ୱ ନେବେ। ବାସନ୍ଦ ଯୋଗୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ମୁମ୍ବାଇର ପ୍ରଥମ ମ୍ୟାଚ୍‌ରେ ନେତୃତ୍ୱ ନେବେ। ଆଘାତ ଜନିତ କାରଣରୁ ସଞ୍ଜୁ ସାମସନଙ୍କ ସ୍ଥାନରେ ରିୟାର ପରାଗ ପ୍ରଥମ ୩ଟି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେବେ। ଏହା ମଧ୍ୟରେ ଲକ୍ଷ୍ନୌ ଅଧିନାୟକ ଲୋକେଶ ରାହୁଲ ଦିଲ୍ଲୀର, ଯୁଜବେନ୍ଦ୍ର ଚହଲ ପଞ୍ଜାବ, ଆର୍‌ ଅଶ୍ୱିନ ଚେନ୍ନାଇ, ସିରାଜ ଗୁଜରାଟ ପକ୍ଷରୁ ଏଥର ଖେଳିବେ। ମହେନ୍ଦ୍ର ସିଂ ଧୋନି ଜଣେ ଅନ୍‌କ୍ୟାପ୍‌ଡ ଖେଳାଳିଭାବେ ୪ କୋଟି ଟଙ୍କା ବିନିମୟରେ ଚେନ୍ନାଇର ଖେଳିବେ। ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ୫ ବର୍ଷ ପରେ ଜଣେ ଅନ୍‌କ୍ୟାପଡ଼ ଖେଳାଳିରେ ପରିଣତ ହୋଇଥାନ୍ତି।
ଦିଲ୍ଲୀର କୋଚ୍‌ ରିକି ପଣ୍ଟିଂ ଏଥର ପଞ୍ଜାବର, ହେମାଙ୍ଗ ବଦାନୀ ଦିଲ୍ଲୀର, ରାହୁଲ ଦ୍ରାବିଡ୍‌ ରାଜସ୍ଥାନ ରୟାଲ୍ସର କୋଚ୍‌ ନିଯୁକ୍ତ ହୋଇଛନ୍ତି। ଗମ୍ଭୀରଙ୍କ ସ୍ଥାନରେ ଡ୍ୱେନ୍‌ ବ୍ରାଭୋ କୋଲକାତାର ମେଣ୍ଟର, ଗତବର୍ଷ ଖେଳିଥିବା ମାଥ୍ୟୁ ୱେଡ୍‌ ଏବର୍ଷ ଗୁଜରାଟର ଆସିଷ୍ଟାଣ୍ଟ କୋଚ୍‌ ହେବେ।

About The Author: The Sakala