ଚେନ୍ନାଇ : ସ୍ଥାନୀୟ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି ଆଇପିଏଲ ୨୦୨୩ ର କ୍ୱାଲିଫାୟର-୧ ମ୍ୟାଚ୍ । ଏହି ମ୍ୟାଚରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ଚେନ୍ନାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଫଳରେ ପ୍ରଥମେ ବ୍ୟାଟିଂ କରି ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୭ ୱିକେଟ ହରାଇ ୧୭୨ ରନ୍ ସଂଗ୍ରହ କରିଛି। କ୍ୱାଲିଫାୟର-୧ ମ୍ୟାଚ୍ ଜିତି ସିଧାସଳଖ ଆଇପିଏଲ ଫାଇନାଲରେ ପ୍ରବେଶ କରିବାକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସକୁ ନିର୍ଦ୍ଧାରିତ ୨୦ ଓଭରରେ ୧୭୩ ରନ୍ କରିବାକୁ ପଡିବ।
ଆଇପିଏଲ ୨୦୨୩ ର କ୍ୱାଲିଫାୟର-୧ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ରିତୁରାଜ ଗାଇକୱାଡ ସର୍ବାଧିକ ୬୦ ରନ୍ ସଂଗ୍ରହ କରିଥିବା ବେଳେ ଡେଭିଡ କନୱେ ୪୦, ରବିନ୍ଦ୍ର ଜାଡେଜା ୨୨, ଅଜିଙ୍କ୍ୟ ରାହାଣେ ଏବଂ ଅମ୍ବାତି ରାୟୁଡୁ ୧୭ ରନ୍ ଲେଖାଏଁ ସଂଗ୍ରହ କରିଛନ୍ତି। ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ଶିବମ ଦୁବେ ଗୋଟିଏ ଲେଖାଏଁ ରନ୍ ସ୍କୋର କରିଥିବା ବେଳେ ମୋଇନ୍ ଅଲି ୯ ରନ୍ କରି ଅପରାଜିତ ରହିଥିଲେ। ଗୁଜୁରାଟ ପକ୍ଷରୁ ମହମ୍ମଦ ଶାମି ଏବଂ ମୋହିତ ଶର୍ମା ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ଏବଂ ଦର୍ଶନ ନାଲକାଣ୍ଡେ, ନୁର ଅହମ୍ମଦ ଏବଂ ରସିଦ ଖାନ ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି।