ଏସିଆନ୍‌ ଗେମ୍ସ ୨୦୨୬: ଇରାନକୁ ହରାଇ କବାଡିରେ ସ୍ୱର୍ଣ୍ଣ ଜିତିଲା ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ: ସିଆନ୍‌ ଗେମ୍ସରେ ମହିଳା କବାଡ଼ିରେ ଭାରତକୁ ସ୍ୱର୍ଣ୍ଣ ପଦକ । ଫାଇନାଲ୍‌ରେ ଇରାନକୁ ହରାଇ ଜିତିଲା ଗୋଲ୍ଡ ମେଡାଲ୍‌ । ଟୋକାଇର ଟୋକାଇ ସିଟିଜେନ୍ ଜିମ୍ନାସିୟମ୍‌ରେ ଖେଳାଯାଇଥିବା ଏସୀୟ କ୍ରୀଡ଼ାର ଫାଇନାଲ୍ ମୁକାବିଲାରେ ଭାରତୀୟ ମହିଳା କବାଡି ଦଳ ଶକ୍ତିଶାଳୀ ଇରାନକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ବଜାୟ ରଖିଛି। ଏହି ବିଜୟ ସହ ଭାରତ ଏସୀୟ କ୍ରୀଡ଼ା ଇତିହାସରେ କବାଡିରେ ନିଜର ଚତୁର୍ଥ ସ୍ୱର୍ଣ୍ଣ ପଦକ ହାସଲ କରିଛି।

୨୦୧୮ର ଚାମ୍ପିଅନ୍ ଇରାନକୁ ଫାଇନାଲ୍‌ରେ ୩୭-୩୪ ବ୍ୟବଧାନରେ ପରାସ୍ତ କରିଛି ଭାରତୀୟ ଦଳ। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଭାରତୀୟ ମହିଳା ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିବା ସହ ୨୨-୧୬ରେ ଆଗୁଆ ରହିଥିଲେ। ଦ୍ୱିତୀୟାର୍ଦ୍ଧରେ ଇରାନ ଖେଳାଳିମାନେ କଡ଼ା ଟକ୍କର ଦେଇଥିଲେ ମଧ୍ୟ ଭାରତର ବିଜୟକୁ ଅଟକାଇ ପାରିନଥିଲେ। ଦ୍ୱିତୀୟାର୍ଦ୍ଧରେ ଇରାନ ୧୮ ପଏଣ୍ଟ ସଂଗ୍ରହ କରିଥିବା ବେଳେ ଭାରତ ମାତ୍ର ୧୫ ପଏଣ୍ଟ ପାଇଥିଲା। ତଥାପି ମୋଟ ସ୍କୋର ଆଧାରରେ ଭାରତ ମୁକାବିଲାକୁ ନିଜ ନାମରେ କରିନେଇଥିଲା।

ଖେଳର ଆରମ୍ଭରୁ ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ପ୍ରଥମ ୪ ମିନିଟ୍‌ ସୁଦ୍ଧା ସ୍କୋର୍ ୫-୫ରେ ବରାବର ରହିଥିଲା। ପରେ ଭାରତୀୟ ଖେଳାଳି ପୂଜା ଏବଂ ଭାବନା ଦେବୀଙ୍କ ଚମତ୍କାର ଟ୍ୟାକଲ୍ ଯୋଗୁଁ ଭାରତ ୧୩-୧୦ରେ ଆଗୁଆ ହୋଇଥିଲା। ସେହିପରି ନିକିତାଙ୍କ ମଲ୍ଟି ପଏଣ୍ଟ ରେଡ୍ ଏବଂ ସଞ୍ଜୁ ଦେବୀଙ୍କ ଚମତ୍କାର ପ୍ରଦର୍ଶନ ଦଳର ସ୍କୋରକୁ ଆହୁରି ମଜବୁତ କରିଥିଲା।

ଶେଷ ୧୦ ମିନିଟ୍ ବେଳକୁ ଇରାନ ଦଳ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା ଏବଂ ଭାରତକୁ ଅଲ୍-ଆଉଟ୍ ମଧ୍ୟ କରିଥିଲା। ଇରାନର ଖେଳାଳି ଜାହରା କରିମି ଏବଂ ମଦାଦି ଶେଷ ଆଡ଼କୁ ଭଲ ପ୍ରଦର୍ଶନ କରିଥିଲେ। ତେବେ ଖେଳ ଶେଷ ହେବା ବେଳକୁ ଭାରତ ପୁଣି ଥରେ ଲିଡ୍ ବଜାୟ ରଖିବା ସହ ୩୭-୩୪ ପଏଣ୍ଟରେ ବିଜୟୀ ହୋଇଥିଲା। ସଞ୍ଜୁ ଏବଂ ପୂଜାଙ୍କ ଶେଷ ମୁହୂର୍ତ୍ତର ପଏଣ୍ଟ ଗୁଡିକ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

About The Author: Madhusudan Das