ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣରେ ଭାରତ ରବିବାର ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ସୁପର-୧୨ ପର୍ଯ୍ୟାୟର ଏହି ହାଇଭୋଲଟେଜ ମ୍ୟାଚ୍ ଉପରେ ସାରା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି। ଆତ୍ମବିଶ୍ୱାସରେ ଭରପୂର ଭାରତ ଗତ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେବା ସହ ଖାତା ଖୋଲିବା ଲକ୍ଷ୍ୟରେ ରହିଛି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗତ ସଂସ୍କରଣରେ ପାକିସ୍ତାନଠାରୁ ୧୦ ୱିକେଟ୍ରେ ଭାରତ ହାରିଥିଲା। ବିଶ୍ୱକପ୍ ଇତିହାସରେ ପାକିସ୍ତାନଠାରୁ ଏହା ଥିଲା ଭାରତର ପ୍ରଥମ ପରାଜୟ। କିନ୍ତୁ ଇତିମଧ୍ୟରେ ଗୋଟିଏ ବର୍ଷ ବିତି ଯାଇଛି। ଭାରତର ଏହି ପରାଜୟରେ ପାକିସ୍ତାନ ତାରକା ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦ (୩/୩୧) ହିରୋ ଥିଲେ। ଦୁବାଇରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଆଫ୍ରିଦି ଟପ୍ ଅର୍ଡର ୩ ୱିକେଟ ନେଇ ଭାରତର ବ୍ୟାଟିଂ ବିପର୍ଯ୍ୟାୟ ଘଟାଇଥିଲେ। ଭାରତ ଏଥର ନୂଆ ରୂପରେ ମ୍ୟାଚ୍ରେ ଅବତୀର୍ଣ୍ଣ ହେବ।
ଟୁର୍ଣ୍ଣାମେଣ୍ଟରେ ଭାରତ ଅବଶ୍ୟ ଫେଭରାଇଟ୍ ବିବେଚିତ ହେଉନାହିଁ। ଭାରତୀୟ ଦଳରେ କେତୋଟି ସମସ୍ୟା ଏବେବି ରହିଛି। ଭାରତୀୟ ଦଳର କମ୍ବିନେଶନ ଏପର୍ଯ୍ୟନ୍ତ ସ୍ଥାୟୀ ରୂପ ନେଇପାରିନାହିଁ। ୨୦୧୯ରେ ଭାରତ ୪ ନମ୍ବର ବ୍ୟାଟର ନେଇ ଚିନ୍ତିତ ଥିଲା। ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଭାରତ ଏହି ସମସ୍ୟା ଦୂର ହୋଇପାରିନାହିଁ। ଏବେ ୱିକେଟକିପର ବ୍ୟାଟର ରିଷଭ ପନ୍ତଙ୍କୁ ଟପ୍-୫ରୁ ବାଦ ନେଇ ଭାରତ ଜଣେ ଅତିରିକ୍ତ ବୋଲରଙ୍କୁ ଦଳରେ ସାମିଲ କରିପାରେ। ଭାରତୀୟ ବ୍ୟାଟରମାନେ ପାକିସ୍ତାନ ଦ୍ରୁତ ବୋଲର ଶାହିନ, ନସିମ ଶାହା ଓ ହାରିସ ରୌଫଙ୍କ ବିପକ୍ଷରେ ପରୀକ୍ଷାର ସମ୍ମୁଖୀନ ହେବେ। ପାୱାର ପ୍ଲେ’ରେ ଶାହିନଙ୍କୁ ଭାରତୀୟ ବ୍ୟାଟରମାନେ କିଭଳି ଖେଳୁଛନ୍ତି ତାହା ଉପରେ ମ୍ୟାଚ୍ର ଭାଗ୍ୟ ନିର୍ଦ୍ଧାରିତ ହେବ। ଭାରତ ନଂ-୧ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଶାହିନଙ୍କୁ ସେ ସଫଳତାର ସହ ମୁକାବିଲା କରିବେ ବୋଲି ଆଶା କରାଯାଉଛି।
ସ୍ଥିତି ଓ ପରିବେଶ ଯାହା ହେଉନା କାହିଁକି ସେ ତାଙ୍କର ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ କରି ନଥାନ୍ତି। କିନ୍ତୁ ମେଘୁଆ ଓ ଆଦ୍ର ପରିବେଶରେ ଅଧିନାୟକ ରୋହିତ ଟସ୍ ଜିତିଲେ ଚେଜ୍ କରିବାକୁ ଅଧିକ ପସନ୍ଦ କରିବେ। ତେବେ ଏଥିପାଇଁ ଭାଗ୍ୟଦେବୀଙ୍କ ସହାୟତା ଜରୁରୀ। କେତେଜଣ ତାରକା ବୋଲରଙ୍କ ଅନୁପସ୍ଥିତିରେ ଭାରତର ବୋଲିଂ ବିଭାଗ ସାମାନ୍ୟ ପ୍ରଭାବିତ ହେବା ଭଳି ମନେ ହେଉଛି। ବର୍ଷା କାରଣରୁ ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇଲେ ଭାରତ ଜଣେ ସ୍ପିନରଙ୍କୁ ଖେଳାଇବ। ଦଳରେ କିନ୍ତୁ ୩ ଜଣ କ୍ୱାଲିଟି ସ୍ପିନର ରହିଛନ୍ତି। ବ୍ୟାଟିଂ କରିବାକୁ ସମର୍ଥ ଥିବାରୁ ଏଭଳି ସ୍ଥିତିରେ ଫର୍ମରେ ନଥିବା ହର୍ଶଲ ପଟେଲ ଅନ୍ତିମ ଏକାଦଶରେ ସ୍ଥାନ ପାଇପାରନ୍ତି।
ପାକିସ୍ତାନ ଦଳରେ ୩ଜଣ ବାମହାତୀ ବ୍ୟାଟର ଶାନ ମାସୁଦ/ଫକର ଜମାନ, ମହମ୍ମଦ ନୱାଜ ଓ ଖୁସ୍ଦିଲ ଶାହା ଅଛନ୍ତି। ତେଣୁ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୁଯୋଗ ମିଳିପାରେ। ଶାହିନ ଫିଟ୍ ହେବାପରେ ପାକିସ୍ତାନର ଆତ୍ମବିଶ୍ୱାସ ଦ୍ୱିଗୁଣିତ ହୋଇଛି। ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜୱାନଙ୍କୁ ନେଇ ଗଠିତ ପାକ୍ ଓପନିଂ ଯୋଡି ଜବରଦସ୍ତ ଫର୍ମରେ ରହିଛି। ଦଳରେ କେତେଜଣ ଅଲରାଉଣ୍ଡର ତଥା ମ୍ୟାଚ ୱିନର ରହିଛନ୍ତି। ବୋଲିଂରେ ପାକିସ୍ତାନ ମଧ୍ୟ ବେଶ୍ ଶକ୍ତିଶାଳୀ ମନେ ହେଉଛି।
୩୭ ବର୍ଷ ପରେ ମେଲବୋର୍ଣ୍ଣରେ ଭାରତ-ପାକ ମୁକାବିଲା
ଦୀର୍ଘ ୩୭ ବର୍ଷ ପରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଏମ୍ସିଜି)ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଏହାପୂର୍ବରୁ ୧୯୮୫ରେ ବେନସନ ଆଣ୍ଡ ହେଜେସ୍ ବିଶ୍ୱ ଚାମ୍ପିଅନସିପ୍ରେ ଦୁଇ ଦଳ ଫାଇନାଲରେ ପରସ୍ପରକୁ ଭେଟିଥିଲେ। ଏଥିରେ ଭାରତ ୧୭ଟି ବଲ ବାକି ରଖି ୮ ୱିକେଟରେ ଅତି ସହଜରେ ବିଜୟୀ ହୋଇ ଟାଇଟଲ ହାସଲ କରିଥିଲା। ରବି ଶାସ୍ତ୍ରୀ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଓ କ୍ରିସ୍ ଶ୍ରୀକାନ୍ତ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।
ଭାରତ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ (ୱିକେଟକିପର), ଋଷଭ ପନ୍ତ (ୱିକେଟକିପର), ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ହର୍ଶଲ ପଟେଲ ଓ ଦୀପକ ହୁଦା।
ପାକିସ୍ତାନ: ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟକିପର), ଫଖର ଜମାନ, ଶାନ ମାସୁଦ, ମହମ୍ମଦ ନୱାଜ, ଖୁଶଦିଲ ଶାହା, ଆସିଫ ଅଲି, ହାଇଦର ଅଲି, ଇଫ୍ତିକାର ଅହମ୍ମଦ, ହାରିସ ରୌଫ୍, ନସିମ ଶାହା, ଶାହିନ ଶାହା ଆଫ୍ରିଦି, ମହମ୍ମଦ ୱାସିମ, ସଦାବ ଖାନ ଓ ମହମ୍ମଦ ହାସନେନ।