ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳର ଖେଳାଳି ଓ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ଲେଖାଏଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଛି ଭାରତୀୟ ହକି ଦଳ। ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଜାପାନକୁ ହରାଇ ଏସିଆନ ଗେମ୍ସ ହକିରେ ଭାରତ ଜିତିଛି ସ୍ୱର୍ଣ୍ଣ। ଭାରତୀୟ ପୁରୁଷ ଟିମ ଆଜି ଫାଇନାଲରେ ୨୦୧୮ର ଚାମ୍ପିୟନ ଜାପାନକୁ ୫-୧ ଗୋଲରେ ହରାଇ ୯ ବର୍ଷ ପରେ ସ୍ବର୍ଣ୍ଣ ପଦକ ହାସଲ କରିଛି। ସ୍ୱର୍ଣ୍ଣ ପଦକ ସହ ଭାରତ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। […]

ଭୁବନେଶ୍ବର : ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଛି ଭାରତୀୟ ହକି ଦଳ। ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଜାପାନକୁ ହରାଇ ଏସିଆନ ଗେମ୍ସ ହକିରେ ଭାରତ ଜିତିଛି ସ୍ୱର୍ଣ୍ଣ। ଭାରତୀୟ ପୁରୁଷ ଟିମ ଆଜି ଫାଇନାଲରେ ୨୦୧୮ର ଚାମ୍ପିୟନ ଜାପାନକୁ ୫-୧ ଗୋଲରେ ହରାଇ ୯ ବର୍ଷ ପରେ ସ୍ବର୍ଣ୍ଣ ପଦକ ହାସଲ କରିଛି। ସ୍ୱର୍ଣ୍ଣ ପଦକ ସହ ଭାରତ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଦଳ ଏହି ସ୍ବର୍ଣ୍ଣିମ ସଫଳତା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ହକି ଦଳ ଏପରି ବିଜୟ ଧାରା ବଜାୟ ରଖି ଦେଶର ଗୌରବ ବଢାଇ ଚାଲନ୍ତୁ ବୋଲି କହିବା ସହ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥି ସହ ମୁଖ୍ୟମନ୍ତ୍ରୀ ଭାରତୀୟ ହକି ଦଳର ଖେଳାଳି ଓ ସହାୟକ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି। ପଦକ ସମାରୋହ ପରେ ଭିଡିଓ କଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳ ସହ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେତା ଭାରତୀୟ ପୁରୁଷ ହକି ଦଳକୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ସେମାନଙ୍କର ଅଦମ୍ୟ ନିଷ୍ଠା ଏବଂ ପରିଶ୍ରମ ପୁଣି ଥରେ ପ୍ରମାଣିତ କରିଛି ଯେ ହକି ପ୍ରକୃତରେ ଭାରତର ଖେଳ, ଯାହା ଆମ ଦେଶର ଅଦମ୍ୟ ଆତ୍ମାକୁ ପ୍ରତିପାଦିତ କରେ। ଓଡିଶା ଯେଉଁଠାରେ ହକି ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ, ଏହି ଐତିହାସିକ ଦିନଟି ଆମ ପ୍ରିୟ ଖେଳ ଏବଂ ଆମ ଦେଶ ପାଇଁ ଏକ ସ୍ମରଣୀୟ ବିଜୟ ଭାବରେ ଆମ ସ୍ମୃତିରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଆସନ୍ତା ବର୍ଷ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସ ପାଇଁ ପ୍ରସ୍ତୁତ ହେଉଥିବାରୁ ମୁଁ ଭାରତୀୟ ଦଳକୁ ଶୁଭକାମନା ଜଣାଉଛି।


ଆଜି ଫାଇନାଲରେ ଭାରତ ପକ୍ଷରୁ କ୍ୟାପଟେନ ହରମନପ୍ରୀତ ସିଂ ଦୁଇଟି ଗୋଲ୍ ସ୍କୋର କରିଥିବା ବେଳେ ମନପ୍ରୀତ ସିଂ, ଅଭିଷେକ ଓ ଓଡ଼ିଆ ପୁଅ ଅମିତ ରୋହିଦାସ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଏହି ସ୍ୱର୍ଣ୍ଣ ସହ ଭାରତୀୟ ପୁରୁଷ ହକି ଦଳ ଏସୀୟ କ୍ରୀଡ଼ାରେ ଚତୁର୍ଥ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛି। ଏହା ପୂର୍ବରୁ ଭାରତ ୧୯୬୬, ୧୯୯୮ ଏବଂ ୨୦୧୪ ସଂସ୍କରଣରେ ସ୍ୱର୍ଣ୍ଣ ଜିତିଥିଲା । ୧୯୫୮ ଠାରୁ ଏସୀୟ କ୍ରୀଡ଼ାରେ ହକି ସାମିଲ ହେବା ପରଠାରୁ ଭାରତ ଏଯାବତ୍ ୧୬ଟି ପଦକ ଜିତିଛି । ଏଥିମଧ୍ୟରେ ୪ଟି ସ୍ୱର୍ଣ୍ଣ, ୯ ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ ରହିଛି ।


ସୂଚନାଯୋଗ୍ୟ ୨୦୧୮ରୁ ଭାରତୀୟ ହକି ଦଳ ପାଇଁ ଓଡିଶା ପ୍ରାୟୋଜକ ରହିଥିବା ବେଳେ ଦୁଇଟି ବିଶ୍ୱକପ ସମେତ ପ୍ରମୁଖ ଟୁର୍ନାମେଣ୍ଟ ଆୟୋଜନ କରି ଦଳକୁ ସମର୍ଥନ କରିଆସୁଛି। ୨୦୩୩ ପର୍ଯ୍ୟନ୍ତ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଦଳର ପ୍ରାୟୋଜକ ରହିଛି।ଏ ବାବଦରେ ରାଜ୍ୟ ସରକାର ମୋଟ ୪୩୪ କୋଟି ଟଙ୍କାର ବ୍ୟୟଭାର ବହନ କରୁଛନ୍ତି। ଭାରତର ଜାତୀୟ କ୍ରୀଡ଼ା ହକି ଆବଶ୍ୟକ ପ୍ରୋତ୍ସାହନ ଅଭାବରୁ ମଝିରେ ତାହାର ପୂର୍ବ ଗର୍ବ ଓ ଗୌରବ ହରାଇ ଏକ ପ୍ରକାର ମୁମୂର୍ଷୁ ଅବସ୍ଥାରେ ପହଞ୍ଚିଥିଲା। କ୍ରିକେଟ୍‌‌ ପାଗଳ ଭାରତରେ ନା କେନ୍ଦ୍ର ସରକାର, ଅଥବା ଧନାଢ଼୍ୟ କର୍ପୋରେଟ୍‌‌ ଉଦ୍ୟୋଗ ହକି ପ୍ରତି ସାମାନ୍ୟ ନଜର ପକାଇ ନଥିଲେ।ଭାରତୀୟ ହକିର ଚରମ ଦୁର୍ଦ୍ଦିନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ଜାତୀୟ କ୍ରୀଡ଼ାର ପୁନରୁଦ୍ଧାର ପାଇଁ ମନୋନିବେଶ କରିବା ସହ ଏଥିପାଇଁ ଅର୍ଥ ଖର୍ଚ୍ଚ କରିବାକୁ ଆଗେଇ ଆସିଥିଲେ। ତା’ପରଠାରୁ ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଘଟିଛି, ତାହା ଇତିହାସ ପାଲଟିଛି ଏବଂ ତାହାର ପୁନରାବୃତ୍ତି କରିବା ଅନାବଶ୍ୟକ।

About The Author: The Sakala