ନୂଆଦିଲ୍ଲୀ : ଏସିଆ କପ୍ର ସୁପର- ୪ ରେ ଶ୍ରୀଲଙ୍କା ବିପକ୍ଷରେ ହାରିଯିବା ପରେ ପାକିସ୍ତାନ ଦଳ ଟୁର୍ନାମେଣ୍ଟରୁ ବାଦ୍ ପଡିଛି। ଶେଷ ବଲରେ ପରାଜୟ ପରେ ପାକିସ୍ତାନୀ କ୍ୟାମ୍ପରେ ହୋଇଛି ହଙ୍ଗାମା। ମ୍ୟାଚ୍ ପରେ ଅଧିନାୟକ ବାବର ଆଜାମ ଏବଂ ଦ୍ରୁତ ବୋଲର ଶାହିନ୍ ଆଫ୍ରିଦିଙ୍କ ମଧ୍ୟରେ ଡ୍ରେସିଂ ରୁମରେ ମୁହାଁମୁହିଁ ପ୍ରରିସ୍ଥିତି ସୃଷ୍ଟି ହୋଇଥିଲା।
ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାକୁ ଦଳର ପରାଜୟ ପରେ ଡ୍ରେସିଂ ରୁମରେ ଶାହିନ୍ ଶାହା ଆଫ୍ରିଦିଙ୍କ ସହ ବାବରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ବାବର ଏବଂ ଶାହିନ୍ ଆଫ୍ରିଦିଙ୍କ ମଧ୍ୟରେ ଚାଲିଥିଲା ଯୁକ୍ତିତର୍କରେ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିଥିଲେ। ତେବେ ଶ୍ରୀଲଙ୍କା ନିକଟରୁ ହାରି ଫାଇନାଲ ଖେଳିବାରୁ ବଞ୍ଚିତ ହେବାରୁ ବରିଷ୍ଠ ଖେଳାଳିଙ୍କ ପ୍ରଦର୍ଶନରେ ବାବର ଆଦୌ ଖୁସି ନଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ବାବର ପାକିସ୍ତାନ ଦଳର ସିନିୟରମାନଙ୍କୁ ନିଜର ଅସନ୍ତୋଷ ସ୍ପଷ୍ଟ କରି ସେମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ଅନୁରୋଧ କରିଥିଲେ।
ତେବେ ଏହା ପରେ ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ବାବରଙ୍କୁ କହିଥିଲେ ଯେ ଅନ୍ତତପକ୍ଷେ ଭଲ ବୋଲିଂ ଓ ବ୍ୟାଟିଂ କରିଥିବା ଖେଳାଳିଙ୍କୁ ପ୍ରଶଂସା କରିବା ଉଚିତ୍। ଏଥି ସହ ଆଫ୍ରିଦି ବାବରଙ୍କୁ ରାଗିକରି କିଛି କହିଥିଲେ। ଯାହାକୁ ନେଇ ଅଧିନାୟକ ଏହାର ଜବାବ ଦେଇ କହିଥିଲେ ଯେ କିଏ ଭଲ ଖେଳଛି କି ନାହିଁ ଏବଂ କିଏ ପଦାର୍ପଣ କରିବା ଆବଶ୍ୟକ ତାହା ସେ ଆଫ୍ରିଦିଙ୍କ ଠାରୁ ଭଲଭାବେ ଜାଣିଛନ୍ତି।
ତେବେ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଅଧିକ ତୀବ୍ରହେବା ପରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ଏବଂ ମୁଖ୍ୟ ପ୍ରଶିକ୍ଷକ ଗ୍ରାଣ୍ଟ ବ୍ରାଡବର୍ନ ପରିସ୍ଥିତି ନିୟନ୍ତ୍ରଣ ଭିତରକୁ ଆଣିବାକୁ ଏଥିରେ ହସ୍ତକ୍ଷେପ କରିଥିଲେ। ଏହା ପରେ ବାବର ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ ଏବଂ ସେଠାରୁ ଫେଣିବା ପରେ କୌଣସି ଖେଳାଳିଙ୍କ ସହ କଥାବାର୍ତ୍ତା ନକରି ସିଧା ହୋଟେଲକୁ ଯାଇଥିଲେ।
ପରାଜୟକୁ ସମୀକ୍ଷା କରିବ ପାକିସ୍ତାନ
ଏସିଆ କପ୍ର ସୁପର-୪ରେ ଶ୍ରୀଲଙ୍କାଠୁ ପରାସ୍ତ ହୋଇ ଫାଇନାଲ ଖେଳିବାକୁ ବଞ୍ଚିତ ହେବାକୁ ନେଇ ସମୀକ୍ଷା କରିବ ପାକିସ୍ତାନ। ପିସିବି ମୁଖ୍ୟ ଜାକା ଆଶ୍ରାଫ ଏକ କ୍ରିକେଟ୍ କମିଟି ଗଠନ କରିଛନ୍ତି ଯାହା ଏସିଆ କପ୍ ରେ ପାକିସ୍ତାନୀ ଦଳର ପ୍ରଦର୍ଶନକୁ ସମୀକ୍ଷା କରିବ। ଭାରତରେ ହେବାକୁ ଥିବା ଆଇସିସି ODI ବିଶ୍ୱକପ ପୂର୍ବରୁ କେଉଁ ଖେଳାଳିଙ୍କୁ ଦଳରୁ ଅନ୍ତର୍ଭୁକ୍ତ କରାଯାଇପାରିବ କିମ୍ବା ଦଳରୁ ଡ୍ରପ କରାଯାଇପାରିବ ସେ ମଧ୍ୟ ଆଲୋଚନା କରିବେ।