ସିଡନୀ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଅଧିନାୟକ ଆରୋନ ଫିଞ୍ଚ । ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ଅଷ୍ଟ୍ରେଲିଆର ଟି-୨୦ ଦଳର ଅଧିନାୟକ ଆରୋନ ଫିଞ୍ଚ । ସେ ପୂର୍ବରୁ ଟେଷ୍ଟରୁ ଅବସର ଗ୍ରହଣ କରିଥିବା ବେଳେ ଗତବର୍ଷ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଏବେ ସେ ଟି-୨୦ରୁ ମଧ୍ୟ ଅବସର ଘୋଷଣା କରିଛନ୍ତି। ଫିଞ୍ଚ ସନ୍ନ୍ୟାସ ନେଇ ବୟାନ ଜାରି କରିଛନ୍ତି, ‘ମୋତେ ଲାଗୁଛି କି ୨୦୨୪ରେ ହେବାକୁ ଥିବା ଟି୨୦ ବିଶ୍ୱକପ ଖେଳିପାରିବି ନାହିଁ । ତେବେ ଏବେ ସନ୍ନ୍ୟାସ ନେବାର ବିଲକୁଲ୍ ଠିକ୍ ସମୟ । ଆଉ ଟିମ୍ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇ ବିଶ୍ୱକପ ପାଇଁ ପ୍ରସ୍ତୁତ କରିପାରିବେ ।
ଫିଞ୍ଚ ପାଞ୍ଚଟି ଟେଷ୍ଟ, ୧୪୬ଟି ଦିନିକିଆ ଏବଂ ୧୦୩ ଟି-୨୦ ମ୍ୟାଚ୍ ସହିତ ମୋଟ ୨୫୪ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଆରୋନ ଫିଞ୍ଚଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଟିମ୍ ୨୦୨୧ରେ ଟି୨୦ ବିଶ୍ୱକପ ପ୍ରଥମ ଥର ଜିତିଥିଲା । ୨୦୧୫ରେ କଙ୍ଗାରୁ ଟିମ୍ ଦିନିକିଆ ବିଶ୍ୱକପ୍ ନିଜ ନାମରେ କରିଥିଲା। ସେଥିରେ ଫିଞ୍ଚଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।