ଦୁବାଇ: ୨୦୧୫ ବିଶ୍ୱକପ୍ ସେମିଫାଇନାଲ ଓ ୨୦୨୩ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରିଛି ଭାରତ। ଏଠାରେ ଆଇସିସିର ଆଉ ଏକ ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଏହି ଦୁଇ ଦଳ ଆଜି ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମାଙ୍କ ଭାରତୀୟ ଦଳ ବିଶ୍ୱକପ୍ର ପୂର୍ବ ଦୁଇଟି ପରାଜୟ କଥା ଭୁଲି ନାହିଁ। ଏଭଳି ସ୍ଥିତିରେ ଭଲ ଫର୍ମରେ ରହିଛି ଭାରତ। ଦୁବାଇରେ ସ୍ପିନ ଜାଲ ପକାଇ ଭାରତ ୩ଟି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଅଧାରୁ ଅଧିକ ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତିରେ ଦଳ କେବଳ ଗୋଟିଏ ମ୍ୟାଚ୍ ପୂରା ଖେଳିଛି। ଏହି ମ୍ୟାଚ୍ରେ ଦଳର ବ୍ୟାଟିଂ ବିସ୍ଫୋରଣ ଘଟାଇ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ୩୫୧ ରନ୍ର ଟାର୍ଗେଟକୁ ହାସଲ କରିଛି। ଦଳର ଅନ୍ୟ ଦୁଇଟି ମ୍ୟାଚ୍ ବାତିଲ ହୋଇଥିଲାବେଳେ ନବାଗତ ଖେଳାଳିମାନେ ମ୍ୟାଚ୍ ପ୍ରାକ୍ଟିସ ପାଇ ନାହାନ୍ତି। ଏସବୁ ସ୍ଥିତିରେ ଭାରତ ଏହି ମ୍ୟାଚ୍ ଲାଗି ପୂରା ପ୍ରସ୍ତୁତ ହୋଇଛି। ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତି ଓ ମ୍ୟାଚ୍ ପ୍ରାକ୍ଟିସ୍ ଅଭାବରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଖେଳିବ। ଏହି ସମୟରେ ଭାରତ ଏହି ମୁକାବିଲାକୁ ଜିତି ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।
ଭାରତ ବିରୋଧରେ ଇଂଲଣ୍ଡ ବରିଷ୍ଠ ଖେଳାଳିଙ୍କ ଅଭିଯୋଗ ହେଉଛି ଭାରତ ଗୋଟିଏ ଭେନ୍ୟୁ ଅର୍ଥାତ୍ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ସମସ୍ତ ମ୍ୟାଚ୍ ଖେଳୁଛି। ଏହା ଫଳରେ ଦଳକୁ ଫାଇଦା ମିଳୁଛି। ଭିନ୍ନ ଭିନ୍ନ ପିଚ୍ କିମ୍ବା ପରିବେଶ ସହ ଭାରତୀୟ ଖେଳାଳିଙ୍କୁ ଖାପ୍ ଖୁଆଇବାକୁ ପଡ଼ୁ ନାହିଁ। ଇଂଲଣ୍ଡ ପୂରାତନ ଖେଳାଳିଙ୍କ ଏହି ଅଭିଯୋଗ ସତ ହେଉ କି ନ ହେଉ, ଭାରତ ଏଠାରେ ଅତି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଛି। ବ୍ୟାଟିଂ ହେଉ ଅବା ବୋଲିଂ, ଫ୍ଲାଟ୍ ପିଚ୍ ହେଉ ଅବା ନ୍ୟୁଜିଲାଣ୍ଡ ବିପକ୍ଷ ସ୍ଲୋ ପିଚ୍ ସବୁଥିରେ ଭାରତୀୟ ଖେଳାଳିଙ୍କର ପ୍ରଦର୍ଶନ ଉନ୍ନତ ହୋଇଛି। ଦଳର ବରିଷ୍ଠ ଓ କନିଷ୍ଠ, ଟପ୍ ଅର୍ଡର କିମ୍ବା ମିଡଲ ଓ ଲୋୟର ଅର୍ଡର ଭାରତୀୟ ବ୍ୟାଟର ଦଳକୁ ବିପଦରୁ ଉଦ୍ଧାର କରିଛନ୍ତି। ଏଣୁ ଦଳକୁ ଫାଇଦା ମିଳୁଛି ବୋଲି ଯାହା କୁହାଯାଉଛି ତାହାର କୌଣସି ଠୋସ୍ ଦମ୍ ନାହିଁ। ସେ ଯାହା ହେଉ ଅଷ୍ଟ୍ରେଲିଆ ସହ ଭାରତର ପୁରୁଣା ଶତ୍ରୁତା ରହିଛି। ଏଠାରେ ପ୍ରତିଶୋଧ ନେବାର ସମୟ ଆସିଛି। ଏଣୁ ରୋହିତ ଶର୍ମାଙ୍କ ଭାରତୀୟ ଦଳ କିପରି ଓ କେଉଁଭଳି ଏହି ମ୍ୟାଚ୍ ଜିତିବ ତାହାର ରଣନୀତି ପ୍ରସ୍ତୁତି କରିସାରିଛି।
ଏ ସମ୍ପର୍କରେ ଅଧିନାୟକ ରୋହିତ ଶର୍ମାଙ୍କ ମତ ହେଲା, ଯେ କୌଣସି ମ୍ୟାଚ୍ ଆମଲାଗି ଗୁରୁତ୍ୱପୂର୍ଣ୍ଣ। ଆମେ ଏକ ବିରାଟ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ନକ୍ଆଉଟ ମୁକାବିଲା ଖେଳିବାକୁ ଯାଉଛୁ। ଏଣୁ ଗତ ୩ଟି ମ୍ୟାଚ୍ରେ କ’ଣ ଖେଳିଛୁ ତାହା ଉପରେ ଗୁରୁତ୍ୱ ଦେଉନାହୁଁ। ଆସନ୍ତାକାଲି କିପରି ଖେଳିବୁ ତାହା ଆମ ଲାଗି ଗୁରୁତ୍ୱପୂର୍ଣ୍ଣ। ଆମର ବ୍ୟାଟିଂ ୟୁନିଟ ହେଉ ଅବା ବୋଲିଂ, କିମ୍ବା ଫିଲ୍ଡିଂ ସଫଳ ହେଲେ ଆମକୁ ମ୍ୟାଚ୍ ଜିତିବାରେ ଅନେକ ସାହାଯ୍ୟ କରିବ। ଏଣୁ ଆମେ ସବୁ ବିଭାଗ ଉପରେ ଗୁରୁତ୍ୱ ଦେଉଛୁ। ଅଷ୍ଟ୍ରେଲିଆ ଏକ ବଡ଼ ଦଳ। ଏହାକୁ ଗୋଟିଏ ସୁଯୋଗ ଦେବା ଅର୍ଥ ମ୍ୟାଚ୍ ହାତଛଡ଼ା କରିବା। ଏଣୁ ଆମେ ସତର୍କ ହୋଇ ଯେଉଁ ଯୋଜନା ବା ରଣନୀତି ପ୍ରସ୍ତୁତ କରିଛୁ ତାହାକୁ ଏହି ମ୍ୟାଚ୍ରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ସମ୍ଭାବ୍ୟ ଖେଳାଳି
ଭାରତ : ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି ଓ ବରୁଣ ଚକ୍ରବର୍ତ୍ତୀ।
ରିଜର୍ଭ – ଋଷଭ ପନ୍ତ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂହ।
ଅଷ୍ଟ୍ରେଲିଆ : ଟ୍ରାଭିସ୍ ହେଡ୍, ଜୋଶ ଇଂଲିଶ, ଷ୍ଟିଭେନ ସ୍ମିଥ୍ (ଅଧିନାୟକ), ମାର୍ନସ ଲାବୁସେନ୍, କୁପର କୋନ୍ନୋଲୀ, ଆଲେକ୍ସ କାରେ, ଗ୍ଲେନ୍ ମ୍ୟାକ୍ସୱେଲ, ବେନ୍ ଡ୍ୱାରଶୁଇସ୍, ନାଥାନ ଏଲିସ୍, ସ୍ପେନସର ଜନସନ ଓ ଆଦାମ ଜାମ୍ପା।
ଦ୍ୱନ୍ଦ୍ୱ: ସ୍ପିନର ୩ ନା ୪
ଅଷ୍ଟ୍ରେଲିଆ ବିପକ୍ଷରେ ସେମିଫାଇନାଲ ଲାଗି ଦଳ ଚୟନକୁ ନେଇ ଭାରତୀୟ ମ୍ୟାନେଜମେଣ୍ଟ ଦ୍ୱନ୍ଦ୍ୱରେ ପଡ଼ିଛି। ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଭାରତ ୩ ପେସ୍ ଓ ୩ ସ୍ପିନରଙ୍କୁ ନେଇ ଖେଳିଥିଲା। କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ଜଣ ସ୍ପିନରଙ୍କୁ ଖେଳାଇ ସଫଳ ହେବା ପରେ ଦଳରେ ଆଉ କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଉ ନାହିଁ। ନ୍ୟୁଜିଲାଣ୍ଡ ଅପେକ୍ଷା ଅଷ୍ଟ୍ରେଲିଆ ସ୍ପିନ୍ ବୋଲରଙ୍କୁ ଖେଳିବାରେ ଅଧିକ ଦକ୍ଷ। କିନ୍ତୁ ସହାୟତା ଦେଉଥିବା ପିଚ୍ରେ ଭାରତୀୟ ସ୍ପିନରଙ୍କୁ ନ୍ୟୁଜିଲାଣ୍ଡ ଯେପରି ମୁକାବିଲା କରିଥିଲା ତାହା ବିଶ୍ୱରେ ଅନ୍ୟ କୌଣସି ଦଳ କରିନାହାନ୍ତି। ଏହା ଭିନ୍ନ ଫର୍ମାଟ। ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ଜଣ ସ୍ପିନରଙ୍କୁ ନେଇ ଖେଳିବ। ଏହାର ଅର୍ଥ ନ୍ୟୁଜିଲାଣ୍ଡ ବିପକ୍ଷରେ ଯେଉଁମାନେ ଖେଳିଥିଲେ ସେମାନେ ଏହି ମ୍ୟାଚରେ ଖେଳିବେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳରେ ୭ଜଣ ନୂଆ ଖେଳାଳି ସାମିଲ ହୋଇଥିଲାବେଳେ ଜଣେ ହେଲେ ଫ୍ରଣ୍ଟଲାଇନ୍ ପେସ୍ ବୋଲର ନାହାନ୍ତି। ଆଦାମ ଜାମ୍ପା ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଉପରେ ଦଳ ସ୍ପିନ ବୋଲିଂ ଲାଗି ନିର୍ଭର କରୁଛି। ମାଥ୍ୟୁ ସର୍ଟଙ୍କ ଆଘାତ ଜନିତ ବିଦାୟ ପରେ କୁପର କୋନୋଲି ଦଳରେ ସାମିଲ ହୋଇଛନ୍ତି। ସେ ଜଣେ ବାମହାତୀ ସ୍ପିନର ହୋଇଥିବାରୁ ଏହି ମ୍ୟାଚ୍ ଖେଳିବା ନିଶ୍ଚିତ। ଭାରତୀୟ ବ୍ୟାଟରଙ୍କୁ ଅଷ୍ଟ୍ରେଲୀୟ ପେସ୍ ବୋଲର ବିଶେଷ ଅସୁବିଧାରେ ପକାଇବେ ନାହିଁ ବୋଲି ଆଶା କରାଯାଉଛି।
ମ୍ୟାଚ୍ ଆରମ୍ଭ
ଅପରାହ୍ଣ ୨ଟା ୩୦
ପ୍ରସାରଣ
ଷ୍ଟାର ସ୍ପୋର୍ଟ୍ସ, ସ୍ପୋର୍ଟ୍ସ ୧୮, ଡିଡି ସ୍ପୋର୍ଟ୍ସ
ମୋବାଇଲ ଆପ୍
ଜିଓଷ୍ଟାର