ଭୁବନେଶ୍ୱର(ମାନସ ରଞ୍ଜନ ପ୍ରଧାନ): ଆଧୁନିକତାରେ ସଂସ୍କୃତିର ଅବକ୍ଷୟ ହୋଇଛି। ଲୋକେ ପରମ୍ପରା ଭୁଲିବାରେ ଲାଗିଛନ୍ତି। ତଥାପି ଅନେକ ଲୋକ, ଅନେକ ଗାଁ ଅଛି ଯେଉଁଠି ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଜାରି ରହିଛି। ସେମିତି ଗୋଟେ ଗାଁଟିଏ ବଲାଙ୍ଗିର ଜିଲ୍ଲା ତଣ୍ଡାମୁଣ୍ଡା। ଏ ଗାଁ ରାମାୟଣ ପାଇଁ ପ୍ରସିଦ୍ଧ। ରାମନବମୀ ଆସିଲେ ଏଠାରେ ରାମାୟଣର ଚରିତ୍ରମାନେ ଜନ୍ମ ନିଅନ୍ତି। କେଇ ଦିନ ପାଇଁ ଲୋକେ ତ୍ରେତୟା ଯୁଗର ଭ୍ରମ ସୃଷ୍ଟି ହୁଏ।
ବଲାଙ୍ଗିର ସଦର ମହକମାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ ତଣ୍ଡାମୁଣ୍ଡା। ରାମନବମୀ ଆସିଲେ ଗାଁରେ ସୃଷ୍ଟିହୁଏ ଭକ୍ତିମୟ ପରିବେଶ। ରାମାୟଣର ସବୁ ପର୍ବ ଅଭିନୀତ ହୁଏ ଗାଁରେ। ଗାଁର କଳାକାରଙ୍କ ମଧ୍ୟରୁ କିଏ ରାମ, କିଏ ଲକ୍ଷ୍ମଣ ତ ଆଉ କିଏ ସୀତା ଭୂମିକାରେ ଅଭିନୟ କରନ୍ତି । ପ୍ରାକୃତିକ ପରିବେଶ ଘେରା ଏ ଗାଁରେ ଚମତ୍କାର ଅନୁଭବ ଆସେ।
ରାମ ନବମୀର ପ୍ରଥମ ଦିନରେ ମନ୍ଦିର ପ୍ରାଙ୍ଗଣରେ ପ୍ରଭୁ ରାମ ଚନ୍ଦ୍ର ଜନ୍ମ ନିଅନ୍ତି ଓ ରାତିରେ ପରିବେଷିତ ହୁଏ ରାମଙ୍କ ରାଜ୍ୟାଭିଷେକ ନାଟକ। ଦ୍ବିତୀୟ ଦିନରେ ମାତା ସୀତାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ରାମଙ୍କ ବନବାସ ପର୍ବ ଆରମ୍ଭ ହେଲେ ଆଖିରେ ଲୁହ ରହେନାହିଁ; ଲାଗେ ରାମଚନ୍ଦ୍ର ଅଯୋଧ୍ୟା ଛାଡ଼ି ସତରେ ପଳାଉଛନ୍ତି।
ଦଶରଥ ଭୂମିକାରେ ସାଗର ଚନ୍ଦ୍ର ପ୍ରଧାନ, ମାତା କୈକେୟୀ ଭୂମିକାରେ ଗୌରାଙ୍କ ସା, ସୀତା ଭୂମିକାରେ ସତ୍ୟବାନ ପ୍ରଧାନ ଓ ମନ୍ଥରା ଭୂମିକାରେ ଅନଙ୍ଗ ସାଙ୍କ ଅଭିନୟ ଜୀବନ୍ତ ଲାଗେ। ସୂର୍ପଣଖା ନାସାଛେଦନ, ସୀତା ଚୋରି, ଭରତ ମିଳନ ପର୍ବ ସବୁ ଦେଖିବାକୁ ମିଳେ। ସଂଗୀତ ନିର୍ଦ୍ଦେଶନା ଦେଇ ଆସୁଛନ୍ତି ଅରକ୍ଷିତ ସା। ଏ ପରମ୍ପରା କେବେର ନିର୍ଦ୍ଦିଷ୍ଟ ଭାବେ କେଉଁଠାରେ ଉଲ୍ଲେଖ ନାହିଁ। କିନ୍ତୁ ବହୁତ ପ୍ରାଚୀନ ଏ ପରମ୍ପରା।
ଅଭିନୟରୁ ଧୀରେଧୀରେ ଅବସର ନେଉଛନ୍ତି ବରିଷ୍ଠ କଳାକାର। ସେମାନଙ୍କ ସ୍ଥାନରେ ନୂଆ କଳାକାର ମିଳିବା ବି କଷ୍ଟକର ହୋଇ ପଡୁଛି। ତଥାପି ଏ ପରମ୍ପରା ପିଢ଼ି ପରେ ପିଢ଼ି ଚାଲି ଆସିଛି। ଗାଁ ଲୋକଙ୍କ କହିବା କଥା ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ଏ ପରମ୍ପରାକୁ ଆଗକୁ ବଞ୍ଚାଇବା ସହଜ ହେବ।