ସଂସ୍କୃତି ଓ ପରମ୍ପରାର ରାଜ୍ୟ ଓଡ଼ିଶାରେ ଆଜି ବି ଅନେକ ପୁରୁଣା ପରମ୍ପରା ବିଲୁପ୍ତ ହେବାକୁ ବସିଲାଣି । ନିଜ କଳା ପାଇଁ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଗଞ୍ଜାମ ଜିଲ୍ଳାରେ ଏବେ ବହୁ ପାରମ୍ପରିକ ପ୍ରଥା ଲୋପ ପାଇବାକୁ ବସିଛି । ଦାସକାଠିଆଠାରୁ ଆରମ୍ଭ କରି ରଙ୍ଗମଞ୍ଚ ପର୍ଯ୍ୟନ୍ତ ସବୁଥିରେ ସିଦ୍ଧହସ୍ତ ଥିବା ଏଠାକାର କଳାକାର ନିଜ ପାରଦର୍ଶିତା ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରଶଂସାର ପାତ୍ର ହୋଇଥିଲେ । ସେମଧ୍ୟରୁ କିଛି ପୁରୁଣା କଳାକାର ଏହି ପରମ୍ପରାକୁ ବଞ୍ଚାଇ ରଖିବାକୁ ଆଜି ବି ଅହରହ ଉଦ୍ୟମ କରୁଛନ୍ତି ।
ଗଞ୍ଜାମର ସଂସ୍କୃତି ମଧ୍ୟରେ ‘ବାସୁଆ ବଳଦ’ ଏକ ଅନନ୍ୟ ପରମ୍ପରା ଭାବେ ପରିଗଣିତ । ଗାଁ ଗହଳିରେ ଏହାକୁ କେହି କେହି ଭଗବାନଙ୍କ ଅବତାର ବୋଲି ମଧ୍ୟ କୁହନ୍ତି । ସର୍ବଶକ୍ତିମାନ ଈଶ୍ବରଙ୍କ ବାହନ ବା ଦୂତ ହେଉଛି ବୃଷଭ ବା ଷଣ୍ଢ । ସେଥିଯୋଗୁଁ ଆଜି ବି ଗାଁ ଗହଳିରେ ଷଣ୍ଢକୁ ପୂଜା କରାଯାଇଥାଏ। ଗାଈ ପେଟରୁ ଜନ୍ମ ହେବା ବାଛୁରୀ ଦେହରେ ଚୂଳ ପରିଲିକ୍ଷିତ ହେଲେ ତାଙ୍କୁ ବଳଦ ପରି ବୋଝ ବୋହିବାରେ ବ୍ୟବହାର କରା ନ ଯାଇ ଖୋଲା ଛାଡିଦିଆଯାଏ। ବାସୁଆ ବଦଳକୁ ନେଇ ତେଲୁଗୁ ସମ୍ପ୍ରଦାୟରେ ମଧ୍ୟ ଭିନ୍ନ ଭିନ୍ନ ମତ ରହିଛି । କେହି ଏହାକୁ ଭଗବାନଙ୍କ ଅନ୍ୟରୂପ କୃଷ୍ଣଙ୍କ ଅବତାର ବୋଲି ପୂଜା କରନ୍ତି ତ ଆଉ କେହି ଈଶ୍ବରଙ୍କ ବାହନ ଭାବେ ସମ୍ମାନ ଦିଅନ୍ତି । ଗାଁ ଗହଳିରେ ଏହା ଏକ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଭାବେ ଉଭା ହୋଇଥିଲା । ବାସୁଆ ବଳଦ ବେକର ଘଣ୍ଟି ଗାଁ ଗହଳିରେ ଭିଡ ଏକାଠି କରିବାକୁ ଯଥେଷ୍ଟ ଥିଲା । ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକମାନେ ଏହି ବଳଦକୁ ଧରି ଗାଁ ଓ ସହର ପରିକ୍ରମା କରିବା ସହ ସେମାନଙ୍କ ଦ୍ବାରା ବିଭିନ୍ନ କଳାକୌଶଳ ଦେଖାଉଥିଲେ । ଗାଁରେ ପହଞ୍ଚିବା ମାତ୍ରେ ପ୍ରତି ପରିବାର ବାସୁଆ ବଳଦ ବା ବୃଷଭର ଗୋଡ଼କୁ ହଳଦୀ ପାଣିରେ ଧୋଇ ଆଶୀର୍ବାଦ ନେଇଥାନ୍ତି । ପରିକ୍ରମା ପରେ ଗାଁର ଓସାରିଆ ସ୍ଥାନରେ ବାସୁଆ ବଳଦ ଧରି ଆସିଥିବା ବ୍ୟକ୍ତି ଉପସ୍ଥିତ ଲୋକଙ୍କୁ ପୌରାଣିକ କଥାବସ୍ତୁ ଉପସ୍ଥାପିତ କରିଥାନ୍ତି। ବାସୁଆ ବଳଦକୁ କହିବା ମାତ୍ରେ ସେ ‘କଠଉ’ (ପାଦୁକ) ପିନ୍ଧିବା ସହ ଯୋଡ଼ହସ୍ତ କରି ବସି ରହିଥାଏ । ନିଜମାଲିକ କହିବା ପରେ ବିଭିନ୍ନ ପ୍ରକାରର କଳାକୌଶଳ ଦେଖାଇଥାଏ । ସେହି ବିଶ୍ବାସ ପରମ୍ପରା ସହିତ ଭଗବାନଙ୍କ ନାମ ଉଚ୍ଚାରଣ କରି ବିଭିନ୍ନ ଗୀତ ବୋଲାଯାଇଥାଏ । ଗ୍ରାମର ପ୍ରତ୍ୟେକ ପରିବାର ପକ୍ଷରୁ ବାସୁଆ ବଳଦକୁ ପୂଜା କରାଯିବା ସହ ଚାଉଳ ନଡ଼ିଆ ଆଦି ପ୍ରଦାନ କରାଯାଇଥାଏ । ଏହି ପରମ୍ପରା ବିଶେଷ କରି ତେଲୁଗୁ ଭାଷାଭାଷୀ ବହୁଳ ଗ୍ରାମମାନଙ୍କରେ ଦେଖିବାକୁ ମିଳୁଥିଲା । ଓଡ଼ିଆମାନଙ୍କ ମଧ୍ୟରେ ମଧ୍ୟ ସେହି ବିଶ୍ବାସ ରହିଥିଲା । ସେମାନେ ମଧ୍ୟ ବାସୁଆ ବଳଦ ପୂଜା କରିବା ସହ ପୌରାଣିକ କଥାବସ୍ତୁ ଉପଭୋଗ କରୁଥିଲେ।
ବାସୁଆ ବଳଦକୁ ଘଣ୍ଟି-ଘାଗୁଡ଼ି, ଫୁଲମାଳ, ପାଟ ଆଦି ପିନ୍ଧାଇ ସଜା ହୋଇଥାଏ । ଯାହାକୁ ତେଲୁଗୁରେ ‘ମୁସ୍ତାପୁ ଆଇକନି ଦେଏବୁଡ଼ୁ ଓଚିଆର଼ୁ’। ଅର୍ଥ।ତ ସଜେଇ ହୋଇ ଭଗବାନ ବା ଇଶ୍ବରଙ୍କ ଦୂତ ଆସିଲେ ବୋଲି କୁହାଯାଏ। ଏହି ସାଜସଜ୍ଜାର ମୁଖ୍ୟ ଆକର୍ଷଣ ହେଉଛି ବାସୁଆ ବଦଳର ‘ମୁକୁଟ’ । ବାସୁଆ ବଳଦକୁ ରାମ ଭୂମିକାରେ ଅବତୀର୍ଣ୍ଣ କରି ଗାଙ୍ଗିଟେଗୁଲୁ ନାମକ ସମ୍ପ୍ରଦାୟ ନଚେଇଥାନ୍ତି । ଏକ ଅନୁସନ୍ଧାନରୁ ଜଣାଯାଏ ଯେ, ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ପୂର୍ବରୁ ଗାଙ୍ଗିଟେଗୁଲୁ ନାମକ ଏକ ସମ୍ପ୍ରଦାୟ ବସବାସ କରୁଥିଲେ । ଏହି ‘ବାସୁଆ ବଳଦ’ ପରମ୍ପରା ବା ନାଟକ ସେମାନଙ୍କ ମୁଖ୍ୟ ବେଉସା ରହିଥିଲା । ଆଧୁନିକତାର ଛାପରେ ଏହା ବୁଡ଼ିଯିବା ଫଳରେ ବର୍ତ୍ତମାନ ଏହି ସମ୍ପ୍ରଦାୟ ବହୁ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ବର୍ତ୍ତମାନ ଆନ୍ଧ୍ରର ଝାଡ଼ିପୁଡ଼ି, ମଞ୍ଜୁସାଗଡ଼, ସାରଙ୍ଗଗଡ଼ ଆଦି ଗ୍ରାମ ମାନଙ୍କରେ ଏହି ସମ୍ପ୍ରଦାୟର ପ୍ରାୟ ୧୦୦ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ଏଥିରୁ ଅନେକ ବାସୁଆ ବଳଦ ପ୍ରଦର୍ଶନରୁ ନିବୃତ୍ତ ରହିଥିବା ବେଳେ ଆଉ କିଛି ପରମ୍ପରା ବଞ୍ଚାଇବା ଆଳରେ ଉଦ୍ୟମରତ ଅଟନ୍ତି । କାହିଁ ବାପା ଜେଜେ ଅମଳରୁ ଏହି ପ୍ରଥା ରହିଆସିଛି । ବାଛୁରୀ ଅବସ୍ଥାରୁ ହିଁ ବାସୁଆ ବଳଦକୁ ତାଲିମ ଦେଇ କଳା କୌଶଳ ଶିଖାଇବା ପରେ ତାକୁ ଧରି ଗାଁକୁ ଗାଁ ବୁଲି ନଚାଇଥାନ୍ତି । ଏହି କ୍ରମରେ ସନ୍ତୁଷ୍ଟି ଲାଭ କରି ଲୋକେ ପଇସା ଦେଇଥାନ୍ତି ଓ ଏଥିଦ୍ବାରା ଏମାନଙ୍କ ପରିବାର ଭରଣ ପୋଷଣ ହୋଇଥାଏ। ଏହି ସମ୍ପ୍ରଦାୟ ମଧ୍ୟ ଧିରେ ଧିରେ ସଂକୁଚିତ ହେଉଥିବାବେଳେ ଅନେକେ କୌଳିକ ବୃତ୍ତି ଛାଡ଼ି ଅନ୍ୟତ୍ର କାମ କରୁଛନ୍ତି । ହେତୁବାଦର ବହୁଳ ପ୍ରଚାର ସହ ଆଧୁନିକ ସଭ୍ୟତାର ଚାକଚକ୍ୟରେ ଏହି ପରମ୍ପରା ଲୋପ ପାଇଲାଣି । କାଁ ଭାଁ କିଛିଟା ସ୍ଥାନରେ ଏବେ ବାସୁଆ ବଳଦ ଦୃଶ୍ୟମାନ ହେଉଥିବା ବେଳେ ଆଗଭଳି ଲୋକେ ଦେଖିବାକୁ ଆଗଭର ହେଉନଥିବା ଜଣାପଡ଼ିଛି । ବାସୁଆ ବଳଦ ଚିତ୍ରକୁ ସଂଗ୍ରହାଳୟ ସ୍ଥାନ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଥିବା ବେଳେ ପ୍ରୋତ୍ସାହନ ମିଳିଲେ ଏହି ପରମ୍ପରା ପୁଣି ଉଜ୍ଜିବୀତ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।
# କ୍ଷୀରସିନ୍ଧୁ ମହାନ୍ତି ( ବ୍ରହ୍ମପୁର )