ସ୍ବାଧୀନତା ଆନ୍ଦୋଳନବେଳେ ଗାନ୍ଧୀଜୀଙ୍କ ଓଡ଼ିଶାଗସ୍ତ ସମୟର ସ୍ମୃତି ଆଜି ବି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ମନରେ ଉଜ୍ଜୀବିତ ହୋଇ ରହିଛି…

‘ଗାନ୍ଧୀ’ ଜଣେ ବ୍ୟକ୍ତି ନୁହନ୍ତି; ଏକ ଆଦର୍ଶ, ଏକ ବିପ୍ଳବ, ଏକ ଚେତନା। ଅହିଂସା ମାର୍ଗରେ ସ୍ବଦେଶୀ ଆନ୍ଦୋଳନ ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ସ୍ବାଧୀନତାର ଜାଗରଣ ସୃଷ୍ଟି କରିବାରେ ସ୍ବତନ୍ତ୍ର ଭୂମିକା ତୁଲାଇଛନ୍ତି ଏହି ମହାନ୍‌ ବ୍ୟକ୍ତି। ତାଙ୍କ ଉଚ୍ଚାରଣ ଓ ଆଚରଣରେ ପ୍ରଭାବିତ ହୋଇ ଲକ୍ଷଲକ୍ଷ ଭାରତୀୟ ଦେଶର ମୁକ୍ତିସଂଗ୍ରାମରେ ଝାସ ଦେଇଥିଲେ। ତାଙ୍କର ନୀତି ଆଦର୍ଶରେ କେବଳ ଦେଶବାସୀ ନୁହନ୍ତି; ପୂରା ବିଶ୍ବବାସୀ ଅନୁପ୍ରାଣିତ ହୋଇଛନ୍ତି। ଆଜି ବି ଗାନ୍ଧୀ ପ୍ରତିଟି ଭାରତୀୟଙ୍କ […]

‘ଗାନ୍ଧୀ’ ଜଣେ ବ୍ୟକ୍ତି ନୁହନ୍ତି; ଏକ ଆଦର୍ଶ, ଏକ ବିପ୍ଳବ, ଏକ ଚେତନା। ଅହିଂସା ମାର୍ଗରେ ସ୍ବଦେଶୀ ଆନ୍ଦୋଳନ ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ସ୍ବାଧୀନତାର ଜାଗରଣ ସୃଷ୍ଟି କରିବାରେ ସ୍ବତନ୍ତ୍ର ଭୂମିକା ତୁଲାଇଛନ୍ତି ଏହି ମହାନ୍‌ ବ୍ୟକ୍ତି। ତାଙ୍କ ଉଚ୍ଚାରଣ ଓ ଆଚରଣରେ ପ୍ରଭାବିତ ହୋଇ ଲକ୍ଷଲକ୍ଷ ଭାରତୀୟ ଦେଶର ମୁକ୍ତିସଂଗ୍ରାମରେ ଝାସ ଦେଇଥିଲେ। ତାଙ୍କର ନୀତି ଆଦର୍ଶରେ କେବଳ ଦେଶବାସୀ ନୁହନ୍ତି; ପୂରା ବିଶ୍ବବାସୀ ଅନୁପ୍ରାଣିତ ହୋଇଛନ୍ତି। ଆଜି ବି ଗାନ୍ଧୀ ପ୍ରତିଟି ଭାରତୀୟଙ୍କ ହୃଦୟରେ ଦେବତୁଲ୍ୟ ଆସନରେ ବିରାଜମାନ । ସ୍ବାଧୀନତା ଆନ୍ଦୋଳନ କାଳରେ ସାରା ଦେଶ ବୁଲିଥିବା ଗାନ୍ଧୀଜୀ ଓଡ଼ିଶାକୁ ଆଠ ଥର ଗସ୍ତ କରି ନିଜର ପାଦଚିହ୍ନ ଛାଡ଼ି ଯାଇଛନ୍ତି। ସେହି ଦିନଗୁଡ଼ିକର ସ୍ମୃତି ଏବେ ବି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ମନରେ ଉଜ୍ଜୀବିତ ହୋଇ ରହିଛି। ସେଇ ମହାନ୍ ସଂଗ୍ରାମୀ, ଚିନ୍ତାନାୟକ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ସ୍ମୃତିକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥପାନା…

ପ୍ରାଚୀନ କଟକରେ ମହାତ୍ମାଙ୍କ ପଦଚିହ୍ନ
ଲୋକାରଣ୍ୟ ହୋଇ-ପଡ଼ିଥିଲା କଟକ ରେଳଷ୍ଟେସନ। ହଠାତ୍‌ ପାଟି ଶୁଭିଲା – ଆସିଗଲା ଆସିଗଲା ପୁରୀ ଏକ୍ସପ୍ରେସ୍‌‌। ପ୍ରିୟ ନେତାଙ୍କ ଜୟ ଜୟକାର ଧ୍ୱନିରେ ପ୍ରକମ୍ପିତ ହୋଇପଡ଼ିଥିଲା ଷ୍ଟେସନ। ଟ୍ରେନ୍‌‌ଟିର ୨ ନମ୍ବର ରେଳ ଡବାରୁ ବାହାରିଥିଲେ ଖଦି ବସ୍ତ୍ର ପରିଧାନ କରିଥିବା ମଣିଷଟିଏ। ଆଉ ମୁଣ୍ଡରେ ଥିଲା ଖଦି ଟୋପି। ଏଥିରୁ ବାରିହୋଇ ପଡ଼ିଥିଲେ ଏହି ଜନମାନସର ନେତା, ଅହିଂସା ଆନ୍ଦୋଳନର ମୁଖ୍ୟ ପୁରୋଧା ତଥା ବ୍ରିଟିଶ୍‌ ଜାତିର ନିଦ ହଜାଇଥିବା ମୋହନ ଦାସ କରମ ଚାନ୍ଦ ଗାନ୍ଧୀ, ଯିଏ କି ସମସ୍ତଙ୍କ ନିକଟରେ ପରିଚିତ ମହାତ୍ମା ଗାନ୍ଧୀ ନାମରେ। ସେଦିନ ଥିଲା ୧୯୨୧ ମାର୍ଚ୍ଚ ୨୩ ତାରିଖ। ଟ୍ରେନ୍‌‌ରୁ ଗାନ୍ଧୀ ଓହ୍ଲାଇବା କ୍ଷଣି ତାଙ୍କୁ ସ୍ୱାଗତ କରିଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ବହୁ ନେତା ଓ କର୍ମୀ। ଗାନ୍ଧୀଙ୍କ ସାଙ୍ଗରେ ଥିଲେ ତାଙ୍କ ଧର୍ମ ପତ୍ନୀ କସ୍ତୁରବା। ସେଠାରୁ ଏକ ମୋଟର ଗାଡ଼ିରେ ଗାନ୍ଧୀ ଓ କସ୍ତୁରବାଙ୍କୁ ବର୍ଣ୍ଣାଢ଼୍ୟ ପଟୁଆରରେ ନିଆଯାଇଥିଲା ସ୍ୱରାଜ ଆଶ୍ରମ ଅଭିମୁଖେ।

ସ୍ୱାଧୀନତା ସଂଗ୍ରାମର ଗୁପ୍ତ କର୍ମକ୍ଷେତ୍ର ଥିଲା ସ୍ୱରାଜ ଆଶ୍ରମ। ସ୍ୱରାଜ ଆଶ୍ରମରେ ଗାନ୍ଧୀ ପହଞ୍ଚିବା ମାତ୍ରେ ଗାନ୍ଧୀଜୀ ଓ ତାଙ୍କ କସ୍ତୁରବାଙ୍କୁ ଦିଆଯାଇଥିଲା ଉଚ୍ଛ୍ବସିତ ସମ୍ବର୍ଦ୍ଧନା। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସହ ଗାନ୍ଧୀ ଦମ୍ପତି ଯାଇଥିଲେ ସ୍ୱରାଜ ଆଶ୍ରମର ବିଶ୍ରାମ କୋଠରିକୁ। କାଠଯୋଡ଼ି ନଦୀ ପଠାରେ କିଛି ସମୟ ପରେ ଗାନ୍ଧୀଙ୍କ ପାଇଁ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। କିଛି ସମୟ ବିଶ୍ରାମ ନେଇ ଗାନ୍ଧୀ ଯାଇଥିଲେ ସିଧାସଳଖ ସଭାମଞ୍ଚକୁ।

ବସ୍ତ୍ର ପୋଡ଼ିଦେଲେ ଯଦୁମଣି, ମୁଦି କାଢ଼ିଦେଲେ ମହିଳା
କାଠଯୋଡ଼ି କୂଳ ଗଣେଶ ଘାଟ ତଳକୁ ନଦୀର ବାଲୁକା ଶଯ୍ୟାରେ ଗାନ୍ଧୀ ବିରାଟ ଜନସମାବେଶକୁ ସମ୍ବୋଧିତ କରିଥିଲେ। ଦେଶଦ୍ରୋହୀ ବ୍ରିଟିଶ୍‌ ସରକାରକୁ ହଟାଇବା ପାଇଁ ଆହ୍ୱାନ ଦେଇଥିଲେ। ତାଙ୍କର ଅଗ୍ନିବର୍ଷୀ ଭାଷଣ ଉଦ୍‌‌ବୁଦ୍ଧ କରିଥିଲା ଜନସାଧାରଣଙ୍କୁ। ବିଦେଶୀ ବସ୍ତ୍ର ବର୍ଜନ କରିବାର ଜ୍ୱଳନ୍ତ ଉଦାହରଣ ନିଭାଇ ଯଦୁମଣି ମଙ୍ଗରାଜ ପିନ୍ଧିଥିବା ବିଦେଶୀ ବସ୍ତ୍ରକୁ ନିଜେ ଓହ୍ଲାଇ ନିଆଁରେ ପୋଡ଼ି ଦେଇଥିଲେ। ଗାନ୍ଧୀଙ୍କ ନୀତି ଓ ଆଦର୍ଶ ବିଷୟରେ ପଣ୍ଡିତ ଗୋପବନ୍ଧୁ ସ୍ୱାଗତ ଭାଷଣରେ ସୂଚାଇ ଥିଲେ। ବିନୋଦ ବିହାରୀରେ ଅନୁଷ୍ଠିତ ସଭାରେ ଗାନ୍ଧୀ ତାଙ୍କ ବକ୍ତବ୍ୟରେ ମହିଳାମାନେ ଗହଣା ପରିତ୍ୟାଗ କରିବା ପାଇଁ କହିଥିଲେ। ବହୁ ମହିଳା ସୁନା ମୁଦି ଓ କାନଫୁଲ ବଢ଼ାଇ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ରମାଦେବୀ ସୂତା ମୋଡ଼ାଟିଏ ମହାତ୍ମାଙ୍କୁ ଦେଇଥିବା ସେ ତାଙ୍କ ଲିଖିତ ଆତ୍ମ ଜୀବନୀ ‘ଜୀବନ ପଥେ’ରେ ଉଲ୍ଲେଖ କରିଥିଲେ। ମାର୍ଚ୍ଚ ୨୪ ତାରିଖ ହିନ୍ଦୁ-ମୁସଲିମ୍‌‌ ମିଳିମିଶି ସାମ୍ପ୍ରଦାୟିକ ସଦ୍‌‌ଭାବ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। କଦମ ରସୁଲରେ ମୁସଲମାନ୍‌ଙ୍କ ଉଦ୍ଦେଶ୍ୟରେ ଗାନ୍ଧୀ ଏହା ସେଠାରେ ଆୟୋଜିତ ସାଧାରଣ ସଭାରେ କହିଥିଲେ।

ରାମଚନ୍ଦ୍ର ଭବନରୁ କୁଷ୍ଠାଶ୍ରମ
ରାମଚନ୍ଦ୍ର ଭବନରେ ଆୟୋଜିତ ମହିଳା ସଭାରେ ମଧ୍ୟ ଗାନ୍ଧୀଜୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସଭାରେ ମହିଳାମାନଙ୍କ ସ୍ୱାଧୀନତା ସଂଗ୍ରାମରେ କିଭଳି ଭୂମିକା ରହିବା ଉଚିତ, ତାହା ପ୍ରାଞ୍ଜଳ ଭାବେ ଗାନ୍ଧିଜୀ ବୁଝାଇଥିଲେ। ସେଠାରେ ସରଳା ଦେବୀ ଉପସ୍ଥିତ ଥିଲେ। ସେଠାରୁ ଗାନ୍ଧୀ ଯାଇଥିଲେ ଭିକାରୀ ପଟ୍ଟନାୟକଙ୍କ କୁଟୀର ଶିଳ୍ପକୁ। ମହିଳାମାନେ ତିଆରି କରିଥିବା ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ କୁଟିର ଶିଳ୍ପ ସାମଗ୍ରୀ ଦେଖି ଭିକାରୀ ବାବୁଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ଗାନ୍ଧିଜୀ।

ପଦଯାତ୍ରା ସମୟରେ ବହୁ ବାଟ ଚାଲିଚାଲି ଯାଉଥିଲେ ମଧ୍ୟ ସେ ଥକି ପଡୁ ନ ଥିଲେ। ତେଲଙ୍ଗାପେଣ୍ଠ ଓ କାଜିପାଟଣାରେ ପହଞ୍ଚି ଅସ୍ପୃଶ୍ୟତା ନିବାରଣ ତଥା ଉଚ୍ଚ ନୀଚ ଭେଦଭାବ ଦୂର କରିବାରେ ସେ ଗ୍ରହଣ କରିଥିଲେ ପ୍ରମୁଖ ଭୂମିକା। ତେଲଙ୍ଗାପେଣ୍ଠରେ ଏବେ ତାଙ୍କ ସ୍ମୃତି ଉଜ୍ଜୀବିତ ହୋଇ ରହିଛି। ଗାନ୍ଧୀ ସ୍ମୃତି ପୀଠର ସ୍ମାରକୀ ବହନ କରିଛି। ଏହାଛଡ଼ା ଦୁଇ ଥର ନୂଆବଜାରସ୍ଥିତ କୁଷ୍ଠାଶ୍ରମ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିବା ପରିଦର୍ଶନ ପୁସ୍ତିକାରେ ମହାତ୍ମା ଉଲ୍ଲେଖ କରିଛନ୍ତି।

ଇଂରେଜ ସରକାରଙ୍କୁ ସଇତାନ୍‌ ବୋଲି କହିଥିଲେ ଗାନ୍ଧୀଜୀ
ଓଡ଼ିଶାରେ ମୁକ୍ତି ଆନ୍ଦୋଳନର ବାର୍ତ୍ତା ପ୍ରଚାର କରିବା ପାଇଁ ମହାତ୍ମା ଗାନ୍ଧୀ ଓଡ଼ିଶା ଆସିଥିଲେ। ଦ୍ବିତୀୟରେ ଓଡ଼ିଶାର ଲୋକଙ୍କ ମନରେ ଇଂରେଜ ଶାସନ ପ୍ରତି ଯେଉଁ ଭୟ ଥିଲା ଏବଂ ଇଂରେଜମାନେ ଯେଉଁ ଆତଙ୍କର ବାତାବରଣ ସୃଷ୍ଟି କରିଥିଲେ, ତା’କୁ ଦୂର କରିବା ତାଙ୍କର ଲକ୍ଷ୍ୟ ଥିଲା। ପ୍ରଥମେ ସେ ଇଂରେଜ ସରକାରଙ୍କୁ ସଇତାନ େବାଲି କହିଥିଲେ। ୧୯୧୫ରେ ଦକ୍ଷିଣ ଆଫ୍ରିକାରୁ ଆସିବା ପରେ ତାଙ୍କର ରାଜନୈତିକ ଗୁରୁ ଗୋପାଳ କୃଷ୍ଣ ଗୋଖଲେ ତାଙ୍କୁ କହିଥିଲେ ଯେ, ‘ତୁମେ ଯଦି ଭାରତର ସେବା କରିବାକୁ ଚାହୁଁଛ, ତେବେ ଭାରତ ଭ୍ରମଣ କର’। ତେଣୁ ସେ ଗୁରୁଙ୍କ ପରାମର୍ଶ କ୍ରମେ ୧୯୨୧ ମାର୍ଚ୍ଚରେ ଓଡ଼ିଶାକୁ ଆବିଷ୍କାର କରିବାର ପ୍ରକ୍ରିୟା ଆରମ୍ଭ କଲେ। ଓଡ଼ିଶାକୁ ଆସିବା ପରେ ମହାତ୍ମା ଗାନ୍ଧୀ ଜାଣିପାରିଲେ ଯେ, ଦାରିଦ୍ର୍ୟ ଦୂରୀକରଣ କରିବା ହେଉଛି ଓଡ଼ିଶା ପାଇଁ ପ୍ରଥମ ଲକ୍ଷ୍ୟ। (ଡକ୍ଟର ପାବକ କାନୁନ୍‌ଗୋ, ଗାନ୍ଧୀ ଦର୍ଶନର ପ୍ରବକ୍ତା)

ଗାନ୍ଧିଜୀ ଓ ପୁରୀ
୧୯୨୧ ମାର୍ଚ୍ଚ ୨୬ ତାରିଖ ଅପରାହ୍ଣ ସାଢ଼େ ୩ଟାରେ ଗାନ୍ଧିଜୀ ସତ୍ୟବାଦୀ ସଭା ଶେଷ କରି ପୁରୀରେ ସାଢ଼େ ୪ଟାରେ ପହଞ୍ଚି ଯାଇଥିଲେ। ସାଙ୍ଗରେ ପତ୍ନୀ କସ୍ତୁରବା ଏବଂ ସାନପୁଅ ଦେବଦାସ ଥିଲେ। ସେଦିନ ପୁରୀ ରେଳ ଷ୍ଟେସନଠାରୁ ଆରମ୍ଭ କରି ବଡ଼ଦାଣ୍ଡରେ ଗାନ୍ଧୀ ପହଞ୍ଚିବା ପର୍ଯ୍ୟନ୍ତ ସବୁଠି ଅଦ୍ଭୂତପୂର୍ବ ଜନସାମାବେଶ ଥିଲା। ଗାନ୍ଧିଜୀଙ୍କ ପୁରୀ ଗସ୍ତ ଅସହଯୋଗ ଆନ୍ଦୋଳନର ଅଂଶବିଶେଷ ଥିଲା। ବଡ଼ଦାଣ୍ଡରେ ବାପୁ (ଗାନ୍ଧିଜୀ) ଓ ବା’ (କସ୍ତୁରବା)ଙ୍କୁ ପାଛୋଟି ନେବାକୁ ପୁରୀ ଗଜପତିଙ୍କର ହାତୀ, ଘୋଡ଼ା, ଛତା, ଛତ୍ରୀର ଆୟୋଜନ କରାଯାଇଥିଲା। ସେବକମାନେ ଜଗନ୍ନାଥଙ୍କ ଦର୍ଶନ ପାଇଁ ବାପୁ ଓ ବା’ଙ୍କୁ ଶ୍ରୀମନ୍ଦିର ଭିତରକୁ ନେଇଯାଇଥିଲେ। ଏହା ଥିଲା ଗାନ୍ଧୀ ଓ କସ୍ତୁରବାଙ୍କର ପ୍ରଥମ ଜଗନ୍ନାଥ ଦର୍ଶନ। ସେହି ମାର୍ଚ୍ଚ ୨୬ ତାରିଖ ସନ୍ଧ୍ୟା ୬ଟାରେ ଶରଧାବାଲିରେ ଏକ ବିଶାଳ ଜନସଭାର ଆୟୋଜନ କରାଯାଇଥିଲା। ଗାନ୍ଧିଜୀଙ୍କ ସହ ଗୋପବନ୍ଧୁ ଦାସ, ରାଜେନ୍ଦ୍ର ପ୍ରସାଦ, ଜଗବନ୍ଧୁ ସିଂ ଏବଂ କସ୍ତୁରବା ସଭାମଞ୍ଚରେ ଉପସ୍ଥିତ ଥିଲେ। ୧୯୨୧ ମସିହା ମାର୍ଚ୍ଚ ୨୬ ରୁ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଗାନ୍ଧିଜୀଙ୍କର କାର୍ଯ୍ୟକ୍ରମ ଥିଲା ପୁରୀରେ। ସେ ବାଙ୍କୀମୁହାଣ ନିକଟ ସାଗର ସୌଧରେ ରହୁଥିଲେ ବୋଲି ସୂଚନା ଦେଇଛନ୍ତି ବିଶିଷ୍ଟ ଗାନ୍ଧିବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା।

ଗର୍ଭଗୃହରେ କରିଥିଲେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ
ସାଧାରଣରେ ବିଶ୍ୱାସ ରହିଛି ମହାତ୍ମା ଗାନ୍ଧୀ କେବେ ହେଲେ ଶ୍ରୀମନ୍ଦିରକୁ ପ୍ରବେଶ କରିନାହାନ୍ତି, ଅସ୍ପୃଶ୍ୟମାନଙ୍କୁ ମନ୍ଦିର ପ୍ରବେଶ ନିଷିଦ୍ଧ ଥିବାରୁ ଗାନ୍ଧୀ ଏହାର ପ୍ରତିବାଦରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହୁଁ ନ ଥିଲେ; କିନ୍ତୁ ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ବୋଲି କହିଛନ୍ତି ଗାନ୍ଧିବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା। ୧୯୨୧ ମାର୍ଚ୍ଚ ୨୭ ତାରିଖରେ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ ଜାତିର ପିତା। ତାଙ୍କ ସହିତ ସହଧର୍ମିଣୀ କସ୍ତୁରବା ଏବଂ ପୁଅ ଦେବଦାସ ଗାନ୍ଧୀ ମଧ୍ୟ ଥିଲେ। ସେମାନେ ଗର୍ଭଗୃହକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଗୁଜରାଟୀ ଯାତ୍ରୀପଣ୍ଡା ରଘୁନାଥ ଗୋଚ୍ଛିକାରଙ୍କ ନିକଟରେ ଥିବା ଶହେ ବର୍ଷ ପୁରୁଣା ନଥିରୁ ଜଣାପଡ଼ିଛି ଗାନ୍ଧିଜୀ କେବଳ ମନ୍ଦିର ପରିଦର୍ଶନ କରିଥିଲେ ତାହା ନୁହେଁ, ଦସ୍ତଖତ ପୁସ୍ତିକାରେ ନିଜ ଦର୍ଶନ ଅନୁଭୂତି ଗୁଜରାଟୀ ଭାଷାରେ ମଧ୍ୟ ଲେଖିଥିଲେ।

ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ
୧୯୩୪ ମେ’ ୯ ତାରିଖରେ ଗାନ୍ଧିଜୀ ଶ୍ରୀମନ୍ଦିର ସିଂହଦ୍ୱାରରୁ ଆରମ୍ଭ କରିଥିଲେ ହରିଜନ ପଦଯାତ୍ରା। ଏହାର ଦିନକ ପୂର୍ବରୁ ଅର୍ଥାତ୍‌‌ ମେ’ ୮ ତାରିଖରେ ଗାନ୍ଧିଜୀ ପୁରୀରେ ପହଞ୍ଚି ସନ୍ଧ୍ୟାରେ ସିଂହଦ୍ୱାର ସମ୍ମୁଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସେଠାରେ ଗାନ୍ଧିଜୀଙ୍କ ଉପରେ ବିଛାଇ ହୋଇପଡୁଥିଲା ଗୋଲାପ ଫୁଲ। ସିଂହଦ୍ୱାର ସମ୍ମୁଖରୁ ୯ ତାରିଖ ସକାଳେ ଆରମ୍ଭ ହୋଇଥିଲା ହରିଜନ ପଦଯାତ୍ରା।

ପୁରୀରୁ ଲେଖିଲେ ପ୍ରିୟାଙ୍କୁ ଚିଠି
୧୯୩୪ ମେ’ ୯ ତାରିଖ ହରିଜନ ପଦଯାତ୍ରାର ପ୍ରଥମ ଦିନ। ଗାନ୍ଧିଜୀ ଓ ଅନ୍ୟମାନେ ପଦଯାତ୍ରାରେ ଯାଇ ଚନ୍ଦନପୁରରେ କୁଡ଼ିଆରେ ରାତ୍ରିଯାପନ କରିଥିଲେ। ହଠାତ୍‌‌ ଅର୍ଦ୍ଧରାତି (ରାତି ସାଢେ ୧ଟା)ରେ ଉଠିପଡ଼ିଥିଲେ ବାପୁ ଆଉ ପ୍ରିୟା (କସ୍ତୁରବା)ଙ୍କ ପାଖକୁ ଲେଖିଥିଲେ ଚିଠି। ‘ରାତି ଗୋଟାଏ, ତୁମ ପାଖକୁ ଏ ଚିଠି ଲେଖୁଛି। ଦିନରେ ସମୟ ପାଉନି। ହଁ, ସତକଥା ହେଲା ଟ୍ରେନ୍‌ ଆଉ ବସ୍‌‌ରେ ଯାଇ ଧର୍ମ ପ୍ରଚାର କରିହେବନି। ପଦଯାତ୍ରାରେ ଧର୍ମ ପ୍ରଚାର ଭଲ ହେବ। ହଜାର ହଜାର ଲୋକଙ୍କ ସହ ମିଶି ଆତ୍ମୀୟତା ବଢ଼଼ୁଛି। ମୋ ସହ ସୁଶୀଳା, ପ୍ରଭାତୀ, ମୀରା, ରମାବାଈ (ରମାଦେବୀ) ଅଛନ୍ତି। ଆଶ୍ରମରେ ନିଶ୍ଚୟ ସମସ୍ତେ ଭଲରେ ଥିବେ। ଦେବ (ସାନପୁଅ ଦେବଦାସ), ଲକ୍ଷ୍ମୀ (ଦେବଦାସଙ୍କ ସ୍ତ୍ରୀ) ଓ ତାଙ୍କ ପିଲା କେମିତି ଅଛନ୍ତି’ ବୋଲି ଗାନ୍ଧିଜୀ କସ୍ତୁରବାଙ୍କୁ ଚିଠି ଲେଖିଥିଲେ। ଏଥିରୁ ସ୍ପଷ୍ଟ ଯେ, ଗାନ୍ଧିଜୀ ସମ୍ପୂର୍ଣ୍ଣ ବୈରାଗୀ ନ ଥିଲେ। ଦେଶ କଥା ସହିତ ଘର ଓ ପରିବାର କଥା ବି ସେ ଚିନ୍ତା କରୁଥିଲେ ବୋଲି କହିଛନ୍ତି ଶ୍ରୀ ପରିଡ଼ା।

ବେରବୋଇରେ ବାପୁ
ପୁରୀ ଜିଲ୍ଲା ଡେଲାଙ୍ଗ ବେରବୋଇଠାରେ ୧୯୩୮ ମାର୍ଚ୍ଚ ୨୫ରୁ ୩୧ ତାରିଖ ୭ଦିନ ଧରି ଅନୁଷ୍ଠିତ ହୋଇଥିଲା ଗାନ୍ଧୀସେବା ସଂଘର ଚତୁର୍ଥ ଅଧିବେଶନ। ଏଥିରେ ଯୋଗଦେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ୧୯୩୮ ମାର୍ଚ୍ଚ ୨୫ ତାରିଖ ସକାଳ ୭ଟା। ‘ଡେଲାଙ୍ଗରେ ଗାନ୍ଧୀ ସେବା ସଂଘର ସାତଦିନ’ ପୁସ୍ତକ ଅନୁଯାୟୀ, ଡେଲାଙ୍ଗ ରେଳ ଷ୍ଟେସନର ସାମାନ୍ୟ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଅସ୍ଥାୟୀ ଷ୍ଟେସନ। କାଠ ନିର୍ମିତ ସ୍ୱତନ୍ତ୍ର ପାହାଚ ଦେଇ ଗାନ୍ଧିଜୀ ହାୱାଡ଼ା-ପୁରୀ ଏକ୍ସପ୍ରେସ୍‌‌ରୁ ସମ୍ମିଳନୀ ମଣ୍ଡପ ନିକଟରେ ବେରବୋଇ ଗାଁ ମଝିରେ ସପରିବାର ଅବତରଣ କରିଥିଲେ। ସାଥୀରେ ଥିଲେ ପତ୍ନୀ କସ୍ତୁରବା, ପୁତ୍ର ମଣିଲାଲ, ପୁତ୍ରବଧୂ ସୁଶୀଳା ଏବଂ ଶିଶୁପୌତ୍ର ଅରୁଣ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପତାକା ଉତ୍ତୋଳନ କରି ଅଧିବେଶନକୁ ଉଦ୍‌‌ଘାଟନ କରିଥିଲେ। ଏହି ପତାକା ଉତ୍ତୋଳନ ପାଇଁ ଦଶପଲ୍ଲା ଜଙ୍ଗଲରୁ ବଛା ହୋଇ ୩୨ ହାତ ଲମ୍ବର ବାଉଁଶ ଅଣାଯାଇଥିଲା। ୮ଜଣ ଲୋକ ସେ ବାଉଁଶକୁ କାନ୍ଧେଇ ବେରବୋଇ ଆଣିଥିଲେ। ମାର୍ଚ୍ଚ ୩୧ ତାରିଖ ସନ୍ଧ୍ୟାରେ ଗାନ୍ଧିଜୀ ବେରବୋଇରୁ ବିଦାୟ ନେଇଥିଲେ।

ବେରବୋଇରୁ ଗାନ୍ଧୀବାଡ଼ି
୧୯୩୮ ମାର୍ଚ୍ଚ ୨୫ ତାରିଖ। ବେରବୋଇର ମେଳଣ ପଡ଼ିଆ ଓ ବ୍ରହ୍ମେଶ୍ୱରଙ୍କ ପୋଖରୀ ହୁଡ଼ା ଏକପ୍ରକାର ଜନସମୁଦ୍ର। ସକାଳ ୮ଟା ୧୫ରେ ସଭାସ୍ଥଳରେ ପହଞ୍ଚିଲେ ଗାନ୍ଧିଜୀ। ପ୍ରାର୍ଥନା ଗାଇଥିଲେ ଗୋପବନ୍ଧୁ ଚୌଧୁରୀ। ସର୍ଦ୍ଦାର ପଟେଲ ସ୍ୱାଗତ ଭାଷଣ ଦେବା ପରେ ଗାନ୍ଧିଜୀ କହିଥିଲେ, ସେ ଓଡ଼ିଶାକୁ ଭଲ ପାଆନ୍ତି। ହେଲେ ଓଡ଼ିଶାର ଦାରିଦ୍ର୍ୟ ଦେଖି ସେ ବ୍ୟସ୍ତ ଓ ଚିନ୍ତିତ। ତଥାପି ସେ ଆଶାବାଦୀ, ଓଡ଼ିଆମାନେ କେବଳ କୃଷି ଉପରେ ନିର୍ଭର ନକରି ଗ୍ରାମ୍ୟ ଶିଳ୍ପ ଉପରେ ଗୁରୁତ୍ୱ ଦେବେ। ସଭାଦିନ ସକାଳୁ ସକାଳୁ କଣ୍ଟା ବାଉଁଶକୁ ଦେଖି ପରୀକ୍ଷା ନିରୀକ୍ଷା କରୁଥିବା ଗାନ୍ଧୀ ମହାତ୍ମାଙ୍କ ମନୋବୃତ୍ତିକୁ ଠଉରାଇ ନେଇ ଆଚାର୍ଯ୍ୟ ହରିହର ତତ୍‌‌କ୍ଷଣାତ ଏକ ବାଡ଼ି ତିଆରି କରି ତାଙ୍କୁ ଧରାଇ ଦେଇଥିଲେ। ସେବେଠାରୁ ଗାନ୍ଧୀଜୀ ବାଡ଼ି ଧରିଆସୁଥିବା କୁହାଯାଏ।

ବୋଲଗଡ଼ରେ ଗାନ୍ଧିଜୀଙ୍କ ରହଣି ଅବିସ୍ମରଣୀୟ
ସ୍ବାଧୀନତା ଆନ୍ଦୋଳନର ଗୌରବମୟ ଇତିହାସରେ ବୋଲଗଡ଼ର ଭୂମିକା ସର୍ବଜନବିଦିତ। ଓଡ଼ିଶା ଆଗମନ କାଳରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସ୍ଥାନୀୟ ଡାକବଙ୍ଗଳାରେ ୩ଦିନ ରହିଥିଲେ । ଏହି ସ୍ମୃତି ଏବେ ବି ଜନସାଧାରଣରେ ଅମ୍ଳାନ ଓ ଅବିସ୍ମରଣୀୟ ହୋଇରହିଛି। ଗାନ୍ଧିଜୀ ତୃତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ୧୯୨୭ ମସିହା ଡିସେମ୍ବର ମାସ ୯ ତାରିଖ ବୋଲଗଡ଼ରେ ପହଞ୍ଚିଥିଲେ। ତେବେ ଗାନ୍ଧିଜୀଙ୍କୁ ଜ୍ଵର ହେବାରୁ ସେ ସ୍ଥାନୀୟ ଡାକ ବଙ୍ଗଳା ରେ ୧୧ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅବସ୍ଥାନ କରି ୧୨ ତାରିଖରେ ବେଗୁନିଆରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ପୁଣି ସେହିଦିନ ଖୋର୍ଦ୍ଧା ଦେଇ ଜଟଣୀ ଏବଂ ସେଠାରୁ ଟ୍ରେନ ଯୋଗେ ପୁରୀ ଯାଇଥିଲେ ବୋଲି ବୋଲଗଡ଼ ଇତିହାସରୁ ସୂଚନା ମିଳେ। ବୋଲଗଡ଼ ରହଣି ସମୟରେ ୧୦ ତାରିଖ ବୋଲଗଡ଼ର ପଡୋଶୀ ଚୁଡ଼ା ଗ୍ରାମକୁ ପ୍ରାତଃଭ୍ରମଣରେ ଯାଇଥିଲେ l ସେଠାରେ ହିନ୍ଦୁ-ମୁସଲମାନ ମଧ୍ୟରେ ଭାଇଚାରା ସଂପର୍କ ରହିଥିବା ଦେଖି ପ୍ରଂଶସା କରିଥିଲେl ଏଥିସହିତ ଚୁଡ଼ା ଗ୍ରାମରେ ମହିଳାମାନେ ସୂତା କାଟୁଥିବା ଦେଖି ଖୁସି ହୋଇଥିଲେ। ସେହିପରି ନିଶା ନିବାରଣ, ଅସ୍ପୃଶ୍ୟତା ଆଦି ବିଷୟରେ ସଚେତନ କରାଇଥିଲେ। ବିଶେଷ ଭାବେ କୁଟିଖାଅ ଓ କାଟିପିନ୍ଧ ଗାନ୍ଧିଜୀଙ୍କର ମୁଖ୍ୟ ବାଣୀ ଥିଲା। ଗାନ୍ଧିଜୀଙ୍କର ବୋଲଗଡ଼ରେ ତିନି ଦିନ ରହଣି ସମୟରେ ସେ ବୋଲଗଡ଼ ନିକଟସ୍ଥ ଚୁଡ଼ା, ଅରଖପଲ୍ଲୀ, ଘୋରଡ଼ିଆ, ଓ ଡାବରଧୁଆ ଆଦି ଗ୍ରାମକୁ ଯାଇ ଘରେ ଘରେ ଚରଖା ଚାଲୁଥିବା ଦେଖି ସମସ୍ତଙ୍କୁ ଉତ୍ସାହିତ କରିଥିଲେl ଗାନ୍ଧିଜୀଙ୍କ ସାଥିରେ ବୋଲଗଡ଼କୁ ମହାଦେବ ଦେଶାଇ, ଡ. କୈଳାସ ନାଥ କାଟୁଜ, ମୀରାବେନ, ଦୀନବନ୍ଧୁ ଆଣ୍ଡରୁଜ୍‌ ପ୍ରଭୃତି ଜାତୀୟ ସ୍ତରର ନେତାମାନେ ଆସିଥିଲେ। ତେବେ ବୋଲଗଡ଼ରେ ଗାନ୍ଧିଜୀଙ୍କ ଅବସ୍ଥାନକୁ ନେଇ ଏଠାରେ ଏକ ଗାନ୍ଧୀ ସର୍କିଟ୍‌ ହାଉସ୍‌ କରିବାକୁ ଦାବି ହେଉଛି।

ବାଣପୁରରେ ମହାତ୍ମା ଗାନ୍ଧୀ
ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପଦରେଣୁ ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ପଡ଼ିଥିବାରୁ ଆମେ ସମଗ୍ର ବାଣପୁରବାସୀ ନିଜକୁ ଧନ୍ୟ ମନେ କରୁଛୁ। ଗାନ୍ଧୀଙ୍କୁ ଦେଖିବା ଓ ତାଙ୍କ ମୁଖରୁ ଦୁଇ ପଦ କଥା ଶୁଣିବା ପାଇଁ ୧୯୨୭ ମସିହା ଡିସେମ୍ବର ୯ ରେ ଆୟୋଜିତ ସଭାରେ ହଜାର ହଜାର ଲୋକ ଏକତ୍ର ହୋଇଥିଲେ। ଫିରିଙ୍ଗି ଶାସନର ଚାବୁକ, ଗୁଳିଗୋଳା, ଲାଠିକୁ ଖାତିରି ନକରି ସ୍ଥାନୀୟ ଅଞ୍ଚଳବାସୀ ବାଣପୁର ଶାଳିଆ ନଦୀର ତଟରେ ଥିବା ବାଲୁଙ୍କେଶ୍ଵର ଆମ୍ବତୋଟାର ବରଗଛ ଛାଇ ତଳେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଯୋଗଦେଇଥିଲେ। ଅସୁସ୍ଥତା ସତ୍ତ୍ଵେ ଗାନ୍ଧିଜୀ ଗୋଦାବରୀଶ ଅନୁରୋଧକ୍ରମେ ହିନ୍ଦିରେ ଦେଇଥିବା ଭାଷଣକୁ ସେ ଓଡ଼ିଆରେ ଅନୁବାଦ କରି ଲୋକଙ୍କୁ ଶୁଣାଇଥିଲେ । l
(ବାଳମୁକୁନ୍ଦ ଦାସ, ସଭାପତି, ଚିଲିକା ସାହିତ୍ୟ ସମାଜ, ବାଲୁଗାଁ, ବାଣପୁର)

୧୯୨୭ ମସିହା ଡିସେମ୍ବର ମାସ ଓଡ଼ିଶା ଗ୍ରସ୍ତରେ ଆସି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ୯ତାରିଖରେ ପହଞ୍ଚି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଯୋଗଦେଇ ଥିଲେ। ଆଜି ଗାନ୍ଧୀ ନାହାଁନ୍ତି ସତ। ଉକ୍ତ ସ୍ମୃତିକୁ ଅଞ୍ଚଳବାସୀ ସବୁ ଦିନ ପାଇଁ ସାଇତି ରଖିବା ଉଦ୍ଦେଶ୍ୟରେ ବର୍ତ୍ତମାନର ବାଣପୁର ନଗରପାଳଙ୍କ ଉଦ୍ୟମରେ ଗାନ୍ଧିଜୀ ବସିଥିବା ସ୍ଥଳ ବାଣପୁରର ସେହି ବରଗଛ ଛାଇ ତଳେ ଗାନ୍ଧୀଜୀଙ୍କ ଏକ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। (ସଂଗ୍ରାମ କେଶରୀ ସାହୁ, ଶିକ୍ଷାବିତ ଓ ଗବେଷକ, ବାଣପୁର)

କେନ୍ଦ୍ରାପଡ଼ାରେ ଗାନ୍ଧିଜୀଙ୍କ ପଦଯାତ୍ରାର ସ୍ମୃତି ଉଜ୍ଜୀବିତ
ଜାତିର ଜନକ ମହାନାୟକ ମହାତ୍ମା ଗାନ୍ଧୀଙ୍କ ସ୍ମୃତିକୁ କେନ୍ଦ୍ରାପଡ଼ାରେ ଉଜ୍ଜୀବିତ ରଖାଯାଇଛି। ୧୯୩୪ ମେ ୩୦ ତାରିଖ‌ରେ ଗାନ୍ଧିଜୀ ପଦଯାତ୍ରାରେ ଆସି କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ l   ବାପୁ ଜନସତ୍ୟାଗ୍ରହରେ ପହଞ୍ଚି ରାତ୍ରିଯାପନ ଓ ସକାଳେ ସ୍ନାନ କରିଥିଲେl ଗାନ୍ଧିଜୀ ଦ୍ବିତୀୟ ଅସ୍ପୃଶ୍ୟତା ନିବାରଣ ପଦଯାତ୍ରାରେ  କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଜାତିଭେଦ ଦୂର ପାଇଁ ଜନସଚେତନତା ସୃଷ୍ଟି କରିବା ସହିତ ସ୍ବାଧୀନତା ପାଇଁ ଲୋକମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲେ l ମହାତ୍ମା ଗାନ୍ଧୀ ମେ ମାସ ୩୦ ତାରିଖରେ ବାରିମୂଳ ପଞ୍ଚାୟତ ଓ ୩୧ ତାରିଖରେ କେନ୍ଦ୍ରାପଡ଼ା ଧୂମାତ ଭକ୍ତବିଳାସ ମଠ ନିକଟରେ ପହଞ୍ଚି ଲୋକମାନଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହେବାପାଇଁ ଆହ୍ୱାନ ଦେଇଥିଲେ। ଏପରିକି ସବର୍ଣ୍ଣ ଓ ଅସବର୍ଣ୍ଣମାନଙ୍କ ସହ ପଂକ୍ତି ଭୋଜନ କରି ରାତ୍ରିଯାପନ କରିଥିଲେ। ପରଦିନ ସକାଳୁ ମଠ ନିକଟ ପୁଷ୍କରିଣୀରୁ ପାଣି ଆଣି ଏକ ପଥର(ଶିଳା)ଉପରେ ବସି ଗାନ୍ଧିଜୀ ଗାଧୋଇଥିଲେl ଗାନ୍ଧୀ ମହାତ୍ମା ଗାଁକୁ ଆସିଥିବାରୁ ତାଙ୍କ ସ୍ମୃତି ଓ ସ୍ୱାଧୀନତା ଆନ୍ଦୋଳନକୁ ଉଜ୍ଜୀବିତ କରିବା ପାଇଁ ଗାନ୍ଧୀ ଗାଧୋଇଥିବା ପ୍ରସ୍ତର(ଶିଳା)କୁ ଧୂମାତ ଗ୍ରାମବାସୀ ସଂରକ୍ଷିତ କରି ରଖିଛନ୍ତି। ଜାତିର ପିତାଙ୍କ ସ୍ମୃତି ବହନ କରୁଥିବା ଏହି ଶିଳାକୁ ରକ୍ଷଣାବେକ୍ଷଣ କରିବା ସହିତ ମହାତ୍ମାଙ୍କ ଉଦ୍ଦେଶ୍ୟରେ ନିର୍ମିତ ପ୍ରତିମୂର୍ତ୍ତିକୁ ସୁରକ୍ଷା ଦିଆଯାଇଛି l ଗାନ୍ଧୀଙ୍କ ସହ ନବକୃଷ୍ଣ ଚୌଧୁରୀ, ରମାଦେବୀ ପ୍ରମୁଖଙ୍କ ଆହ୍ୱାନରେ ଇନ୍ଦୁପୁର ଓ ଧୂମାତ ପଞ୍ଚାୟତର ୮୭ଜଣ ଯୁବକ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ l

ସମ୍ବଲପୁରରେ ମହାତ୍ମା
ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ସମ୍ବଲପୁର ଓ ଝାରସୁଗୁଡ଼ା ସହ ଏକ ଆବେଗିକ ସମ୍ପର୍କ ରହିଛି। ସେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଝାରସୁଗୁଡ଼ା ହୋଇ ଦୁଇ ଥର ସମ୍ବଲପୁରକୁ ଆସିଛନ୍ତି। ଆଜି ବି ମହାତ୍ମା ଗାନ୍ଧୀଙ୍କ ସ୍ମୃତି ଉଜ୍ଜୀବିତ ହୋଇ ରହିଛି ଏହି ଐତିହ୍ୟ ସଂସ୍କୃତିସମ୍ପନ୍ନ ସହର ସମ୍ବଲପୁରରେ। ସହରର କିଛି ବୁଦ୍ଧିଜୀବୀ ଓ ଐତିହାସିକ ସେଦିନର ଘଟଣାବଳୀକୁ ରୋମନ୍ଥନ କଲାବେଳେ ଗାନ୍ଧିଜୀଙ୍କର ସମ୍ବଲପୁର ଗସ୍ତ ଯେ ଅଞ୍ଚଳବାସୀଙ୍କ ପାଇଁ କେତେ ଉନ୍ମାଦନା ଆଣିଥିଲା ତାହା ସ୍ପଷ୍ଟ ଅନୁମେୟ।

୧୯୨୮ ମସିହାରେ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀ ସମ୍ବଲପୁର ଗସ୍ତ କରିଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରା ତାଙ୍କୁ ଆତିଥେୟତା ଦେଇଥିଲେ। ଗୋଟିଏ ଦିନର ରହଣୀ ପରେ ସେ ଯେତେବେଳେ ଏଠାରୁ ବିଦାୟ ନେଲେ ସେତେବେଳେ ସ୍ୱାଧୀନତାସଂଗ୍ରାମୀ ଶ୍ରୀ ବେହେରା ତାଙ୍କୁ କହିଥିଲେ ଆମେ ଆଶାକରୁ ଆପଣ ପୁଣି ଥରେ ଏଠାକୁ ଆସିବେ। ୧୯୨୮ ଡିସେମ୍ବର ୨୨ ତାରିଖରେ ବମ୍ବେରୁ କଲିକତା ଅଭିମୁଖେ ଗାନ୍ଧିଜୀ ଯାଉଥିବା ବେଳେ ଝାରସୁଗୁଡ଼ା ରେଳ ଷ୍ଟେସନଠାରେ ଓହ୍ଳାଇଥିଲେ। ସେଠାରୁ ସମ୍ବଲପୁର ଅଭିମୁଖେ ଗସ୍ତ କରି ଶ୍ରୀ ବେହେରାଙ୍କ ଆତିଥେୟତା ଗ୍ରହଣ କରିଥିଲେ। ତେବେ ୧୯୩୪ ମସିହାରେ ଦ୍ୱିତୀୟ ଥର ପାଇଁ ଗାନ୍ଧିଜୀଙ୍କ ସମ୍ବଲପୁର ଗସ୍ତ ବେଶ୍‌ ସ୍ମରଣୀୟ ଥିଲା। ଅସ୍ପୃଶ୍ୟତା ବିରୋଧରେ ସାରା ଦେଶରେ ଜନସଚେତନତା ସୃଷ୍ଟି କରୁଥିବା ମହାତ୍ମା ଗାନ୍ଧୀ ୧୯୩୪ ମସିହାରେ ସମ୍ବଲପୁରରୁ ହିଁ ଆରମ୍ଭ କରିଥିଲେ। ସେଥିପାଇଁ ଏକ ସ୍ୱାଗତ କମିଟି ଗଠନ କରାଯାଇଥିଲା। ଏହି କମିଟିର ଅଧ୍ୟକ୍ଷ ଥିଲେ ବେଣୀମାଧବ ସୂପକାର। ମେ ୨ ଓ ୩ ତାରିଖରେ ରାଞ୍ଚିଠାରେ ଆୟୋଜିତ ସ୍ୱରାଜ ଆନ୍ଦୋଳନରେ ଯୋଗଦେଇ ଗାନ୍ଧିଜୀ ଟ୍ରେନ ଯୋଗେ ଚକ୍ରଧରପୁର ହୋଇ ଜାମସେଦପୁର ଫେରୁଥିବା ବେଳେ ସେଠାରେ ଶ୍ରୀ ସୂପକାର ତାଙ୍କୁ ସ୍ୱାଗତ କରିଥିଲେ। ବମ୍ବେ ମେଲ୍‌ରେ ସେ ରାତି ୩ଟାରେ ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇଥିଲେ। ସେଠାରେ ଶିବଜୀ ନାଥୁଭାଇଙ୍କ ଘରକୁ ଯାଇ ବିଶ୍ରାମ କରିଥିଲେ। ସକାଳେ ଝାରସୁଗୁଡ଼ାରେ ଏକ ସାଧାରଣ ସଭାରେ ଯୋଗ ଦେଇ ଅସ୍ପୃଶ୍ୟତା କିପରି ସମାଜ ପାଇଁ କ୍ଷତିକାରକ ସେ ସମ୍ପର୍କରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିଥିଲେ। ଉକ୍ତ ସଭାରେ ଲୋକମାନେ ୪୩୫ ଟଙ୍କା ଦଶ ଅଣା ୭ ପଇସା ସଂଗ୍ରହ କରି ଗାନ୍ଧିଜୀଙ୍କୁ ସମର୍ପି ଥିଲେ। ସେଠାରୁ ବେଣୀମାଧବ ସୂପକାରଙ୍କ କଳା ରଙ୍ଗର ଆମ୍ବାସଡ଼ର କାର୍‌ ଯୋଗେ ସମ୍ବଲପୁର ଆସି ବୁଢ଼ାରଜାସ୍ଥ ଡ. ରାମଚନ୍ଦ୍ରଙ୍କ ମିଶ୍ରଙ୍କ ଘରେ ରହଣି କରିଥିଲେ। ତାଙ୍କ ସହିତ ଠକ୍କର ବାପା, ବାଲାଜୀ ଗୋବିନ୍ଦଜୀ ଦେଶାଇ, ସାମ୍ବାଦିକ ମିଷ୍ଟର୍‌ ଭୁଟ୍ଟୋ ଓ ମୀରାବେନ୍‌‌ ଆସିଥିଲେ। ସେହିଦିନ ଗାନ୍ଧିଜୀ ଝାଡ଼ୁଆପଡ଼ାସ୍ଥ ବେଣୀମାଧବଙ୍କ ଘରକୁ ଯାଇଥିଲେ। ସେଠାରେ ରହଣୀ ମଧ୍ୟରେ ଶୌଚ ହେବା ପାଇଁ ଘର ପଛ ପାର୍ଶ୍ବକୁ ଯାଇଥିଲେ। ତେବେ ସେ ଯାଇଥିବା ରାସ୍ତାରେ ବସିଥିବା କିଛି ମହିଳା ଉଠି ପଡ଼ିବା ନେଇ ଗାନ୍ଧିଜୀ ନିଜକୁ ଅପ୍ରସ୍ତୁତ ମଣିଥିଲେ। ଆଉ ସେ ସେଠାରେ ରହିବାକୁ ପସନ୍ଦ କରି ନ ଥିଲେ ବୋଲି କହିଛନ୍ତି ବେଣୀମାଧବଙ୍କ ୮୮ ବର୍ଷ ବୟସ୍କ ପୁତ୍ର ବଦ୍ରିକାନାଥ ସୂପକାର।

ବାପାଙ୍କଠାରୁ ଶୁଣିଥିବା କଥାକୁ ମନେ ପକାଇ ବଦ୍ରିକାନାଥ କହିଥିଲେ ଯେ, ଗାନ୍ଧିଜୀଙ୍କ ସୁବିଧା ପାଇଁ ତାଙ୍କ ବାପା କୁଆଡ଼େ ଗାନ୍ଧିଜୀଙ୍କୁ କହିଲେ ମୋ ରାଜନୈତିକ ଗୁରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ଘରେ ରହିବା ବ୍ୟବସ୍ଥା କରାଇବେ। ଏପରିକି ଶ୍ରୀ ବେହେରାଙ୍କ ଘରେ ଛେଳି ମଧ୍ୟ ଥିବା ସୂଚାଇଥିଲେ। ଫଳରେ ବାଲିବନ୍ଧା କମଳିବଜାରସ୍ଥ ଶ୍ରୀ ବେହେରାଙ୍କ ଘରେ ଗାନ୍ଧିଜୀ ଅବସ୍ଥାନ କଲେ। ଗାନ୍ଧିଜୀ ଅବସ୍ଥାନ କରିଥିବା ଉକ୍ତ ଘରଟି ଗାୟତ୍ରୀ ମନ୍ଦିର ସମ୍ମୁଖରେ ଦୃଶ୍ୟମାନ। ସମ୍ବଲପୁରରେ ଦୁଇ ଦିନର ରହଣି ମଧ୍ୟରେ ଦ୍ୱିତୀୟ ଦିନ ଅପରାହ୍ଣରେ ମହାନଦୀ ବାଲିରେ ଏକ ସଭାରେ ଯୋଗ ଦେଇଥିଲେ। ସେହି ସଭାରେ ବେଣୀମାଧବ ସୂପକାର ସ୍ୱାଗତ ଭାଷଣ ଦେଇଥିଲେ। ସେହି ସଭାସ୍ଥଳରେ ୫୩୫ ଟଙ୍କା ସଂଗୃହୀତ ହୋଇ ଗାନ୍ଧିଜୀଙ୍କୁ ଦିଆଯାଇଥିଲା। ସନ୍ଧ୍ୟାରେ ଗାନ୍ଧିଜୀ କଟକ ଅଭିମୁଖେ ପ୍ରସ୍ଥାନ କରିଥିଲେ। ବେଣୀମାଧବଙ୍କ ପୁଅ ବଦ୍ରିକାନାଥ ଆହୁରି କହିଛନ୍ତି ଯେ, ତାଙ୍କ ଘରେ ଗାନ୍ଧିଜୀଙ୍କର ଏକ ମୂର୍ତ୍ତି ଥିଲା। ସେହି ମୂର୍ତ୍ତିରେ ନିଜେ ଗାନ୍ଧିଜୀ ତାଙ୍କ ଅଟୋଗ୍ରାଫ୍‌‌ ଦେଇଥିଲେ। ମହାତ୍ମା ତାଙ୍କର ଦ୍ୱିତୀୟ ଥର ସମ୍ବଲପୁର ଗସ୍ତ ଅବସରରେ ବେଣୀମାଧବ ସୂପକାରଙ୍କ ସହିତ କେତେକ ହରିଜନ ବସ୍ତି ପରିଦର୍ଶନରେ ଯାଇଥିଲେ। ସୂପକାରଙ୍କ ଗାଡ଼ିରେ ମହାତ୍ମାଙ୍କ ସହିତ ପଶ୍ଚିମ ଓଡ଼ିଶାର ଗାନ୍ଧୀ ଭାବେ ପରିଚିତ ନୃସିଂହ ଗୁରୁ ଓ ନିତ୍ୟାନନ୍ଦ ବହିଦାର ମଧ୍ୟ ଥିଲେ। ହରିଜନ ବସ୍ତିର ଲୋକମାନେ ମହାତ୍ମାଙ୍କୁ ୬୦ ଟଙ୍କା ପ୍ରଦାନ କରିଥିଲେ। ଏହି ଅବସରରେ ଫାଟକ ରେଳ ଷ୍ଟେସନଠାରେ ହରିଜନ ପିଲାଙ୍କ ପାଇଁ ଏକ ହଷ୍ଟେଲ ନିମନ୍ତେ ଜନାର୍ଦ୍ଦନ ସୂପକାର ଏକ ଘର ଦାନ କରିଥିଲେ। ମହାତ୍ମାଙ୍କ ସମ୍ବଲପୁର ଗସ୍ତ ଅବସରରେ କୁଷ୍ଠରୋଗକୁ ଏକ ଦୈବୀ ରୋଗ ବୋଲି ସମାଜରେ ଧାରଣା ଥିଲା। ମାତ୍ର ସମ୍ବଲପୁରର ପ୍ରଗତିଶୀଳ ଡାକ୍ତର ଆଇଜାକ୍‌‌ ସାନ୍ତ୍ରା ମୁଦିପଡ଼ାରେ ଏକ କୁଷ୍ଠ କ୍ଲିନିକ ସ୍ଥାପନ କରି କୁଷ୍ଠ ରୋଗୀଙ୍କୁ ନିଃଶୁଳ୍କରେ ଚିକତ୍ସା କରି ଏକ ନିଆରା ଉଦାହରଣ ଦେଇଥିଲେ। ଗାନ୍ଧୀ ମହାତ୍ମା ଏହି ସୂଚନା ପାଇ ଅତ୍ୟନ୍ତ ଉତ୍ସାହିତ ହୋଇ ଉକ୍ତ କ୍ଲିନିକ୍‌ ପରିଦର୍ଶନ କରି ଡାକ୍ତର ସାନ୍ତ୍ରାଙ୍କ ଭୂରିଭୂରି ପ୍ରଶଂସା କରିଥିଲେ।

(ପ୍ରସ୍ତୁତି: ଭକ୍ତିଭୂଷଣ, ହେମନ୍ତ, ବିମଳକୃଷ୍ଣ, ଦେବଦତ୍ତ, ରଞ୍ଜିତ)

About The Author: The Sakala